ଭଦ୍ରକ: ତ୍ରିଶଲ ଛକ ନିକଟରେ ଆମ୍ୱୁଲାନ୍ସ ଦୁର୍ଘଟଣା। ଝିଅର ଚିକିତ୍ସା ପାଇଁ ଆସିବା ବେଳେ ଆମ୍ବୁଲାନ୍ସ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଆଈ ଓ ନାତୁଣୀଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ୨ ଜଣ ସ୍ୱାମୀ-ସ୍ତ୍ରୀ ହୋଇଥିବା ସୂଚନା ରହିଛି। ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଆମ୍ୱୁଲାନ୍ସ ଡ୍ରାଇଭର୍ ଅଟକ ରହିଛି। ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ତ୍ରିସଲପୁର ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ।
ପଶ୍ଚିମବଙ୍ଗ ଖଡକପୁର ଅଞ୍ଚଳରୁ କଟକକୁ ଚିକିତ୍ସା ପାଇଁ ଝିଅକୁ ଆଣୁଥିବା ବେଳେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ଏକ ବୋଲେରୋକୁ ଧକ୍କା ଦେଇଥିଲା । ଖଡ଼ଗପୁର ଅଞ୍ଚଳର ଶିବନାଥ ଗୁରୁ ଏବଂ ବରୁଣା ଗୁରୁ ନିଜ ଅସୁସ୍ଥ ଝିଅର ଚିକିତ୍ସା ପାଇଁ ଏକ ଘରୋଇ ଆମ୍ବୁଲାନ୍ସରେ କଟକ ମେଡିକାଲ ଆସୁଥିଲେ । ତ୍ରିସଳପୁର ଛକରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ବୋଲେରୋକୁ ଧକ୍କା ଦେବା ପରେ ଡିଭାଇଡରରେ ପିଟି ହୋଇଥିଲା ।
ଫଳରେ ଆମ୍ବୁଲାନ୍ସରେ ଥିବା ୪ ଜଣ ଗୁରୁତର ହୋଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ଗାଡ଼ିରେ ଫସି ରହିଥିବା ଗୁରୁତରଙ୍କୁ ଉଦ୍ଧାର କରିଥିଲା । ବାପା, ମାଆ, ଝିଅ ସହ ଆଈଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଆଈ ଓ ନାତୁଣୀଙ୍କ ମୃତ୍ୟୁ ଘଟିଥିବା ବେଳେ ବାପା ଓ ମାଆ ଗୁରୁତର ଅଛନ୍ତି । ମୃତକ ଆଈ ହେଲେ ମାଳତୀ ଦଣ୍ଡପାଟ ଓ ନାତୁଣୀ ଖୁସି । ଅନ୍ୟପଟେ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ବେଳେ ଚିକିତ୍ସା କରାଇବା ସହ ପୋଲିସ ତାଙ୍କୁ ଅଟକ ରଖିଛି ।

