ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ କଥାମୃତ ଶ୍ରବଣ ମନନ ଓ ଚିନ୍ତନ କରୁଥିବା ବ୍ୟକ୍ତି ବିଶେଷ ଯେ ଜଣେ ଜଣେ ସଜ୍ଜନ ଏହା ନିଃସନ୍ଦେହରେ କୁହାଯାଇପାରେ। କାରଣ ସତସଙ୍ଗ ପ୍ରାଣୀଙ୍କ ମନରୁ ସମସ୍ତ ପ୍ରକାର ବିକାର, ଯଥା କାମନା, ବାସନା ଦୁଶ୍ଚିନ୍ତା ଇତ୍ୟାଦି ଦୂର କରିବା ସହିତ କୁସଙ୍ଗ ଜନିତ ପ୍ରଭାବରୁ ମୁକ୍ତ ରଖେ।
ସେଥିପାଇଁ ଆମେ ପୂର୍ବରୁ ଆଲୋଚନା କରିଥିଲେ ଯେ ଭଗବାନଙ୍କ ସଙ୍ଗ ଲାଭର ବିକଳ୍ପ ମାଧ୍ୟମ ହେଉଛି ସାଧୁ ସନ୍ଥଙ୍କ ସଙ୍ଗ ଲାଭ। ସାଧୁ ସନ୍ଥଙ୍କ ସଙ୍ଗ ଲାଭ ଆମକୁ ଈଶ୍ୱରଙ୍କ ସଦୃଶ୍ୟ ମାୟା ସଂସାରର କଳୁଷିତ ବାତାବରଣରୁ ଉଦ୍ଧାର କରି ମୁକ୍ତିର ବାଟ ଦେଖାଇ ପାରନ୍ତି। ଯଥା
ଦେଖ ଏ ସଂସାର ସାଗର।
ଅତି ଉତ୍କଟ ଭୟଙ୍କର।।
କର୍ମ ବାସନା ରଜ୍ଜୁ ବାନ୍ଧି।
ଜୀବ ସଞ୍ଚରେ ନିରଵଧି।।
ପୁଣି ଉଠଇ ପୁଣି ବୁଡ଼େ।
ନିଗମ ପଥ ନୀତି ହୁଡ଼େ।।
ଏ ଘୋର ସଂସାର ତରଙ୍ଗ।
ନିସ୍ତାର ହେତୁ ସାଧୁ ସଙ୍ଗ।
ଈଶ୍ୱରଙ୍କ ପରେ ଜୀବଙ୍କୁ ଭବ ସାଗରରୁ ମୁକ୍ତି ଦେବାର ଶକ୍ତି ଯାହାର ଅଛି ସେ ହେଲେ ସ୍ୱୟଂ ସାଧୁ ସନ୍ଥଙ୍କ ସହ ସତସଙ୍ଗ। ସେଥିପାଇଁ ଭାଗବତରେ ଶ୍ରୀଜଗନ୍ନାଥ ଦାସ କହିଲେ
“ଏଣୁ ଯେ କରେସାଧୁ ସଙ୍ଗ।
ସେ ତରେ ଏ-ଭବ-ତରଙ୍ଗ।।”
ନାରଦ ପଞ୍ଚରାତ୍ରରେ ଏକ ଅତି ସୁନ୍ଦର ବିଷୟ ବା ଉପଦେଶ ବର୍ଣ୍ଣିତ
ସର୍ବୋପାଧିବିନମୁକ୍ତଂ ତତ୍ପରତ୍ୱେନ ନିର୍ମଳମ୍, ହୃଷିକେଶ ହୃଷିକେଶ ସେବନଂ ଭକ୍ତିରୁଚ୍ୟତେ”
ଅର୍ଥାତ ନିଜର ଇନ୍ଦ୍ରିୟ ମାନଙ୍କୁ ବିମୁକ୍ତ କରି ଭଗବତ କାର୍ଯ୍ୟରେ ନିୟୋଜିତକରି କେବଳ ହୃଷିକେଶଙ୍କ ଚିନ୍ତା ଓ ସେବାରେ ଲଗାଇଦେବା ହିଁ ପ୍ରକୃତ ଭକ୍ତି। ଆସନ୍ତୁ ତେବେ ସେହି ନିର୍ମଳ ଭକ୍ତି ଅର୍ଘ୍ୟ ଢାଳିଦେବା ଶ୍ରୀମଦ
ଭାଗବତଙ୍କ ଚରଣରେ।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ)
Comments are closed.