Latest Odisha News

BREAKING NEWS

ବିଦାୟ ୨୦୧୯: ସ୍ମୃତିରେ ରହିବ ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନଙ୍କ ବୀରତ୍ୱର କାହାଣୀ…

ଭୁବନେଶ୍ୱର: ଫେବ୍ରୁଆରୀ ମାସ ୧୪ ତାରିଖ ୨୦୧୯ ବର୍ଷର ଏହି ଦିନର ଚର୍ଚ୍ଚିତ ପୁଲୱାମା ଘଟଣା ଭାରତ ଓ ପାକିସ୍ତାନ ମଧ୍ୟରେ ଆଉ ଏକ ଯଦ୍ଧର ଘନଘଟାକୁ ଡାକି ଆଣିଥିଲା । ପାକିସ୍ତାନ ପ୍ରରୋଚିତ ଜୈଶ-ଇ-ମହମ୍ମଦ ଆତଙ୍କବାଦୀଙ୍କ ଦ୍ୱାରା କାଶ୍ମୀରର ପୁଲୱାମାଠାରେ ଏକ ବୋମା ବିସ୍ଫୋରଣରେ ୪୧ ଭାରତୀୟ ସୁରକ୍ଷା କର୍ମୀ ସହିଦ ହେଲେ ।

ଭାରତୀୟ ସେନା ଇଟାର ଜବାବ ପଥରରେ ଦେଲା । ପାକିସ୍ତାନ ସୀମାରେ ପ୍ରବେଶ କରି ଭାରତୀୟ ବାୟୁସେନା ପାକିସ୍ତାନ ସେନା ସମର୍ଥିତ ଜୈଶ ଆତଙ୍କବାଦୀ କ୍ୟାମ୍ପକୁ ଉଡ଼ାଇ ଦେଇଥିଲେ । ବାୟୁସେନାର ପାଇଲଟମାନେ ସାହସୀକତାର ପରିଚୟ ଦେଇ ୩୦୦ ଆତଙ୍କବାଦୀଙ୍କୁ ପାକିସ୍ତାନ ସୀମାରେ ନିପାତ କଲେ । ଭାରତୀୟ ବାୟୁସେନାର ଏହି ବିରୋଚିତ କାହାଣୀ କିଛି କ୍ଷଣ ମଧ୍ୟରେ ସାରା ବିଶ୍ୱରେ ପ୍ରଶଂସିତ ହେବାକୁ ଲାଗିଲା ।

ଭାରତୀୟ ବାୟୁସେନାର ଏହି ଆକ୍ରମଣରେ ଯେଉଁମାନେ ସାମିଲ୍ ଥିଲେ ସେଥିମଧ୍ୟରେ ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ବର୍ଥମାନ ଥିଲେ ଅନ୍ୟତମ ପାଇଲଟ୍ ।

ଫେବ୍ରୁଆରୀ ୨୭; ପାକିସ୍ତାନ ସୀମାରେ ଖସିପଡ଼ିଲା ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନଙ୍କ ପାଇଲଟ୍:

କୌଣସି ଅପ୍ରୀତିକର ପରିସ୍ଥିତିକୁ ପ୍ରତିରୋଧ କରିବା ନିମନ୍ତେ ଭାରତ ଓ ପାକିସ୍ତାନ ସୀମାରେଖାରେ ଭାରତୀୟ ସେନା ଦ୍ବାରା କଡା ସୁରକ୍ଷା ପ୍ରଦାନ କରାଯାଉଥିଲା ।

ଏହିସମୟରେ ଜମ୍ମୁ-କାଶ୍ମୀର ସ୍ଥିତ ବଡଗାମ୍ ଜିଲ୍ଲାରେ ବୁଧବାର ଦିନ ଭାରତୀୟ ବାୟୁସେନାର ମିଗ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ଆସିଲା ।

ଭାରତୀୟ ବାୟୁସେନାର ମିଗ୍-୨୧ ବିମାନ ନିୟନ୍ତ୍ରଣ ରେଖା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ଏହାର ପାଇଲଟ୍ ନିଖୋଜ ଥିବା ନେଇ ସେସମୟର ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ରବିଶ କୁମାର ସୂଚନା ପ୍ରଦାନ କରିଥିଲେ ।

