Latest Odisha News

BREAKING NEWS

ପାକିସ୍ତାନ ପରେ ଏବେ ତୁର୍କୀ ପାଳି, ସେଠାକୁ ନଯିବାକୁ ଲୋକଙ୍କୁ ଅପଲି

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ଏବଂ ପାକ-ଅଧିକୃତ କଶ୍ମୀର (PoK)ରେ ଥିବା ଆତଙ୍କବାଦୀ ଠିକଣା ବିରୋଧରେ ଏକ ସାମରିକ ଅଭିଯାନ ଆରମ୍ଭ କରିଥିଲା, ଯାହାକୁ ‘ଅପରେସନ ସିନ୍ଦୂର’ ନାମ ଦିଆଯାଇଛି। ଭାରତୀୟ ସଶସ୍ତ୍ର ବାହିନୀର ଏହି ମିଳିତ ଅଭିଯାନର ଜବାବ ଦେବା ପାଇଁ ପାକିସ୍ତାନ ଯେଉଁ ଡ୍ରୋନ୍‌ଗୁଡ଼ିକର ବ୍ୟବହାର କରିଥିଲା, ସେଗୁଡ଼ିକ ତୁର୍କୀ ନିର୍ମିତ ଥିଲା। ଏତିକି ନୁହେଁ, ଏହି ସଂଘର୍ଷ ସମୟରେ ତୁର୍କୀ ପାକିସ୍ତାନକୁ ବିଭିନ୍ନ ଭାବେ ଖୋଲାଖୋଲି ସମର୍ଥନ ଦେଇଥିଲା। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ତୁର୍କୀ ରାଷ୍ଟ୍ରପତି ଭାରତର ଆତଙ୍କବାଦରୁ ପୀଡ଼ିତ ଲୋକଙ୍କ ପାଇଁ ସହାନୁଭୂତି ପ୍ରକାଶ କରିବା ବଦଳରେ ଆତଙ୍କବାଦୀ ଠିକଣା ଉପରେ ହୋଇଥିବା ଆକ୍ରମଣ ପରେ ପାକିସ୍ତାନ ପ୍ରତି ସହାନୁଭୂତି ଦେଖାଇଥିଲେ। ସେ କହିଥିଲେ ଯେ, ପାକିସ୍ତାନର ଲୋକମାନେ ତୁର୍କୀ ପାଇଁ ଭାଇ ସମାନ ଏବଂ ସେମାନେ ପାକିସ୍ତାନ ପାଇଁ ଆଲ୍ଲାହଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି।

ସୋସିଆଲ ମିଡିଆରେ ତୁର୍କୀ ବିରୋଧ
ଏହା ପରେ ସୋସିଆଲ ମିଡିଆରେ ଲୋକମାନେ ତୁର୍କୀ ବିରୋଧରେ ସ୍ୱର ଉଠାଇଛନ୍ତି। ପର୍ଯ୍ୟଟନ ପାଇଁ ତୁର୍କୀ ଯାଉଥିବା ଲୋକଙ୍କୁ ଟାର୍ଗେଟ କରିବା ଠାରୁ ଆରମ୍ଭ କରି ଅନ୍ୟ ବିକଳ୍ପ ଖୋଜିବା, ତୁର୍କୀ ସହ ବ୍ୟବସାୟ ଏବଂ ଅନ୍ୟାନ୍ୟ ସମ୍ପର୍କ କମ କରିବା ଦାବି ଖୋଲାଖୋଲି ଉଠିଛି। ବରିଷ୍ଠ ସାମ୍ବାଦିକ ବୀର ସାଙ୍ଘଭୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଲେଖିଛନ୍ତି, “ସତ କହିବାକୁ ଗଲେ ଆମକୁ ଏହା ସହ କିଛି ନେଣଦେଣ ନାହିଁ ଯେ ତୁର୍କୀ ନିରାପଦ ଅଛି କି ନାହିଁ କିମ୍ବା ତୁର୍କୀ ପର୍ଯ୍ୟଟକଙ୍କୁ ସ୍ୱାଗତ କରୁଛି କି ନାହିଁ।” ବୀର ସାଙ୍ଘଭୀ ତୁର୍କୀର ଏକ ପର୍ଯ୍ୟଟନ ବିଜ୍ଞାପନକୁ ନିଜ ପୋଷ୍ଟରେ ସେୟାର କରି କହିଛନ୍ତି, “ଭାରତୀୟ ଲୋକମାନେ ଏପରି ଦେଶକୁ ବିଲକୁଲ ଯିବା ଉଚିତ ନୁହେଁ, ଯେଉଁ ଦେଶ ପାକିସ୍ତାନକୁ ଖୋଲାଖୋଲି ସାମରିକ ସମର୍ଥନ ଦେଇଛି ଏବଂ ଯାହାର ଡ୍ରୋନ ଭାରତୀୟଙ୍କ ରକ୍ତ ଝରାଇଛି।” ସାଙ୍ଘଭୀ ଆହୁରି କହିଛନ୍ତି, “ତୁର୍କୀ କେବଳ ପାକିସ୍ତାନୀ ପର୍ଯ୍ୟଟକଙ୍କୁ ହିଁ ଡାକୁ।”

ରାଜୀବ ଶୁକ୍ଲାଙ୍କ ମନ୍ତବ୍ୟ
ବୀର ସାଙ୍ଘଭୀଙ୍କ କଥାକୁ ଆଗେଇ ନେଇ କଂଗ୍ରେସର ବରିଷ୍ଠ ନେତା, ରାଜ୍ୟସଭା ସାଂସଦ ତଥା ବିସିସିଆଇ ସଚିବ ରାଜୀବ ଶୁକ୍ଲା ଲେଖିଛନ୍ତି, “ଆମକୁ ତୁର୍କୀରେ ଭାରତୀୟଙ୍କ ଡେଷ୍ଟିନେସନ ବିବାହର ଚଳଣକୁ ବନ୍ଦ କରିବା ଉଚିତ।” ଭାରତ ଏବଂ ତୁର୍କୀ ମଧ୍ୟରେ ମତଭେଦର ଅନୁମାନ ଏହା ମଧ୍ୟ ଲଗାଯାଇପାରେ ଯେ ବିଦେଶ ଗସ୍ତ ପାଇଁ ଚର୍ଚ୍ଚାରେ ରହୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରେ କ୍ଷମତା ଗ୍ରହଣ କରିବା ପରେ ଆଜି ପର୍ଯ୍ୟନ୍ତ ଥରେ ମଧ୍ୟ ତୁର୍କୀ ଗସ୍ତରେ ଯାଇନାହାନ୍ତି। ତୁର୍କୀ ରାଷ୍ଟ୍ରପତି ଆର୍ଦୋଆନ ମଧ୍ୟ ଦିଲ୍ଲୀକୁ କେବଳ ଜି-୨୦ ସମ୍ମିଳନୀ ଅବସରରେ ଆସିଥିଲେ।

 

Comments are closed.