ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗୁରୁବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶରେ କହିଛନ୍ତି ଯେ ଦେଶର ସମସ୍ତ ଡାକ୍ତରଙ୍କୁ କେବଳ ଜେନେରିକ ଔଷଧ ପ୍ରେସକ୍ରାଇବ କରିବା ବାଧ୍ୟତାମୂଳକ କରାଯାଉ। ଏହି ନିର୍ଦ୍ଦେଶ ଔଷଧ କମ୍ପାନୀଗୁଡ଼ିକର ଅନୈତିକ ବ୍ୟବସାୟ ଅଭ୍ୟାସକୁ ରୋକିବା ଏବଂ ରୋଗୀମାନଙ୍କ ପାଇଁ ସୁଲଭ ମୂଲ୍ୟରେ ଔଷଧ ଉପଲବ୍ଧ କରାଇବା ଲକ୍ଷ୍ୟରେ ଦିଆଯାଇଛି।
ଜଷ୍ଟିସ ବିଆର ଗଭାଇ ଏବଂ ଜଷ୍ଟିସ କେଭି ବିଶ୍ୱନାଥଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ କହିଛନ୍ତି ଯେ ଜେନେରିକ ଔଷଧ ବ୍ରାଣ୍ଡେଡ ଔଷଧ ତୁଳନାରେ ଅଧିକ ସୁଲଭ ଏବଂ ସମାନ ପ୍ରଭାବଶାଳୀ, ଯାହା ଦେଶରେ ସ୍ୱାସ୍ଥ୍ୟସେବା ଖର୍ଚ୍ଚକୁ ହ୍ରାସ କରିବ।
କୋର୍ଟ କେନ୍ଦ୍ର ସରକାରଙ୍କୁ ଏହି ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ଏକ ସ୍ପଷ୍ଟ ନୀତି ପ୍ରଣୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ, ଔଷଧ କମ୍ପାନୀଗୁଡ଼ିକ ଡାକ୍ତରମାନଙ୍କୁ ମହଙ୍ଗା ବ୍ରାଣ୍ଡେଡ ଔଷଧ ପ୍ରେସକ୍ରାଇବ କରିବାକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ଉପରେ ମଧ୍ୟ କୋର୍ଟ ଗୁରୁତ୍ୱ ଦେଇଛନ୍ତି। ଏହାଦ୍ୱାରା ରୋଗୀମାନଙ୍କୁ ଅଯଥା ଆର୍ଥିକ ବୋଝ ସହିବାକୁ ପଡୁଛି।
ଜେନେରିକ ଔଷଧ ହେଉଛି ସେହି ଔଷଧ ଯାହାର କମ୍ପୋଜିସନ ବ୍ରାଣ୍ଡେଡ ଔଷଧ ସହିତ ମେଳ ଖାଏ । କିନ୍ତୁ ଏହାର ମୂଲ୍ୟ ଉଲ୍ଲେଖନୀୟ ଭାବେ କମ୍ ହୋଇଥାଏ। କୋର୍ଟ ଆହୁରି କହିଛନ୍ତି ଯେ ଜେନେରିକ ଔଷଧର ଗୁଣବତ୍ତା ନିଶ୍ଚିତ କରିବା ପାଇଁ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (ସିଡିଏସସିଓ) ଏବଂ ଅନ୍ୟାନ୍ୟ ନିୟାମକ ସଂସ୍ଥାଗୁଡ଼ିକୁ କଡ଼ା ପଦକ୍ଷେପ ନେବାକୁ ପଡ଼ିବ।
ଏହି ନିର୍ଦ୍ଦେଶ ପ୍ରତି ପ୍ରତିକ୍ରିୟା ପ୍ରକାଶ କରି ଜନଔଷଧି ଯୋଜନାରେ ନିୟୋଜିତ ଜଣେ ଅଧିକାରୀ କହିଛନ୍ତି, “ଏହା ଏକ ଐତିହାସିକ ପଦକ୍ଷେପ ଯାହା ସାଧାରଣ ଲୋକଙ୍କୁ ସୁଲଭ ମୂଲ୍ୟରେ ଔଷଧ ଯୋଗାଇବ। ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ପରିୟୋଜନାରେ ବର୍ତ୍ତମାନ ହଜାର ହଜାର ଜେନେରିକ ଔଷଧ କେନ୍ଦ୍ର ମାଧ୍ୟମରେ ସାମାଜିକ-ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗଙ୍କୁ ଉପଲବ୍ଧ ହେଉଛି।”
ତେବେ, କେତେକ ଡାକ୍ତର ସଂଗଠନ ଏହି ନିର୍ଦ୍ଦେଶକୁ ବିରୋଧ କରି କହିଛନ୍ତି ଯେ ଜେନେରିକ ଔଷଧର ଗୁଣବତ୍ତା ଏବଂ ଉପଲବ୍ଧତା ସମ୍ପର୍କରେ ସନ୍ଦେହ ରହିଛି, ଯାହା ରୋଗୀଙ୍କ ଚିକିତ୍ସାକୁ ପ୍ରଭାବିତ କରିପାରେ। ଏହାର ଜବାବରେ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ସରକାରଙ୍କୁ ଜେନେରିକ ଔଷଧର ଗୁଣବତ୍ତା ଓ ଯୋଗାଣ ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ପଡ଼ିବ।
ସୋଶିଆଲ ମିଡିଆରେ ଏହି ନିର୍ଦ୍ଦେଶକୁ ନେଇ ମିଶ୍ରିତ ପ୍ରତିକ୍ରିୟା ଦେଖାଯାଇଛି। ଅନେକ ଲୋକେ ଏହାକୁ ସ୍ୱାଗତ କରିଥିବା ବେଳେ, କେତେକ ଜେନେରିକ ଔଷଧର ପ୍ରଭାବଶାଳୀତା ଓ ଉପଲବ୍ଧତା ନେଇ ପ୍ରଶ୍ନ ଉଠାଇଛନ୍ତି। ଏହି ନିଷ୍ପତ୍ତି ଦେଶର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି।
ଉଲ୍ଲେଖଯୋଗ୍ୟ, ଦୁଇ ବର୍ଷ ତଳେ ଜାତୀୟ ଗଣମାଧ୍ୟମ ଭାସ୍କରରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ନେସନାଲ୍ ମେଡିକଲ୍ କମିଶନ୍ (NMC)ର ନିୟମମାନେ ଅନୁସାରେ, ଏବେ ଡାକ୍ତରମାନେ ପ୍ରେସକ୍ରାଇବରେ ଜେନେରିକ୍ ଔଷଧ ଲେଖିବାକୁ ହେବ। ସହଜ ଭାଷାରେ କହିଲେ ଡାକ୍ତରମାନେ ପ୍ରେସକ୍ରାଇବରେ କେବଳ ଔଷଧର ନାମ ଲେଖିବେ । କୌଣସି ବ୍ରାଣ୍ଡର ଔଷଧ ଲେଖିବେ ନାହିଁ। ଯେଉଁ ଡାକ୍ତରମାନେ ଏପରି ନକରିବେ ତାଙ୍କ ଲାଇସେନ୍ସ ମଧ୍ୟ ରଦ୍ଦ କରାଯିବ। କିନ୍ତୁ ଏହି ନିୟମ କେବଳ ଧୂଆଁବାଣ ପରି ଏବେ ଦେଖିବାକୁ ମିଳୁଛି ।
Comments are closed.