ଅନ୍ୟପଟେ ପାକିସ୍ତାନ ଭାରତୀୟ ବାୟୁସେନାର ଜଣେ ପାଇଲଟଙ୍କୁ ବନ୍ଦୀ କରି ରଖିଥିବା ଯୁକ୍ତି କରି ଏକ ଭିଡିଓ ଜାରି ମଧ୍ୟ କରିଥିଲା । ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା ।

ପାକିସ୍ତାନରେ ‘ଭାରତ ମାତାକି ଜୟ କହିଲେ ଅଭିନନ୍ଦନ:

ଭାରତୀୟ ବାୟୁସେନାର ପାଇଲଟ ଭାବେ ଅଭିନନ୍ଦନ ମିଗ୍ ୨୧ ଯୁଦ୍ଧବିମାନ ଚଳାଉଥିଲେ । ପାକିସ୍ତାନ ସୀମା ଅତିକ୍ରମ କରି ଶତୃପକ୍ଷ ବିମାନକୁ ଧ୍ୱଂସ କରିବା ପରେ ତାଙ୍କ ବିମାନଟି ଯାନ୍ତ୍ରିକ ତୃଟି ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହାଫଳରେ ସେ ପାରାଚ୍ୟୁଟ୍ ଦ୍ୱାରା ତଳେ ଓହ୍ଲାଇଥିଲେ । କିନ୍ତୁ ପାକିସ୍ତାନୀ ସେନା ଦ୍ୱାରା ସେ ଗିରଫ ହୋଇଥିଲେ ।

କାଳେ ଶତୃପକ୍ଷ ନିକଟରେ ନିଜ ଦେଶର ପ୍ରତିରକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ତଥା ନକ୍ସା ହସ୍ତଗତ ହୋଇଯିବ ତେଣୁ ସେ ସମସ୍ତ କାଗଜକୁ ଚୋବାଇ ନଷ୍ଟ କରିଦେଇଥିଲେ ।

ସେ ପାରାଚ୍ୟୁଟରେ ଖସିପଡ଼ିବା ପରେ କିଛି ପିଲାଙ୍କୁ ପଚାରିଥିଲେ ଏହା ଭାରତ ନା ପାକିସ୍ତାନ ସୀମା? । ପାକିସ୍ତାନୀ ପିଲାମାନେ ଚାଲାକି କରି କହିଥିଲେ ଏହା ଭାରତ ବୋଲି । ଏହା ଭାରତ ଭାବି ଅଭିନନ୍ଦନ “ଭାରତ ମାତା କୀ ଜୟ” ବୋଲି ଖୁସି ହୋଇ ପାଟି କରିଥିଲେ । ଏହାପରେ ପାକିସ୍ତାନୀ ପିଲାମାନେ କହିଥିଲେ ଏହା ପାକିସ୍ତାନ ବୋଲି ।

ତାଙ୍କ ପାଖରେ ଥିବା ପିସ୍ତଲକୁ ଦେଖାଇ ପ୍ରାୟ ଅଧ କିଲୋମିଟର ଦୌଡ଼ି ପଛକୁ ଚାଲି ଆସିଥିଲେ । ସେ ଏକ ପୋଖରୀ ଦେଖି ସେଠାରେ ଜରୁରୀ କାଗଜପତ୍ରକୁ ପାଣିରେ ନଷ୍ଟ କରିଦେଇଥିଲେ ଏବଂ ଅନ୍ୟ କିଛି କାଗଜକୁ ପାଟିରେ ଚୋବାଇ ନଷ୍ଟ କରିଦେଇଥିଲେ । ପିସ୍ତଲରୁ ଆକାଶକୁ ଗୁଳି ଚଳାଇ ଅଭିନନ୍ଦନ ପିଲାମାନଙ୍କୁ ଡ଼ରାଇବାକୁ ଚେଷ୍ଟା ମଧ୍ୟ କରିଥିଲେ ବୋଲି ପାକିସ୍ତାନର ଏକ ଖବରକାଗଜରେ ପ୍ରକାଶିତ ହୋଇଥିଲା ।

ଏହି ଭାରତୀୟ ବାୟୁସେନା ପାଇଲଟ ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ବର୍ଦ୍ଧମାନଙ୍କ ବୀରତ୍ୱ କାହାଣୀ ତଥା ଦେଶପ୍ରେମକୁ ନେଇ ସମଗ୍ର ପାକିସ୍ତାନରେ ଚର୍ଚ୍ଚା ଜୋରରେ ଚାଲିଥିଲା ।

