ନୂଆଦିଲ୍ଲୀ: ଗତ ଏପ୍ରିଲ ୨୨ରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ମେ ୭ରେ ଭାରତୀୟ ସୈନ୍ୟ ବାହିନୀ ଦ୍ୱାରା ଅପରେସନ ସିନ୍ଦୂରର ଆରମ୍ଭ ହୋଇଥିଲା। ଯେଉଁଥିରେ ୯ଟି ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରାଯାଇଥିଲା ଓ ଆକ୍ରମଣରେ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବା ନେଇ ଡିରେକ୍ଟର ଜେନେରାଲ ଅଫ ମିଲିଟାରୀ ଅପରେସନ (ଡିଜିଏମଓ) ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ କହିଛନ୍ତି।
ସେ ଆହୁରି ମଧ୍ୟ କହିଥିଲେ ଯେ ୟୁସୁଫ ଆଝାର, ଅବଦୁଲ ମାଲିକ ରୌଫ ଏବଂ ମୁଦାସିର ଅହମ୍ମଦଙ୍କ ଭଳି ଆତଙ୍କବାଦୀ ମଧ୍ୟ ଅପରେସନ ସିନ୍ଦୂରରେ ନିହତ ହୋଇଛନ୍ତି। ଯେଉଁମାନେ କି IC-814 ହାଇଜ୍ୟାକିଂ ଏବଂ ପୁଲୱାମା ଆକ୍ରମଣର ମାଷ୍ଟର ମାଇଣ୍ଡ ଥିଲେ।
ଏହି ଆକ୍ରମଣ ପରେ ପାକିସ୍ତାନ ମଧ୍ୟ ଭାରତ ଉପରେ ଗୁଳିମାଡ଼ କରିବା ସହ ଡ୍ରୋନ ସାହାଯ୍ୟରେ ଆକ୍ରମଣ କରିଥିଲା ଓ ପାକିସ୍ତାନ ଜନବସତି ଅଞ୍ଚଳ ଏବଂ ଗୁରୁଦ୍ୱାର ଭଳି ଧାର୍ମିକ ସ୍ଥଳଗୁଡ଼ିକୁ ଟାର୍ଗେଟ କରିଥିଲା ଓ ଦୁର୍ଭାଗ୍ୟଜନକ ଭାବରେ କିଛି ନିରୀହ ଜୀବନ ହାନି ଘଟିଥିଲା।
ତେବେ ଲେଫ୍ଟନାଣ୍ଟ ଜେନେରାଲ ଘାଇ ଭାରତୀୟ ବାୟୁସେନାକୁ ପ୍ରଶଂସା କରି ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ କହିଥିଲେ। ସେ ଭାରତୀୟ ନୌସେନାକୁ ମଧ୍ୟ ଧନ୍ୟବାଦ୍ ଦେଇଥିଲେ କାରଣ ସେମାନେ ସଠିକ୍ ସମୟରେ ଯୁଦ୍ଧ ରେ ବ୍ୟବହୃତ ହେଉଥିବା ଶସ୍ତ୍ର ପ୍ରଦାନ କରିଥିଲେ। ତେବେ ସମସ୍ତ ଅପରେସନ୍ ରେ ବାୟୁସେନା ସକ୍ରିୟ ଭାବରେ ନିୟୋଜିତ ହୋଇ ନିଜର କାମ କରିଥିଲେ ଯାହାକି ଭାରତର ସଶସ୍ତ୍ର ବାହିନୀର ମିଳିତ ଶକ୍ତି ଏବଂ ପ୍ରସ୍ତୁତିକୁ ସୂଚିତ କରିଥିଲା।
Comments are closed.