Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୨୬: ଅବିନାଶୀ ତତ୍ତ୍ୱଙ୍କୁ ଚି଼ହ୍ନାଇ ଦେଇ ଭୋଗୀ ମଣିଷଙ୍କୁ ଯୋଗୀରେ ପରିଣତ କରେ ଭାଗବତ

ଲେଖକ: ଦୟାନିଧି ତ୍ରିପାଠୀ

ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କ ସଂଗତି କୌଣସି ସତସଙ୍ଗ ଠାରୁ କମ ନୁହେଁ। କାରଣ ଏହା ଅବିନାଶୀ ତତ୍ତ୍ୱଙ୍କୁ ଚି଼ହ୍ନାଇ ଦେଇ ଭୋଗୀ ମଣିଷଙ୍କୁ ଯୋଗୀରେ ପରିଣତ କରିଦିଏ। ଶ୍ରୀମଦ ଭାଗବତରେ ପ୍ରଦତ୍ତ ଉପଦେଶ ଗୁଡିକ ଭବରୋଗ ଦୂର କରିବା ପାଇଁ ଔଷଧ ରୂପେ କାମ କରିଥାଏ। ଯଥା “ସତାଂ ସଙ୍ଗ ହି ଭେଷଜମ୍ “। ଶ୍ରୀମଦ ଭାଗବତ ଭଳି ଜ୍ଞାନ ଗଙ୍ଗାରେ ନିତି ସ୍ନାନ କରୁଥିବା ବ୍ୟକ୍ତିଙ୍କୁ ଦାନ, ତୀର୍ଥ, ତପସ୍ୟା ଆଦିର ପ୍ରୟୋଜନ ନଥାଏ।

ଏହାମଧ୍ୟ ପଢନ୍ତୁ: https://odishasambad.in/shrimad-bhagwat-katha-25-an-alternative-way-to-attain-the-company-of-god-is-to-attain-the-company-of-saints/

ଶାସ୍ତ୍ର କହେ “ଯଃ ସ୍ନାତଃ ଶୀସିତୟା ସାଧୁ ସଂଗତି ଗଙ୍ଗୟା, କିଂ ତସ୍ୟ ଦାନୈଃ କିଂ ତୀର୍ଥେଃ କିଂ ତପୋଭିଃ କମଧ୍ଵରେିଃ”

ଏତେ ବଡ଼ କଥା କହିବାର ପ୍ରମାଣ ହେଲା ମଣିଷ ତା ଜୀବନ ଚର୍ଯ୍ୟାର ସମ୍ବିଧାନ ଭାବେ ଶ୍ରୀମଦ ଭାଗବତଙ୍କୁ ଗ୍ରହଣ କଲେ ବା ଜୀବନ ସଂସ୍କାର ପାଇଁ ଭାଗବତଙ୍କୁ ଆଶ୍ରୟ କଲେ ଏ ମାୟା ସଂସାର ମଧ୍ୟରେ ଅନନ୍ଦରେ କାଳ କାଟିପାରେ। ଶ୍ରୀଜଗନ୍ନାଥ ଦାସଙ୍କ ଭାଷାରେ
“ସେ ଭାଗବତ ହରିଗୁଣ
ବ୍ରହ୍ମ ସମ୍ମତ ଯେ ପୁରାଣ।।
ଏକାନ୍ତେ କହିଲେ ମୁରାରୀ।
ବିଶ୍ୱ ସଂସାରେ ଦୟା କରି।।”
କେବଳ ଶ୍ରୀକୃଷ୍ଣଙ୍କ ମୁଖ ନିସୃତ ବାଣୀ ନୁହେଁ, ତାଙ୍କରି ଅପୂର୍ଵ ଲୀଳା ଓ ନାମ କୀର୍ତ୍ତନରେ ଭରା ଏହି ଗ୍ରନ୍ଥ ଅତ୍ୟନ୍ତ ଲକ୍ଷଣ ଯୁକ୍ତ। କୁହାଯାଏ ଦଶ ଲକ୍ଷଣ ଯୁକ୍ତ ଏହି ଶ୍ରୀମଦ ଭାଗବତ। କାରଣ ଶ୍ରୀମଦ ଭାଗବତଙ୍କ ତୃତୀୟ ସ୍କନ୍ଦଠାରୁ ଦ୍ୱାଦଶ ସ୍କନ୍ଦ ଆଲୋଚନା ଭିତରେ ପ୍ରତ୍ୟେକ ଗୋଟିଏ ଗୋଟିଏ ଲକ୍ଷଣ ବିଷୟରେ ଆଲୋଚନା ସନ୍ନିବେସିତ ହୋଇଛି ଏଵେ କେବଳ।
ସର୍ଗବିସର୍ଗ ଯେଵା ସ୍ଥାନ।
ପୋଷଣ ଉତ୍ତି ପରିମାଣ।।
ଯେ ମନ୍ୱନ୍ତର ଈଶ କଥା।
ନିରୋଧ ମୁକ୍ତିର ବ୍ୟବସ୍ଥା।।
ଆଶ୍ରୟ ମିଶି ଦଶ ଗୁଣ।
ଏ ଭାଗବତର ଲକ୍ଷଣ।।
ନିଶ୍ଚୟ ଜାଣିବା ଏହି ତତ୍ୱ ମାନଙ୍କୁ କିନ୍ତୁ ଏଵେ ଜାଣିବା ଶ୍ରୀମଦ ଭାଗବତଙ୍କୁ।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ )

Comments are closed.