ପୁଞ୍ଚ: ପହଲଗାମ୍ ଆକ୍ରମଣ ପରେ ଜମ୍ମୁ କଶ୍ମୀରର ଚପ୍ପାଚପ୍ପା ଛାନ୍ ମାରୁଛି ସେନା ଏବଂ ଜମ୍ମୁ କଶ୍ମୀର ପୋଲିସ। ଆତଙ୍କୀଙ୍କୁ ଖୋଜି ଖୋଜି ସମାପ୍ତ କରିବାର ପାନ ନେଇଛନ୍ତି। ଏହାରି ଭିତରେ ଅନେକ ଆତଙ୍କବାଦୀଙ୍କ ଆଡ୍ଡା ଧ୍ଵଂସ କଲାଣି । ଏହି କ୍ରମରେ ପୁଣି ସେନା ଏବଂ ଜାମ୍ମୁ କାଶ୍ମୀର ପୋଲିସର ମିଳିତ ଅଭିଯାନରେ ଟିଫିନ୍ ବାକ୍ସ ଏବଂ ବାଲ୍ଟିରେ ଲୁଚାଇ ରଖାଯାଇଥିବା ଆଇଇଡି ଜବତ ହୋଇଛି।
ମିଳିଥିବା ସୂଚନା ମୁତାବକ, ପହଲଗାମ୍ ଆକ୍ରମଣ ପରେ କାର୍ଯ୍ୟାନୁଷ୍ଠାନ ଜୋରସୋରରେ ଚାଲିଥିବା ବେଳେ ଜମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀ ପୁଞ୍ଚ ଜିଲ୍ଲାର ଏକ ଆତଙ୍କବାଦୀ ଆଡ୍ଡାରୁ ପାଞ୍ଚଟି ଇମ୍ପ୍ରୋଭାଇଜ୍ଡ ବିସ୍ଫୋରକ ଉପକରଣ (ଆଇଇଡି) ଉଦ୍ଧାର କରିଛନ୍ତି।ଏକ ମିଳିତ ସନ୍ଧାନ ଅଭିଯାନରେ, ସେନା ଏବଂ ଜାମ୍ମୁ କାଶ୍ମୀର ପୋଲିସ ପୁଞ୍ଚର ସୁରନକୋଟର ଜଙ୍ଗଲ ଅଞ୍ଚଳରେ ଥିବା ଆଡ୍ଡାକୁ ଖୋଳତାଡ କରିଛନ୍ତି। ଉଦ୍ଧାର ହୋଇଥିବା ଆଇଇଡି,ତିନୋଟି ଟିଫିନ୍ ବାକ୍ସରେ ଲୁଚାଇ ରଖାଯାଇଥିବା ବେଳେ ଷ୍ଟିଲ୍ ବାଲ୍ଟିରେ ଦୁଇଟି ଲୁଚାଇ ରଖିଥିଲେ ଆତଙ୍କୀ। ଏଥିସହିତ ସୁରକ୍ଷା ବାହିନୀ ଘଟଣାସ୍ଥଳରୁ ଯୋଗାଯୋଗ ଉପକରଣ ଏବଂ ଅନ୍ୟାନ୍ୟ ଅପରାଧିକ ସାମଗ୍ରୀ ମଧ୍ୟ ଜବତ କରିଛି।
ଏହାକୁ ନେଇ ବରିଷ୍ଠ ଅଧିକାରୀମାନେ କହିଛନ୍ତି,ପୋଲିସ କର୍ତ୍ତୃପକ୍ଷ ସମଗ୍ର ଉପତ୍ୟକାରେ ବଡ଼ ଧରଣର ଆତଙ୍କବାଦ ବିରୋଧୀ ଅଭିଯାନ ଆରମ୍ଭ କରିଛନ୍ତି। ସନ୍ଦିଗ୍ଧ ଆଡ୍ଡା ଉପରେ ଚଢାଉ କରିଛନ୍ତି, ଆତଙ୍କବାଦୀଙ୍କ ଦ୍ୱାରା ବ୍ୟବହୃତ ଆଶ୍ରୟସ୍ଥଳଗୁଡ଼ିକୁ ଭାଙ୍ଗି ଦେଇଛନ୍ତି ଏବଂ ପଚରାଉଚରା ପାଇଁ ଶହ ଶହ ଆତଙ୍କବାଦୀ ସହଯୋଗୀଙ୍କୁ ଅଟକ ରଖିଛନ୍ତି। ପୁଞ୍ଚରେ ଏହି ଅଭିଯାନ ଜମ୍ମୁ ଏବଂ କାଶ୍ମୀରରେ କରାଯାଉଥିବା ଅନେକ କାର୍ଯ୍ୟ ମଧ୍ୟରୁ ଅନ୍ୟତମ । କାରଣ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କ ଜଣାଶୁଣା ସହଯୋଗୀ ଏବଂ ସମର୍ଥକଙ୍କୁ ଟାର୍ଗେଟ କରୁଛନ୍ତି। ଏହା ଆତଙ୍କବାଦକୁ ସକ୍ଷମ କରୁଥିବା ଇକୋସିଷ୍ଟମକୁ ଭାଙ୍ଗିବା ଏବଂ ପହଲଗାମ୍ ଆକ୍ରମଣ ପରେ ଏକ ସ୍ପଷ୍ଟ ପ୍ରତିରୋଧକ ବାର୍ତ୍ତା ପଠାଇବା ପାଇଁ ଏକ ବ୍ୟାପକ ପ୍ରୟାସର ଅଂଶ ବୋଲି କହିଛନ୍ତି ସେଠିକା ଅଧିକାରୀ।
ସୂଚନାଯୋଗ୍ୟ, ୨୨ ଏପ୍ରିଲରେ ଅନନ୍ତନାଗ ଜିଲ୍ଲାର ପହଲଗାମ ନିକଟରେ ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ବୈସାରଣରେ ଆତଙ୍କବାଦୀମାନେ ଆକ୍ରମଣ କରି ଗୁଳି ଚଳାଇ ୨୬ ଜଣଙ୍କର ଜୀବନ ନେଇଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଅନ୍ୟ ରାଜ୍ୟର ପର୍ଯ୍ୟଟକ ଥିଲେ। ଏହି ଆକ୍ରମଣ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନାକୁ ବୃଦ୍ଧି କରିଛି। ନୂଆଦିଲ୍ଲୀ ହିଂସା ପାଇଁ ସୀମାପାର ତତ୍ତ୍ୱଗୁଡ଼ିକୁ ଦାୟୀ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରି ପ୍ରତିଶୋଧ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ହତ୍ୟାକାରୀମାନଙ୍କୁ ପୃଥିବୀର ଶେଷ ପର୍ଯ୍ୟନ୍ତ ପିଛା କରାଯିବ ବୋଲି କହିଛନ୍ତି। ଏହା ପରେ ସୁରକ୍ଷା ବାହିନୀ ପହଲଗାମ ଶୈଳୀର ହତ୍ୟାକାଣ୍ଡର ପୁନରାବୃତ୍ତିକୁ ରୋକିବା ଉପରେ ବିଶେଷ ଧ୍ୟାନ ଦେଇ ଗୁପ୍ତ ସୂଚନା ସଂଗ୍ରହ ଏବଂ ଭୂମି ଅଭିଯାନକୁ ଆହୁରି ବୃଦ୍ଧି କରିଛନ୍ତି।
Comments are closed.