Latest Odisha News

BREAKING NEWS

ଚଳିତ ଆଇପିଏଲ ସିଜିନ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦେଖି ବିସିସିଆଇ ଏକ ବଡ଼ ନିଷ୍ପତ୍ତି ନେଇଛି। ଆଇପିଏଲ ୨୦୨୫କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ବିସିସିଆଇ (ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ) ଏବଂ ଆଇପିଏଲ ପରିଚାଳନା ସଂସ୍ଥା ଦ୍ୱାରା ନିଆଯାଇଥିବା ଏହି ନିଷ୍ପତ୍ତି ଦେଶରେ ସୃଷ୍ଟ ଅସ୍ଥିର ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଘୋଷଣା କରାଯାଇଛି। ଆଜିଠାରୁ କୌଣସି ମ୍ୟାଚ୍ ହେବ ନାହିଁ। ଏବେ ବିସିସିଆଇର ପ୍ରଥମ ପ୍ରାଥମିକତା ହେଉଛି ବିଦେଶୀ ଖେଳାଳିମାନଙ୍କୁ ତାଙ୍କର ଘରକୁ ପଠାଇବା। ବିସିସିଆଇ ଖୁବ୍‌ଶୀଘ୍ର ନୂତନ ତାରିଖ ଘୋଷଣା କରିବ।

ଫ୍ରାଞ୍ଚାଇଜ୍ ବିଦେଶୀ ଖେଳାଳିମାନଙ୍କୁ ମଧ୍ୟ ପରିସ୍ଥିତି ବିଷୟରେ ଅବଗତ କରାଉଛି। ସେମାନଙ୍କୁ ତାଙ୍କର ଘରୁକୁ ପଠାଇବାର ବ୍ୟବସ୍ଥା କରାଯାଉଛି ବୋଲି ମଧ୍ୟ ସେମାନଙ୍କୁ ଆଶ୍ୱାସନା ଦିଆଯାଇଥିଲା।

ଲିଗ୍ ସ୍ଥଗିତ ରଖିବା ସମ୍ପର୍କରେ ବିସିସିଆଇର ଜଣେ ଅଧିକାରୀ ପିଟିଆଇକୁ କହିଛନ୍ତି, “ଦେଶରେ ଯୁଦ୍ଧରେ ପରିସ୍ଥିତି ବେଳେ ଯଦି କ୍ରିକେଟ୍ ଖେଳ ଜାରି ରହିବ ତାହା ଠିକ୍ ନୁହେଁ ।”

ଗତକାଲି ପାକିସ୍ତାନର ଆକ୍ରମଣ ଯୋଗୁଁ ଧର୍ମଶାଳାରେ ଆଇପିଏଲ୍ ମ୍ୟାଚ୍ ବାତିଲ କରାଯାଇଥିଲା। ଏହି ମ୍ୟାଚ୍ ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଥିଲା। ସୁରକ୍ଷା କାରଣରୁ ଏହି ପଦକ୍ଷେପ ନିଆଯାଇଥିଲା। ଏପରିକି ହଠାତ୍ ଖେଳ ବନ୍ଦ ହେବା ସହ ଅମ୍ପାୟାର ଏବଂ ଖେଳାଳିମାନଙ୍କୁ ପଡ଼ିଆ ଛାଡିବାକୁ କୁହାଯାଇଥିଲା। ଏହା ପରେ ପଡ଼ିଆର ଫ୍ଲଡଲାଇଟ୍ ବନ୍ଦ କରିଦିଆଯାଇଥିଲା ଏବଂ ଦର୍ଶକମାନଙ୍କୁ ମଧ୍ୟ ବାହାର କରାଯାଇଥିଲା। ଖେଳାଳିମାନଙ୍କୁ ଧର୍ମଶାଳାରୁ ଦିଲ୍ଲୀ ଆଣିବା ପାଇଁ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଲାଯାଇଥିଲା।

ଗତ ଗୁରୁବାର ପାକିସ୍ତାନ ଜମ୍ମୁରୁ ଜୈସଲମେର ପର୍ଯ୍ୟନ୍ତ ଅନେକ ସହର ଉପରେ ଆକ୍ରମଣ କରିଛି। ଭାରତୀୟ ସେନା ସମସ୍ତ ଆକ୍ରମଣକୁ ସଫଳତାର ସହ ପଣ୍ଡ କରିଛନ୍ତି। ତେବେ ଏହି ଆକ୍ରମଣ ପରେ ସୀମାରେ ଅବସ୍ଥିତ ବିଭିନ୍ନ ସହରରେ ବ୍ଲାକଆଉଟ୍ ଘୋଷଣା କରାଯାଇଥିଲା।

 

Comments are closed.