ଶ୍ରୀନଗର: ପୁଣିଥରେ, ପାକିସ୍ତାନ ଦ୍ୱାରା ସୀମା ପାରରୁ ଅସ୍ତ୍ରବିରତି ଉଲ୍ଲଂଘନର ନୂତନ ଘଟଣା ସାମ୍ନାକୁ ଆସିଛି । ଶୁକ୍ରବାର ସନ୍ଧ୍ୟାରେ ଉରି ସେକ୍ଟରରେ ପ୍ରବଳ ଗୁଳିବର୍ଷା ଆରମ୍ଭ କରିଦେଇଛି ପାକିସ୍ତାନ, ଯାହା ଫଳରେ ସୀମାବର୍ତ୍ତୀ ଅଞ୍ଚଳରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି । ଏହା ପରେ, ପାକିସ୍ତାନ ପୁଞ୍ଚ ଏବଂ କୁପୱାଡା ସେକ୍ଟରରେ ମଧ୍ୟ ସୀମା ପାର କରି ଗୁଳି ଚଳାଇଛି । ସୀମା ଆରପାରିରୁ ମୋର୍ଟାର ମାଡ଼ କରାଯାଇଛି । ସେନା ସୂତ୍ର ଅନୁଯାୟୀ, ପାକିସ୍ତାନ ଦ୍ୱାରା ଜାଣିଶୁଣି ସାଧାରଣ ନାଗରିକ ଅଞ୍ଚଳଗୁଡ଼ିକୁ ଟାର୍ଗେଟ କରାଯାଉଛି ।
ଜମ୍ମୁ ବିମାନବନ୍ଦରର ସାଇରନ୍ ବାଜିବା ପରେ, ଅଞ୍ଚଳରେ ଏକ ପ୍ରକାରର ଭୟର ପରିବେଶ ସୃଷ୍ଟି ହୋଇଥିଲା । ସ୍ଥାନୀୟ ଲୋକମାନେ ଶୀଘ୍ର ସେମାନଙ୍କର ଦୋକାନ ବନ୍ଦ କରି ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି । ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ରଜୌରୀ ଜିଲ୍ଲାର ସମସ୍ତ ଦୋକାନ ବନ୍ଦ କରିଦିଆଯାଇଛି । ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି ।
ସାମରିକ ସୂତ୍ର ଅନୁଯାୟୀ, ପାକିସ୍ତାନ ସେନା ଦ୍ୱାରା ୧୦ ରୁ ୧୨ ରାଉଣ୍ଡ ପ୍ରବଳ ଗୁଳିବର୍ଷା କରାଯିବା ପରେ ପୁଞ୍ଚ ସେକ୍ଟରରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଯାଇଛି । ନିୟନ୍ତ୍ରଣ ରେଖା ନିକଟରେ ଦୁଇଟି ତୋପ ସେଲ୍ ପଡ଼ିଥିବା ମଧ୍ୟ ନିଶ୍ଚିତ ହୋଇଛି । ଯଦିଓ ଏପର୍ଯ୍ୟନ୍ତ କୌଣସି ଧନ ଜୀବନ ହାନୀ ନେଇ ସୂଚନା ନାହିଁ ତଥାପି ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି । ନିରନ୍ତର ଗୁଳିବର୍ଷାକୁ ଦୃଷ୍ଟିରେ ରଖି, ସେନା ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକୁ ହାଇ ଆଲର୍ଟରେ ରଖାଯାଇଛି । ସୀମାନ୍ତ ଗ୍ରାମଗୁଡ଼ିକରେ ବଙ୍କରଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି ଏବଂ ଲୋକଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
Comments are closed.