ବିଜାପୁର: ୪ର୍ଥ ଦିନରେ ବି ଛତିଶଗଡ଼ ବିଜାପୁରରେ ଜାରି ରହିଛି ଏନକାଉଣ୍ଟର । ଏହା ଭିତରେ ଶାନ୍ତି କଥାବାର୍ତ୍ତା ପାଇଁ ଅନୁରୋଧ କଲେ ମାଓବାଦୀ । ଏନେଇ ଉତ୍ତର ପଶ୍ଚିମ ସବ୍ ଜୋନାଲ୍ ବ୍ୟୁରୋ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜାରି ହୋଇଛି । ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ବଡ଼ ଅପରେସନ ଚାଲିଥିବା ବେଳେ ଭୟଭୀତ ହୋଇ ଏହି ପ୍ରେସ୍ ବିଜ୍ଞପ୍ତି ଜାରି ହୋଇଛି ।
ସମସ୍ୟାର ସମାଧାନ ଶାନ୍ତି କଥାବାର୍ତ୍ତା ଦ୍ୱାରା ହେଉ । ଶାନ୍ତି କଥାବାର୍ତ୍ତା ପାଇଁ ଆମେ ସବୁବେଳେ ପ୍ରସ୍ତୁତ ରହିଛୁ । ଛତିଶଗଡ଼-ତେଲେଙ୍ଗାନା ସୀମାରେ ଜାରି ସୈନ୍ୟ ଅଭିଯାନ ତୁରନ୍ତ ରୋକାଯାଉ ବୋଲି ଜାରି ହୋଇଥିବା ପ୍ରେସ୍ ବିଜ୍ଞପ୍ତିରେ ମାଓବାଦୀ ମାନେ ଅନୁରୋଧ କରିଛନ୍ତି ।
ଦକ୍ଷିଣ ବସ୍ତର ସବଜୋନାଲ କମିଟିର ସଚିବ ରୂପେଶ ଅପରେସନକୁ ତୁରନ୍ତ ବନ୍ଦ କରି ଶାନ୍ତିବାର୍ତ୍ତା ପାଇଁ ସରକାର ଆସିବା ଦରକାର ବୋଲି କହିଛି ।
ଅନ୍ୟପଟେ, ମାଓ ଅପରେସନ୍ ପାଇଁ ମୁତୟନ ଯବାନ ମାନେ ଗ୍ରୀଷ୍ମ ପ୍ରବାହର ଶିକାର ହୋଇଛନ୍ତି । ହିଟ୍ ଷ୍ଟ୍ରୋକରେ ଆକ୍ରାନ୍ତ ହୋଇ ୧୫ ଯବାନ ଅସୁସ୍ଥ ହୋଇ ତେଲେଙ୍ଗାନା ସ୍ଥିତ ଭେଙ୍କଟାପୁରମ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି ।
ତେବେ ମାଓନେତା ହିଡମା ନେତୃତ୍ୱରେ ହଜାରରୁ ଅଧିକ ମାଓବାଦୀଙ୍କ ଉପସ୍ଥିତି ନେଇ କେର୍ରାଗେଟା ପାହାଡକୁ ଏବେ ଘେରି ରଖିଛନ୍ତି ଯବାନ । ମହାରାଷ୍ଟ୍ର, ତେଲେଙ୍ଗାନା ଓ ଛତିଶଗଡ଼ ସୀମାରେ ଦଶ ହଜାର ଯବାନ ୭୨ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଘେରି ରହିଛନ୍ତି । ତିନି ଦିନରୁ ଊର୍ଦ୍ଧ୍ବ ସମୟ ଧରି ଲାଗି ରହିଛି ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳିବିନିମୟ । ଏହି ଅପରେସନ ଯଦି ସଫଳ ହୁଏ ମାଓ ସଂଗଠନ ଏକ ପ୍ରକାର ଭୁଶୁଡ଼ିଯିବା ବୋଲି କୁହାଯାଉଛି ।
Comments are closed.