ପାକିସ୍ତାନ କବଜାରେ ବୀର ଅଭିନନ୍ଦନ:

ନିଖୋଜ ଥିବା ଭାରତୀୟ ବାୟୁସେନା ପାଇଲଟଙ୍କୁ ପାକିସ୍ତାନ ସେନା ଗିରଫ କରିଥିବା ନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଥିଲା । ଏହାସହ ତାଙ୍କୁ ତୁରନ୍ତ ନିରାପଦ ଭାବେ ଭାରତକୁ ହସ୍ତାନ୍ତର କରିବାକୁ ପାକିସ୍ତାନକୁ ଜଣାଇ ଦିଆଯାଇଥିବା ପ୍ରତିରକ୍ଷା ମନ୍ତ୍ରୀ ସୂଚନା ପ୍ରଦାନ କରିଥିଲେ ।

ପାକିସ୍ତାନ ଜାରି କରିଥିବା ଭିଡ଼ିଓ ଅନୁସାରେ ଗୁରୁତର ଆହତ ଅବସ୍ଥାରେ ଥିବା ଭାରତୀୟ ବାୟୁସେନା ପାଇଲଟଙ୍କୁ ନିର୍ଦ୍ଦୟ ଭାବେ ବ୍ୟବହାର କରାଯାଇଥିବା ସ୍ପଷ୍ଟ ଜଣାପଡୁଥିଲା ।

ପାକିସ୍ତାନ ଜେନେଭା ଚୁକ୍ତି ଅନୁଯାୟୀ ଆନ୍ତର୍ଜାତିକ ଆଇନ ଓ ମାନବାଧିକାରର ଖିଲାପ କରିଥିବା ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ।

ଏହି ଭିଡ଼ିଓରେ ଅଭିନନ୍ଦନଙ୍କ ଆଖିରେ ଅନ୍ଧ ପୁଟୁଳି ବନ୍ଧାଯାଇଥିବା ବେଳେ ସେ ତାଙ୍କ ନାମ ଓ ପରିଚୟ ପ୍ରଦାନ କରୁଥିବାର ଦୃଶ୍ୟ ରହିଥିଲା ।

ଅନ୍ୟ ଏକ ଭିଡ଼ିଓରେ ତାଙ୍କୁ ଚା’ ପରଷା ଯାଉଥିବାର ଦୃଶ୍ୟ ରହିଛି ଏବଂ କିଛି ବ୍ୟକ୍ତି ତାଙ୍କୁ ସଂଘବଦ୍ଧ ଭାବେ ପିଟୁଥିବା ବେଳେ ପାକିସ୍ତାନୀ ସେନା ଦ୍ୱାରା ତାଙ୍କୁ ଉଦ୍ଧାର କରାଯାଇଛି ବୋଲି ଅଭିନନ୍ଦନ କହିଥିବା ଦେଖିବାକୁ ମିଳିଥିଲା।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଉକ୍ତ ସନ୍ଧ୍ୟାରେ ଟିଭିରେ ସମ୍ବୋଧିତ କରି ଭାରତ ସହିତ କଥାବାର୍ତ୍ତା ଓ ଆଲୋଚନା କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି, ଉଭୟ ଦେଶର ଅସ୍ତ୍ର ରହିଛି ଏବଂ ଆଲୋଚନା ବିନା ନା ସେ ନା ମୋଦି କେହି ଏହି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିପାରିବେ ନାହିଁ ବୋଲି କହିଥିଲେ ।

ଇତିମଧ୍ୟରେ ପାକିସ୍ତାନ ସେନାର ମୁଖପାତ୍ର ଜଣେ ଭାରତୀୟ ବାୟୁସେନାର ପାଇଲଟଙ୍କୁ ଗିରଫ କରାଯାଇଥିବାର ସ୍ପଷ୍ଟିକରଣ ଦେଇଥିଲେ ।

ଅଭିନନ୍ଦନଙ୍କ ପ୍ରତ୍ୟାବର୍ତ୍ତନ ନିମନ୍ତେ ସାରାଦେଶବାସୀଙ୍କ ପାର୍ଥନା:

ବାୟୁସେନା ପାଇଲଟ୍ କମାଣ୍ଡର୍ ଅଭିନନ୍ଦନ ବର୍ଦ୍ଧମାନଙ୍କୁ ପାକିସ୍ତାନ ବନ୍ଦୀ କରି ରଖିଥିବା ଖବର ପ୍ରଚାର ହେବା ପରେ ଅଭିନନ୍ଦନଙ୍କୁ ସକୁଶଳେ ଭାରତ ଫେରାଇ ଆଣିବାକୁ ସମଗ୍ର ଦେଶବାସୀ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।

