ଭୁବନେଶ୍ଵର: ସରକାରୀ ହସ୍ପିଟାଲମାନଙ୍କରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଦୃଢ଼ୀଭୂତ କରିବା ଉପରେ ରାଜ୍ୟ ସରକାର ଗୁରୁତ୍ଵ ଆରୋପ କରିଛନ୍ତି। ଆସନ୍ତା ୧୫ ଦିନ ମଧ୍ୟରେ କ୍ଷେତ୍ର ସ୍ତରୀୟ ଯାଞ୍ଚ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ବିଶେଷତଃ ହସ୍ପିଟାଲମାନଙ୍କରେ ଥିବା ଅସ୍ତ୍ରୋପଚାର କକ୍ଷ, ଆଇ.ସି.ୟୁ, ନବଜାତମାନଙ୍କ ପାଇଁ ସ୍ଵତନ୍ତ୍ର ଯତ୍ନ ୟୁନିଟ, ସିଟିସ୍କାନ ଓ ଏମ୍.ଆର.ଆଇ ଯନ୍ତ୍ର ଭଳି ଉଚ୍ଚ ବିଦ୍ୟୁତ୍ ଶକ୍ତି ସମ୍ପନ୍ନ ଉପକରଣ ଲାଗିଥିବା ସ୍ଥାନମାନଙ୍କରେ ଅଗ୍ରାଧିକାର ଭିତ୍ତିରେ ଅଗ୍ନି ନିରାପତ୍ତା ଦୃଢ଼ୀଭୂତ କରିବା ନିମନ୍ତେ ଶ୍ରୀମୟୀ ଅଶ୍ଵତୀ ନିର୍ଦ୍ଦେଶ ଦେଇଛନ୍ତି । ହସ୍ପିଟାଲର ବିଦ୍ୟୁତ ଓୟାରିଂ ସହ ଜେନେରେଟର ସଂଯୋଗୀକରଣ ସ୍ଥାନରେ ବୈଦ୍ୟୁତିକ ଓ ଅଗ୍ନି-ନିରାପତ୍ତାକୁ ସଠିକ୍ ଯାଞ୍ଚ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ପ୍ରତି ଜିଲ୍ଲାରେ ମୁଖ୍ୟ ଚିକିତ୍ସା ଅଧିକାରୀ, ଜିଲ୍ଲା ଅଗ୍ନିଶମ ଅଧିକାରୀ, ବିଦ୍ୟୁତ୍ ନିରୀକ୍ଷକ, ରାସ୍ତା ଓ କୋଠାବାଡ଼ି ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ନେଇ ମିଳିତ କମିଟି ଗଠନ କରାଯାଇଛି । ଆସନ୍ତା ୧୫ ଦିନ ମଧ୍ୟରେ କ୍ଷେତ୍ର ସ୍ତରୀୟ ଯାଞ୍ଚ ସାରି ଆବଶ୍ୟକୀୟ କାର୍ଯ୍ୟ-ଯୋଜନା ସହ ଶୂନ୍ୟସ୍ଥାନର ସଠିକ୍ ଚିହ୍ନଟ ଓ ସେଗୁଡ଼ିକର ସଂଶୋଧନ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ପାଇଁ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଅଶ୍ଵତୀ ଏସ. ନିର୍ଦ୍ଦେଶ ଦେଇଥିଲେ।
ସେହିପରି ଅଗ୍ନି-ନିରାପତ୍ତା ପାଇଁ ସଂଶୋଧନାତ୍ମକ ବ୍ୟବସ୍ଥାପନ କାର୍ଯ୍ୟ ସମୟାନୁବନ୍ଧିତ ଭାବେ ପୂର୍ଣ୍ଣାଙ୍ଗ କରିବାକୁ ଶାସନ ସଚିବ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
Comments are closed.