Latest Odisha News

BREAKING NEWS

ଚାଲିଛି କି ଷଡ଼ଯନ୍ତ୍ର! କରାଚୀରେ ପହଞ୍ଚିଲା ତୁର୍କୀ ଯୁଦ୍ଧ ଜାହାଜ,ପାକ୍ ସେନା କଲା ସ୍ବାଗତ

ନୂଆଦିଲ୍ଲୀ:ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନେଇ ଦିଲ୍ଲୀରେ ଏକାଧିକ ବୈଠକ ଚାଲିଛି। ତେବେ ଏହି ସମୟରେ ତୁର୍କୀ ନିଜର ଏକ ଯୁଦ୍ଧଜାହାଜ କରାଚୀକୁ ପଠାଇଛି। ପାକିସ୍ତାନୀ ସୈନିକମାନେ ଏହି ଯୁଦ୍ଧଜାହାଜକୁ ସ୍ୱାଗତ କରିଥିଲେ।

ଏପରି ପରିସ୍ଥିତିରେ,କରାଚୀରେ ତୁର୍କୀ ଜାହାଜର ଆଗମନ ଭାରତକୁ ସନ୍ଦେହରେ ପକେଇଛି । ଭାରତ ପାକିସ୍ତାନକୁ ଆତଙ୍କବାଦୀ ଆକ୍ରମଣର ଜବାବ ଦେବାକୁ ରଣନୀତି ପ୍ରସ୍ତୁତ କରୁଥିବାବେଳେ ତୁର୍କୀର ଏହି ପଦକ୍ଷେପ ଭାରତ ପାଇଁ ଗୁରୁତ୍ଵପୂର୍ଣ୍ଣ ହୋଇପଡ଼ିଛି।

ସୂଚନାଥାଉକି, ପାକିସ୍ତାନକୁ ସମୟ ସମୟରେ ତୁର୍କୀ ସାହାଯ୍ୟ କରିଥାଏ। ତୁର୍କୀ ନୌସେନା ଯୁଦ୍ଧଜାହାଜ ‘ଟିସିଜି ବୁୟୁକାଡା’ (TCG Buyukada) ପାକିସ୍ତାନରେ ପହଞ୍ଚିଛି। ଏ ସମ୍ପର୍କରେ, ପାକିସ୍ତାନ ନୌସେନା (DGPR) ରବିବାର ଏକ ବିବୃତ୍ତି ଜାରି କରି କହିଛି ଯେ, ଟିସିଜି ବୁୟୁକାଡାର ସଦଭାବନା ଗସ୍ତ ପାକିସ୍ତାନ ଏବଂ ତୁର୍କୀ ମଧ୍ୟରେ ନିରନ୍ତର ସୁଦୃଢ଼ ​​ହେଉଥିବା ସାମୁଦ୍ରିକ ସହଯୋଗର ପ୍ରମାଣ। ଏହା ଐତିହାସିକ ଏବଂ ସାଂସ୍କୃତିକ ସମ୍ପର୍କ ଉପରେ ଆଧାରିତ ଦୁଇ ଭାଇଚାରା ଦେଶ ମଧ୍ୟରେ ଗଭୀର ପାରସ୍ପରିକ ବିଶ୍ୱାସ ଏବଂ ରଣନୈତିକ ସହଭାଗୀତାକୁ ପ୍ରତିଫଳିତ କରେ।

ଏହି ଘଟଣାକ୍ରମ ଭାରତ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ କାରଣ, ତୁର୍କୀ ଦୀର୍ଘ ସମୟ ଧରି ପାକିସ୍ତାନର ଏକ ରଣନୈତିକ ସହଯୋଗୀ ରହିଆସିଛି। ପାକିସ୍ତାନର ବୁଡ଼ାଜାହାଜକୁ ଆଧୁନିକୀକରଣ କରିବାରେ ଏବଂ ସାମରିକ ଡ୍ରୋନ ସମେତ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଯୋଗେଇଛି ତୁର୍କୀ । ଦୁଇ ଦେଶ ମଧ୍ୟରେ ନିୟମିତ ଭାବରେ ମିଳିତ ସାମରିକ ଅଭ୍ୟାସ ମଧ୍ୟ ହୋଇଛି।

ଭାରତ ଏବଂ ତୁର୍କୀ ମଧ୍ୟରେ ସମ୍ପର୍କ ଗତ କିଛି ବର୍ଷ ଧରି ଉତ୍ଥାନ-ପତନରେ ପରିପୂର୍ଣ୍ଣ ରହିଛି। ଐତିହାସିକ ଭାବରେ, ଦୁଇ ଦେଶ ମଧ୍ୟରେ ସାଂସ୍କୃତିକ ଏବଂ ବାଣିଜ୍ୟିକ ସମ୍ପର୍କ ରହିଛି କିନ୍ତୁ କାଶ୍ମୀର ଉପରେ ତୁର୍କୀର ମତକୁ ନେଇ ଭାରତ ବାରମ୍ବାର ଆପତ୍ତି ଉଠାଇଛି।

ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏର୍ଡୋଗାନ ଜାତିସଂଘ ଭଳି ମଞ୍ଚରେ କାଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି, ଯାହାକୁ ଭାରତ ଆଭ୍ୟନ୍ତରୀଣ ମାମଲା ଭାବରେ ପ୍ରତ୍ୟାଖ୍ୟାନ କରିଛି।

Comments are closed.