ଓଡିଶା ମୁଖ୍ୟମନ୍ତ୍ରୀ ମଧ୍ୟ ଭାରତୀୟ ବାୟୁସେନାର ସାହସକୁ ସାଲ୍ୟୁଟ୍ କରିବା ସହ ଅଭିନନ୍ଦନ ସୁରକ୍ଷିତ ଭାବେ ଦେଶକୁ ଫେରନ୍ତୁ ବୋଲି ପ୍ରାର୍ଥନା କରି ଟ୍ୱିଟ କରିଥିଲେ ।

ଅଭିନନ୍ଦନଙ୍କୁ ଫେରାଇ ଦେବାକୁ ଇମ୍ରାନ ଖାନଙ୍କ ଘୋଷଣା:

ଫେବ୍ରୁଆରୀ ୨୮ ତାରିଖ ଦିନ ଶାନ୍ତି ପ୍ରତିଷ୍ଠା ଲାଗି ଭାରତୀୟ ପାଇଲଟ୍ ଅଭିନନ୍ଦନ ବର୍ଦ୍ଧମାନଙ୍କୁ ମୁକ୍ତ କରାଯିବ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଘୋଷଣା କଲେ ।

ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ ଭାରତ-ପାକିସ୍ତାନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ରକ୍ଷା କରିବାକୁ କିଛି ଶୁଭ ସମ୍ବାଦ ପାକିସ୍ତାନଠୁ ଚାହୁଁଛନ୍ତି ବୋଲି କହିବାର କିଛିଘଣ୍ଟା ପରେ ପାକିସ୍ତାନ ସଂସଦରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏକ ବିବୃତି ଦେଇ ଭାରତୀୟ ପାଇଲଟଙ୍କୁ ମୁକ୍ତ କରାଯିବ ବୋଲି କହିଥିଲେ ।

ପାକିସ୍ତାନ ଗଣମାଧ୍ୟମରେ ଅଭିନନ୍ଦନଙ୍କ ଦେଶପ୍ରେମର କାହାଣୀ:

ପାକିସ୍ତାନର ସବୁଠୁ ଅଧିକ ପ୍ରସାରିତ ଖବର କାଗଜ ‘ଡ଼ନ’ରେ ଭାରତୀୟ ପାଇଲଟ ଅଭିନନ୍ଦନଙ୍କ ବୀରତ୍ୱ ତଥା ଦେଶପ୍ରେମର କଥା ପ୍ରକାଶ ପାଇବା ପରେ ଏହା ପାକିସ୍ତାନୀବାସୀଙ୍କୁ ଆଚମ୍ବିତ କରିଦେଇଥିଲା । ଅଭିନନ୍ଦନ କିପରି ପାକିସ୍ତାନ ଯୁଦ୍ଧବିମାନକୁ ଖସାଇ ଦେଇଥିଲେ ଏବଂ ଏହା ପରେ ସେ କିପରି ସମସ୍ତ ଦରକାରୀ ପ୍ରତିରକ୍ଷା କାଗଜକୁ ଚୋବାଇ ଗିଳି ଦେଇଥିଲେ ତାହା ଏହି ପାକିସ୍ତାନୀ ଖବରକାଗଜରେ ପ୍ରକାଶିତ ହୋଇଥିଲା ।

ପାକିସ୍ତାନ ମାଟିରେ ମଧ୍ୟ ଦୃଢ ଦମ୍ଭରେ ଭାରତ ମାତା କୀ ଜୟ କହିବାକୁ ପଛଘୁଞ୍ଚା ଦେଇନଥିବା ଭାରତ ମାତାର ଏହି ସୁପୁତ୍ରର ବୀରତ୍ବର ଗାଥା ଲେଖିଥିଲା ଏହି ଖବର କାଗଜ ।

ଅଭିନନ୍ଦନଙ୍କୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ସୋସିଆଲ ମିଡିଆ ୱାର:

ଅଭିନନ୍ଦନ ପାକିସ୍ତାନୀ ସେନା ଦ୍ୱାରା ଧରାପଡ଼ିଥିବା ନେଇ ବିଭିନ୍ନ ଫଟୋ ଓ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଲା ।

