Latest Odisha News

BREAKING NEWS

ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ସୁଲତା ଦେଓଙ୍କ ବିବାଦୀୟ ବୟାନ; ତେଜିଲା ରାଜନୀତି 

ଭୁବନେଶ୍ୱର: ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ବିଜେଡି ନେତ୍ରୀ ତଥା ଓଡ଼ିଶାର ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କ ବିବାଦୀୟ ମନ୍ତବ୍ୟ ରାଜ୍ୟ ରାଜନୀତିକୁ ସରଗରମ କରିଦେଇଛି। ଏଥିପାଇଁ ତାଙ୍କୁ ତୀବ୍ର ସମାଲୋଚନା ମଧ୍ୟ କରାଯାଉଛି।

ଧର୍ମ ପଚାରି ଆତଙ୍କବାଦୀମାନେ ଲୋଙ୍କଙ୍କୁ ଗୁଳି ମାରିଥିବା କୁହାଯାଉଥିଲା। ଯାହାକୁ ନେଇ ସୁଲତା ପ୍ରଶ୍ନ ଉଠାଇ କହିଥିଲେ ଏତେ କମ ସମୟ ମଧ୍ୟରେ ଧର୍ମ ପଚାରି ଗୁଳି ମାରିହେବନି। ଆତଙ୍କବାଦୀମାନେ କୌଣସି ଧର୍ମ କିମ୍ବା ଜାତି ସହ ବନ୍ଧା ନୁହେଁ। ତାଙ୍କର ଏହି ବୟାନ ପରେ ବର୍ତ୍ତମାନ ରାଜନୀତି ସରଗରମ ହୋଇପଡ଼ିଛି।

ଏହାକୁ ବିଜେପି ନେତା ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କଡ଼ା ନିନ୍ଦା କରିଥିବା ବେଳେ ତାଙ୍କ ନିଜ ଦଳର  ବିଜେଡିର ନେତା ମାନେ ମଧ୍ୟ ତାଙ୍କର ଏହି ମନ୍ତବ୍ୟକୁ କଡା ନିନ୍ଦା କରିଛନ୍ତି।

ପହଲଗାମ ଆକ୍ରମଣର ଗୋଟିଏ ଦିନ ପରେ ସୁଲତା ଗଣମାଧ୍ୟମ କୁ କହିଥିଲେ ଯେ କେହି ଆତଙ୍କବାଦୀ କୌଣସି ଧର୍ମ ସହିତ ଜଡିତ ନୁହେଁ ଓ ଧର୍ମକୁ ନେଇ ଟାର୍ଗେଟ କରିଥିବା ରିପୋର୍ଟକୁ ସେ ଆନୁମାନିକ ବୋଲି କହିଥିଲେ। ଏତେ ଅଳ୍ପ ସମୟ ମଧ୍ୟରେ ପୀଡ଼ିତ ମାନଙ୍କର ଧର୍ମ ପଚାରି ସେମାନଙ୍କୁ ମାରିବା କୌଣସି ଦୃଷ୍ଟିରୁ ସମ୍ଭବ ନୁହେଁ ବୋଲି ସେ କହିଥିଲେ।

ତେବେ ତାଙ୍କର ଏପରି ମନ୍ତବ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ଶନିବାର ଦିନ ଆଇନ ମନ୍ତ୍ରୀ କହିଛନ୍ତି ଯେ ଯେଉଁମାନେ ଏହିଭଳି  ଦୁଃଖର ପରିସ୍ଥିତି ରେ ପୀଡ଼ିତ ମାନଙ୍କୁ ଉପହାସ କରୁଛନ୍ତି ସେମାନେ ରାଜନୀତିରେ ରହିବାର ଯୋଗ୍ୟ ନୁହଁନ୍ତି ଏବଂ ଏପରି ପରିସ୍ଥିତିରେ କୌଣସି ପ୍ରକାରର ଅମାନବୀୟ ବୟାନକୁ ନେଇ ରାଜନୀତି କରିବା ମଧ୍ୟ ଠିକ୍ ନୁହେଁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁ ନେତା ମାନେ ଏପରି ସମ୍ବେଦନଶୀଳ ମନ୍ତବ୍ୟ ଦେଉଛନ୍ତି ସେମାନଙ୍କୁ ପ୍ରତ୍ୟାଖ୍ୟାନ କରିବା ଉଚିତ୍ କାରଣ ଏପରି ମାନସିକତା ଥିବା ବ୍ୟକ୍ତି ମାନେ ରାଜନୀତିରେ ରହିବା ଯୋଗ୍ୟ ନୁହଁନ୍ତି ।

ସେହିପରି ସୁଲତାଙ୍କ ଏହି ବୟାନରେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ମଧ୍ୟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଯେଉଁମାନେ ଅନ୍ୟକୁ ପରିହାସ କରନ୍ତି, ଅନ୍ୟମାନେ ମଧ୍ୟ ତାଙ୍କୁ ପରିହାସ କରିଥାନ୍ତି।ଏପରି ଆଚରଣ ଭାରତର ସାଂସ୍କୃତିକ ନୀତିର ବିପରୀତ ଅଟେ ବୋଲି ମଧ୍ୟ ସେ କହିଛନ୍ତି।

Comments are closed.