ନୂଆଦିଲ୍ଲୀ: ଆଗୁଆ ଆଣ୍ଡାମାନ ଛୁଇଁଲା ମୌସୁମୀ । ଅସହ୍ୟ ଗରମ ଓ ଗୁଳୁଗୁଳି ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗର ଛୁଇଁଛି । ଆଣ୍ଡାମାନ ସାଗରରେ ପାଦ ଥାପିବା ପରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ବଙ୍ଗୋପସାଗର, ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦ୍ବୀପ ଏବଂ ଉତ୍ତର ଆଣ୍ଡାମାନ ସାଗରର କିଛି ଅଞ୍ଚଳକୁ ଅଗ୍ରସର ହୋଇଛି । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ, ଆଇଏମଡି ।
ଦକ୍ଷିଣ ବଙ୍ଗୋପସାଗରର କିଛି ଅଂଶ, ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦ୍ୱୀପପୁଞ୍ଜ ଏବଂ ଉତ୍ତର ଆଣ୍ଡାମାନ ସାଗରର କିଛି ଅଞ୍ଚଳରେ ଦକ୍ଷିଣ-ପଶ୍ଚିମ ମୌସୁମୀର ଆଗୁଆ ଆଗମନ ବିଷୟରେ ଆନୁଷ୍ଠାନିକ ଭାବରେ ଘୋଷଣା କରିଛି ।
ଏହାର ପ୍ରଭାବରେ ନିକୋବର ଦ୍ୱୀପପୁଞ୍ଜର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ସହିତ ଦୁଇ ଦିନ ଧରି ମଧ୍ୟମ ଧରଣର ବର୍ଷା ଆରମ୍ଭ ହୋଇଛି । ଆଇଏମଡି ଅନୁସାରେ, ଏହି ଅଞ୍ଚଳରେ ନିରନ୍ତର ବର୍ଷା କାର୍ଯ୍ୟକଳାପ ଅନୁଭୂତ ହୋଇଛି, ଯାହା ମୌସୁମୀର ଅଗ୍ରଗତି ଦର୍ଶାଉଛି ।
ପାଣିପାଗ ତଥ୍ୟ ଅନୁଯାୟୀ, ଗତ ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ ବାୟୁର ନିରନ୍ତର ଶକ୍ତିଶାଳୀ ଏବଂ ଗଭୀର ହେବ । ହାରାହାରି ସମୁଦ୍ର ସ୍ତରଠାରୁ ୧.୫ କିଲୋମିଟର ଉପରେ ପବନର ବେଗ ୨୦ ନଟ୍ ଅତିକ୍ରମ କରିଛି ଏବଂ ଏହି ପବନର ପ୍ରଭାବ ୪.୫ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି ।
ଏବେ ମୌସୁମୀର ଅଗ୍ରଗତି ପାଇଁ ପରିସ୍ଥିତି ଅନୁକୂଳ ରହିଛି ବୋଲି କହିଛି ପାଣିପାଗ ବିଭାଗ । ଆଉ ଏକ ପ୍ରମୁଖ ସୂଚକ, ଆଉଟଗୋଇଂ ଲଙ୍ଗୱେଭ୍ ରେଡିଏସନ୍ (OLR), ଗତ ଦୁଇ ଦିନ ମଧ୍ୟରେ ଏକ ଉଲ୍ଲେଖନୀୟ ହ୍ରାସ ଦେଖାଇଛି, ଯାହା ସକ୍ରିୟ ମୌସୁମୀ ପରିସ୍ଥିତି ସହିତ ଏକ ସଙ୍କେତ ।
ଏଥର ଆଗୁଆ ମୌସୁମୀ ଆସିଛି । କାରଣ ମୌସୁମୀ ସାଧାରଣତଃ ୧୮-୧୯ ମେ ସୁଦ୍ଧା ଆଣ୍ଡାମାନ ସାଗରରେ ଏବଂ ଜୁନ୍ ୧ ସୁଦ୍ଧା ଭାରତୀୟ ମୁଖ୍ୟଭୂମି କେରଳରେ ପହଞ୍ଚିଥାଏ । କିନ୍ତୁ ଚଳିତ ବର୍ଷ , ମୌସୁମୀ ୨୭ ମେ ସୁଦ୍ଧା କେରଳରେ ପହଞ୍ଚିପାରେ, ଯାହା ନିର୍ଦ୍ଧାରିତ ସମୟର ପ୍ରାୟ ଗୋଟିଏ ସପ୍ତାହ ପୂର୍ବରୁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ମୌସୁମୀର ଶୀଘ୍ର ଆଗମନ ଯୋଗୁଁ ପ୍ରଚଣ୍ଡ ଗରମରୁ ଅତ୍ୟନ୍ତ ଆଶ୍ୱସ୍ତି ମିଳିବା ସହ ଚଳିତ ବର୍ଷ ଋତୁରେ ଭାରତର ଅଧିକାଂଶ ସ୍ଥାନରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ ବୋଲି ଆଶା କରାଯାଉଛି ବୋଲି ଆକଳନ କରିଛି ଆଇଏମଡି ।
ସେପଟେ ରାଜ୍ୟରେ ଏବେ ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ଜାରି ରହିଛି । ଆଗାମୀ ୩ ଦିନ ଯାଏଁ ଏହି ସ୍ଥିତି ବଜାୟ ରହିବା ସହ, ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବା ନେଇ ସୂଚାଇ ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।
Comments are closed.