ଭାରତୀୟ ପାଇଲଟ୍ ଅଭିନନ୍ଦନଙ୍କୁ ଧରି ତାଙ୍କର ବିଭତ୍ସ ମୁହଁର ଫଟୋ ଓ ଭିଡ଼ିଓକୁ ପାକିସ୍ତାନୀ ନାଗରିକ ଭାଇରାଲ୍ କରିବାରେ ଲାଗିଲେ । ଯାହାକୁ କଡା ପ୍ରତିବାଦ କରିଥିଲେ ଭାରତୀୟ ନାଗରିକ ମାନେ ।

ଏହାପରେ ସୋସିଆଲ୍ ମିଡ଼ିଆରେ ଚାଲିଲା ଯୁଦ୍ଧର ବିଭିଷିକା ଓ ଅଭିନନ୍ଦନଙ୍କୁ ନେଇ ଚର୍ଚ୍ଚା ।

ପାକିସ୍ତାନରେ ଯୁଦ୍ଧର ଭୟ ସାଧାରଣ ନାଗରିକଙ୍କୁ ଅଧିକ ମାତ୍ରାରେ କବଳିତ କରିଥିଲା । ଯୁଦ୍ଧର ଆଶଙ୍କା ଓ ତତ୍ ପରବର୍ତ୍ତୀ ଅବସ୍ଥାକୁ ଅନୁମାନ କରି ପାକିସ୍ତାନ ନାଗରିକ ତଥା ସେଲେବ୍ରିଟିମାନେ ଅଭିନନ୍ଦନଙ୍କୁ ଭାରତ ପ୍ରତ୍ୟାର୍ପଣ କରିବା ସହିତ ଯୁଦ୍ଧର ଆଶଙ୍କା ବନ୍ଦ କରିବାକୁ ପାକିସ୍ତାନ ସରକାରଙ୍କୁ ଅନୁରୋଧ ମଧ୍ୟ କରିଥିଲେ ।

୫୮ ଘଣ୍ଟା ପରେ ଭାରତ ଫେରିଲେ ବୀର ଅଭିନନ୍ଦନ:

ପାକିସ୍ତାନ ସେନା ଦ୍ୱାରା କବଳିତ ହୋଇଥିବା ଭାରତୀୟ ବାୟୁସେନା ପାଇଲଟ୍ ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ବର୍ଦ୍ଧମାନ ଦୀର୍ଘ ୫୮ ଘଣ୍ଟା ପାକିସ୍ତାନରେ କାଟିବା ପରେ ମାର୍ଚ୍ଚ ୧ ତାରିଖରେ ଭାରତ ଫେରିଥିଲେ ।

ତାଙ୍କୁ ସ୍ୱାଗତ କରିବା ପାଇଁ ହଜାର ହଜାର ସଂଖ୍ୟାରେ ଲୋକ ୱାଘା ବୋର୍ଡରରେ ଏକତ୍ରିତ ହେଇଥିଲେ । ତ୍ରିରଙ୍ଗା, ଢୋଲ, ବାଣ ଆଉ ନାଚ ଗୀତରେ ମଜି ଅଭିନନ୍ଦନକୁ ସ୍ୱାଗତ କରିଥିଲେ ଦେଶବାସୀ । ସୋସିଆଲ ମିଡ଼ିଆରେ ଲୋକ ନିଜ ଖୁସିକୁ ମଧ୍ୟ ପୋଷ୍ଟ କରି ଜଣାଇଥିଲେ ।

ଏହି ପରିପ୍ରେକ୍ଷୀରେ ପାକିସ୍ତାନ ଓ ଭାରତ ସୀମା ସମେତ ୱାଘା ବର୍ଡ଼ରରେ ଭାରତୀୟ ସେନା ସଜାଗ ରହିଥିଲା ।

କୌଣସି ବି ପରିସ୍ଥିତିକୁ ସାମ୍ନା କରିବାକୁ ସମ୍ପୂର୍ଣ୍ଣ ଭାବେ ଭାରତୀୟ ପ୍ରତିରକ୍ଷା ବିଭାଗ ପ୍ରସ୍ତୁତ ମଧ୍ୟ ରହିଥିଲା ।

