ମହାରାଷ୍ଟ୍ର: ବଲିଉଡ୍ ଅଭିନେତା ଆମୀର ଖାନ୍ ମହାରାଷ୍ଟ୍ର ନବନିର୍ମାଣ ସେନା (MNS)ମୁଖ୍ୟ ରାଜ ଠାକରେଙ୍କୁ ମୁମ୍ବାଇର ‘ଶିବତୀର୍ଥ’ ବାସଭବନରେ ଭେଟିଛନ୍ତି। ଏହି ବୈଠକ ଏପରି ଏକ ସମୟରେ ହୋଇଛି, ଯେତେବେଳେ ଆମୀରଙ୍କ ଭଣଜା ତଥା ଅଭିନେତା ଇମ୍ରାନ ଖାନ୍ଙ୍କ ନାଁରେ ଆଇନଗତ ବିବାଦ ସୃଷ୍ଟି ହୋଇଛି ଏବଂ ସେ ‘ଭାରତ ଛାଡ଼’ ନୋଟିସକୁ ବମ୍ବେ ହାଇକୋର୍ଟରେ ଚାଲେଞ୍ଜ କରିଛନ୍ତି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗତ ଅକ୍ଟୋବର ୧୦ ତାରିଖରେ ମୁମ୍ବାଇର ଅଗଷ୍ଟ କ୍ରାନ୍ତି ମଇଦାନରେ ଆୟୋଜିତ ଏକ ପ୍ରତିବାଦ ସଭାରେ ଯୋଗଦେବା କାରଣରୁ ଇମ୍ରାନ ଖାନ୍ଙ୍କୁ ସାମୟିକ ଭାବେ ଅଟକ ରଖାଯାଇଥିଲା। ଏହା ପରେ ମୁମ୍ବାଇ ପୋଲିସ ଓ ଫରେନର୍ସ ରିଜିଓନାଲ ରେଜିଷ୍ଟ୍ରେସନ ଅଫିସ ପକ୍ଷରୁ ତାଙ୍କୁ ଅକ୍ଟୋବର ୨୮ ସୁଦ୍ଧା ଭାରତ ଛାଡିବାକୁ ଏବଂ ତାଙ୍କର ଓସିଆଇ ପାହ୍ୟା କାହିଁକି ରଦ୍ଦ କରାଯିବ ନାହିଁ, ସେ ନେଇ ନୋଟିସ ଜାରି କରାଯାଇଥିଲା।
ଏହି ନୋଟିସକୁ ‘ବେଆଇନ, ମନମୁଖୀ ଏବଂ କ୍ଷମତାର ଅପବ୍ୟବହାର’ ଦର୍ଶାଇ ଇମ୍ରାନ ଖାନ୍ ଶନିବାର ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଏଭଳି ସ୍ଥିତିରେ ଆମୀର ଖାନ୍ ନିଜ ପତ୍ନୀଙ୍କ ସହ ରାଜ ଠାକରେଙ୍କୁ ଭେଟିବା ରାଜନୈତିକ ଏବଂ ଚଳଚ୍ଚିତ୍ର ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।
ଅବଶ୍ୟ, ଉଭୟ ଆମୀର ଖାନ୍ ଏବଂ ରାଜ ଠାକରେ ପୂର୍ବରୁ ମଧ୍ୟ ବନ୍ଧୁତାପୂର୍ଣ୍ଣ ସମ୍ପର୍କ ରଖିଆସିଛନ୍ତି ଏବଂ ଏହି ସାକ୍ଷାତକାରର କୌଣସି ଆନୁଷ୍ଠାନିକ ସ୍ପଷ୍ଟୀକରଣ ଏପର୍ଯ୍ୟନ୍ତ ମିଳି ନାହିଁ। କିନ୍ତୁ ଏହାର ସମୟ ସାମ୍ନାକୁ ଆସିବା ପରେ ଏହାକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା ଜାରି ରହିଛି।ଆମୀର ଖାନ୍ ଏବଂ ରାଜ ଠାକରେଙ୍କ ଏହି ଭେଟଘାଟ ପଛରେ କୌଣସି ବ୍ୟକ୍ତିଗତ କାରଣ ଥାଇପାରେ, କିନ୍ତୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଇମ୍ରାନ ଖାନ୍ଙ୍କ ପ୍ରସଙ୍ଗରେ ମହାରାଷ୍ଟ୍ରର ରାଜନୈତିକ ବାତାବରଣ ସରଗରମ ଥିବାବେଳେ ଜଣେ ପ୍ରମୁଖ ବଲିଉଡ୍ ଅଭିନେତାଙ୍କ ଏପରି ବରିଷ୍ଠ ନେତାଙ୍କୁ ଭେଟିବା ବିଭିନ୍ନ ପ୍ରଶ୍ନ ସୃଷ୍ଟି କରିଛି। କୋର୍ଟରେ ଏହି ମାମଲାର ଶୁଣାଣି ଉପରେ ସମସ୍ତଙ୍କ ନଜର ରହିଛି।

