Latest Odisha News

BREAKING NEWS

ଖୁବଶୀଘ୍ର ଆରମ୍ଭ ହୋଇପାରେ ଆଇପିଏଲ୍‌

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ସାମରିକ ଉତ୍ତେଜନାକୁ ଦୃଷ୍ଟିରେ ରଖି ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)-୨୦୨୫କୁ ଶୁକ୍ରବାରଠାରୁ ସ୍ଥଗିତ ରଖାଯାଇଥିଲା। ଶନିବାର ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଘୋଷଣା ପରେ ସ୍ଥଗିତ ରହିଥିବା ଆଇପିଏଲ ଖୁବଶୀଘ୍ର ଆରମ୍ଭ ହେବ ବୋଲି କୁହାଯାଉଛି।

ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇଥିବା ଆଇପିଏଲ-୨୦୨୫ ମେ ୨୫ରେ କଲକାତାରେ ଶେଷ ହେବାର କାର୍ଯ୍ୟସୂଚୀ ରହିଛି। ଏବେ ସୁଦ୍ଧା ୫୭ଟି ମ୍ୟାଚ ଶେଷ ହୋଇଛି। ୮ରେ ଧର୍ମଶାଳାରେ ପଞ୍ଜାବ କିଙ୍ଗ୍‌ସ ଓ ଦିଲ୍ଲୀ କ୍ୟାପିଟାଲ୍‌ସ ମଧ୍ୟରେ ଆୟୋଜିତ ମ୍ୟାଚକୁ ଅଧାରୁ ସ୍ଥଗିତ କରିଦିଆଯାଇଛି। ଉକ୍ତ ମ୍ୟାଚର ଫଳାଫଳ ଘୋଷଣା କରାଯାଇନାହିଁ। ଯଦି ଉକ୍ତ ମ୍ୟାଚ ଯେଉଁଠାରୁ ସ୍ଥଗିତ ରହିଛି ସେହିଠାରୁ ଆରମ୍ଭ ହୁଏ ତେବେ ମୋଟ୍‌ ୧୭ଟି ମ୍ୟାଚ ଖେଳାଯିବ। ଯଦି ଉକ୍ତ ମ୍ୟାଚକୁ ବାତିଲ କରିଦିଆଯାଏ ତେବେ ଆଉ ୧୬ଟି ମ୍ୟାଚ ଖେଳାଯିବ।

ସମ୍ଭବତଃ ସ୍ଥଗିତ ଥିବା ଆଇପିଏଲର ଅବଶିଷ୍ଟ ମ୍ୟାଚ ଚଳିତ ମେ ୧୫କିମ୍ବା ୧୬ରୁ ଆରମ୍ଭ ହେବା ନେଇ ବିସିସିଆଇ ଯୋଜନା କରୁଥିବା ଜଣାପଡ଼ିଛି। ଆଇପିଏଲର ଅବଶିଷ୍ଟ ମ୍ୟାଚ କଲକାତା ଓ ଦକ୍ଷିଣ ଭାରତରେ ଆୟୋଜନ ନେଇ ବିସିସିଆଇ ଯୋଜନା କରୁଛି। ଦକ୍ଷିଣ ଭାରତ ରାଜ୍ୟ ଚେନ୍ନଇ, ହାଇଦରାବାଦ୍‌ ଓ ବେଙ୍ଗାଲୁରୁ ସହ ପୂର୍ବାଞ୍ଚଳ ରାଜ୍ୟ କଲକାତାରେ ଅବଶିଷ୍ଟ ମ୍ୟାଚ ଆୟୋଜନ ନେଇ ବିସିସିଆଇ ଚିନ୍ତା କରୁଛି।

Comments are closed.