ପାକିସ୍ତାନ ସୀମାନ୍ତ ରାଜ୍ୟ ପଞ୍ଜାବ, ରାଜସ୍ଥାନ, ଗୁଜରାଟ, ଉତ୍ତରପ୍ରଦେଶ, ଜମ୍ମୁ ଓ କାଶ୍ମୀର ତଥା ହିମାଚଳ ପ୍ରଦେଶରେ ହାଇ ଆଲର୍ଟ ଜାରି ହେବା ସହିତ ବିଭିନ୍ନ ସହରରେ ସେନା ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଥିଲା ।

ଅଭିନନ୍ଦନ ଲାହୋର ବିମାନ ବନ୍ଦରରେ ପହଞ୍ଚିବା ପରେ ଏକ କାର ଯୋଗେ ୱାଘା ବର୍ଡ଼ରକୁ ଫେରିଥିଲେ । ଏହାପରେ ପାକିସ୍ତାନୀ ସେନା କର୍ତ୍ତୃପକ୍ଷ ଭାରତୀୟ ବାୟୁସେନାକୁ ଅଭିନନ୍ଦନଙ୍କୁ ହସ୍ତାନ୍ତର କରିଥିଲେ ।

ଇତିମଧ୍ୟରେ ପାକିସ୍ତାନରେ ଏକ କୋର୍ଟରେ ଭାରତୀୟ ପାଇଲଟ ଅଭିନନ୍ଦନଙ୍କୁ ମୁକ୍ତ ନକରିବାକୁ ଏକ କୋର୍ଟରେ ମାମଲା ଦାଏର କରାଯାଇଥିଲା । ଯାହାଫଳରେ ଅଭିନନ୍ଦନଙ୍କ ଭାରତ ଫେରିବା ନେଇ ସନ୍ଦେହ ଉପୁଜିଥିଲା । ଅନ୍ତର୍ଜାତୀୟ ସମୁଦାୟର ପ୍ରବଳ ଚାପ ଆଗରେ ପାକିସ୍ତାନ ବୈଦେଶିକ ତଥା କୂଟନୀତି ହାର୍ ମାନିଥିବା ସହିତ ଭାରତୀୟ ପାଇଲଟଙ୍କୁ ମୁକ୍ତ କରିବାକୁ ଏକରକମ ବାଧ୍ୟ ହୋଇଥିଲା ପାକିସ୍ତାନ ।

କେମିତି ଥିଲା ୫୮ ଘଣ୍ଟା କହିଲେ ଅଭିନନ୍ଦନ:

ପାଖାପାଖି ୫୮ ଘଣ୍ଟା ପର୍ଯ୍ୟନ୍ତ ପାକିସ୍ତାନରେ ବନ୍ଦୀ ଭାବରେ ରହି ଭାରତ ଫେରିବା ପରେ ଦିଲ୍ଲୀର ଆର ଆର ହସ୍ପିଟାଲରେ ତାଙ୍କର ସମ୍ପୂର୍ଣ୍ଣ ମେଡିକାଲ ଚେକଅପ କରାଯାଇଥିଲା !

ତାଙ୍କୁ ସେଠାରେ ଶାରୀରିକ ନିର୍ଯାତନା ଦିଆଯାଇନଥିଲା କିନ୍ତୁ ମାନସିକ ରୂପରେ ବହୁତ ପ୍ରତାଡ଼ିତ କରାଯାଇଥିବା ଅଭିନନ୍ଦନ କହିଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା ।

ଦୀର୍ଘ ୬ ମାସର ବିରାମ ପରେ ପୁଣିଥରେ କାର୍ଯ୍ୟ କ୍ଷେତ୍ରକୁ ଫେରିଛନ୍ତି ଅଭିନନ୍ଦନ ।

ତେବେ ଅଭିନନ୍ଦନଙ୍କ ସାହସ ଆଉ ଦୃଢ଼ତା ଉପରେ ସାରାଦେଶ ଗର୍ବିତ ! ଭାରତମାତାର ଏହି ସୁପୁତ୍ର ଶତ୍ରୁ ମାଟିରେ ନିଜର ବୀରତ୍ବ ପ୍ରତିପାଦନ କରି ପ୍ରତ୍ୟେକଟି ଭାରତୀୟଙ୍କ ମନରେ ନିଜ ପାଇଁ ଶ୍ରଦ୍ଧା ଓ ଭକ୍ତିର ପ୍ରଦୀପଟିଏ ଜାଳି ଦେଇଛନ୍ତି । ଯାହାକୁ ଇତିହାସ ଚିରକାଳ ଯାଏଁ ମନେ ରଖିବ ।

Leave A Reply

Your email address will not be published.