Latest Odisha News

BREAKING NEWS

ଭାରତ-ପାକିସ୍ତାନ ଯୁଦ୍ଧ ହେଲେ, କାହାକୁ ସମର୍ଥନ କରିବେ ଆମେରିକା, ଚୀନ୍?

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଆଶଙ୍କା ରହିଛି । ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନକୁ ଦାୟୀ କରିଛି ଭାରତ । ତେବେ ଏହାକୁ ଖାରଜ କରିବା ସହ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛି ପାକିସ୍ତାନ । ତେବେ ପ୍ରଶ୍ନ ଉଠୁଛି, ଯଦି ଯୁଦ୍ଧ ହୁଏ, କାହା ସପକ୍ଷରେ ରହିବେ କେଉଁ ଦେଶ? ଆମେରିକା ସରକାର ଘଟଣା ପରେ ଭାରତକୁ ସମର୍ଥନ କରିଛନ୍ତି । ତେବେ ପାକିସ୍ତାନକୁ ସମାଲୋଚନା କରିନାହାନ୍ତି । ଉଭୟ ପକ୍ଷଙ୍କୁ ଦାୟିତ୍ବର ସହ ସମାଧାନ ଦିଗରେ କାମ କରିବାକୁ ଅପିଲ୍ କରିଛି ଆମେରିକା । ସେପଟେ ଚୀନ୍, ତୁର୍କୀ ପରେ ଅଜରବାଇଜାନ୍ ପାକିସ୍ତାନର ସାଥ୍ ଦେଉଥିବା ଚର୍ଚ୍ଚା ହେଉଛି।

ଭାରତ ସପକ୍ଷରେ ଆମେରିକା !

ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେଲେ କାହା ସପକ୍ଷରେ ରହିବ ଆମେରିକା? ପାକିସ୍ତାନ ଲମ୍ବା ସମୟ ଧରି ଆମେରକାର ସହଯୋଗୀ ରହିଛି । ତେବେ ଆଫଗାନିସ୍ତାନରୁ ୨୦୨୧ରେ ସେନା ପ୍ରତ୍ୟାହାର କରିବା ପରେ ଆମେରିକା ପାଇଁ ପାକିସ୍ତାନ ସେଭଳି ଗୁରୁତ୍ବ ରଖୁନି । ବର୍ତ୍ତମାନ ସ୍ଥିତିରେ ପାକିସ୍ତାନଠାରୁ ଭାରତ ଆମେରିକାର ଅଧିକ ଘନିଷ୍ଠ ସହଯୋଗୀ । ପହଲଗାମ ଆକ୍ରମଣ ଘଟଣା ପରେ ଭାରତ ଜବାବି ଆକ୍ସନ ନେଲେ, ଆମେରିକା ଏହାକୁ ଆତଙ୍କବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନ ଭାବେ ଗ୍ରହଣ କରିପାରେ । ଋଷ-ୟୁକ୍ରେନ୍ ଓ ଇସ୍ରାଏଲ୍-ହମାସ ଯୁଦ୍ଧରେ ପୂର୍ବରୁ ହିଁ ସଂପୃକ୍ତ ରହିଛି ଆମେରିକା । ଯୁଦ୍ଧ ଶେଷ କରିବାକୁ କୁଟନୈତିକ ଚାପ ପ୍ରୟୋଗ କରୁଛି । ତେଣୁ ଭାରତ, ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେଲେ ସେଥିରେ ହସ୍ତକ୍ଷେପ କରିବାକୁ ଚାହିଁନପାରେ ଆମେରିକା ।

କ’ଣ କରିବ ଚୀନ୍?

ଭାରତ ଅପେକ୍ଷା ପାକିସ୍ତାନର ଅଧିକ ଘନିଷ୍ଠ ଚୀନ୍ । ଭାରତ ଓ ପାକିସ୍ତାନ ମଧ୍ୟରେ ସଂଘର୍ଷ ଉଭୟ ଦେଶର ମୌଳିକ ହିତ ଦିଗରେ ଠିକ୍ ନୁହେଁ । ଏହା କ୍ଷତ୍ରୀୟ ଶାନ୍ତି ଓ ସ୍ଥିରତା ଦିଗରେ ମଧ୍ୟ ଅନୁକୂଳ ନୁହେଁ ବୋଲି ଚୀନ୍ କହିଛି । ତେବେ ପାକିସ୍ତାନ ବିଦେଶ ମନ୍ତ୍ରୀ ଇସାକ ଡାର୍ ଚୀନ୍ ପ୍ରତିପକ୍ଷଙ୍କ ସହ ଆଲୋଚନା କରିଛନ୍ତି । ଏଥିରେ ଚୀନ୍ ଭାରତର ଏକତରଫା ଓ ଅବୈଧ ଆକ୍ସନକୁ ଖାରଜ କରିଥିବା ପାକ୍ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ତେବେ ଆର୍ଥିକ ସ୍ତରରେ ଆମେରିକା ଚୀନକୁ ଚ୍ୟାଲେଞ୍ଜ କରୁଥିବା ବେଳେ ଭାରତ ବିରୋଧରେ ଖୋଲାଖୋଲି ଯାଇନପାରେ ଚୀନ୍ । କାରଣ ଆମେରିକା ସହ ଟାରିଫ୍ ଓ୍ବାର ମଧ୍ୟରେ ବେଜିଂ ବିଧିବଦ୍ଧ ଭାବେ ଭାରତକୁ ବିରୋଧ କରିନପାରେ ।

ହତିଆର ଯୋଗାଉଛନ୍ତି ଚୀନ୍, ତୁର୍କୀ !

ଭାରତ ଓ ପାକିସ୍ତାନ ମଧ୍ୟରେ ଅଶାନ୍ତି କମ୍ କରିବାକୁ ଇରାନ୍ ଓ ସାଉଦି ଆରବ ଅପିଲ୍ କରିଥିବା ବେଳେ ଚୀନ୍ ଓ ତୁର୍କୀ ପାକିସ୍ତାନକୁ ଘାତକ ହତିଆର ଯୋଗାଇଥିବା କୁହାଯାଉଛି । ଚୀନ୍-ପାକିସ୍ତାନ ଅର୍ଥନୈତିକ କରିଡରରେ ଚୀନ୍ ପାକିସ୍ତାନରେ ହଜାର ହଜାର କୋଟି ଟଙ୍କାର ନିବେଶ କରିଛି । ଯୁଦ୍ଧ ହେଲେ ଭାରତ ଦେଶ ଦ୍ବାରା ନିର୍ମାଣ ହୋଇଥିବା ବନ୍ଦର ଉପରେ ଆକ୍ରମଣ କରିବା ନେଇ ଚୀନ ଆଶଙ୍କା କରୁଛି । ତେଣୁ ଚୀନ୍ ପାକିସ୍ତାନକୁ ଜରୁରୀକାଳୀନ ସ୍ଥିତିରେ ପିଏଲ୍-୧୫ ମିସାଇଲ୍ ଓ ତୁର୍କୀ ୬ ଏୟାରକ୍ରାଫ୍ଟ ହତିଆର ଯୋଗାଇଥିବା କୁହାଯାଉଛି । ଏହାସହ ଅଜରବାଇଜାନ୍ ମଧ୍ୟ ପାକିସ୍ତାନକୁ ସହଯୋଗ କରୁଛି । ଏକମାତ୍ର ଦେଶ ଭାବେ ଇସ୍ରାଏଲ୍ ଭାରତକୁ ସିଧାସଳଖ ସହଯୋଗ କରିବାକୁ କହିଛି ।

Comments are closed.