Latest Odisha News

BREAKING NEWS

କଟକ-ସମ୍ବଲପୁର ରାସ୍ତା କାମ ଚଳିତ ବର୍ଷ ଶେଷ ସୁଦ୍ଧା ଶେଷ ହେବ:ପୂର୍ତ୍ତ ମନ୍ତ୍ରୀ

ଭୁବନେଶ୍ବର: ଚଳିତ ବର୍ଷ ଶେଷ ସୁଦ୍ଧା ଶେଷ ହେବ କଟକ-ସମ୍ବଲପୁର ରାସ୍ତା କାମ । ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।

୨୬୫ କିଲୋମିଟର ବିଶିଷ୍ଟ କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ରାସ୍ତା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଏଥିରେ ଯେଉଁ ଏଜେନ୍ସି କାମ କରିଥିଲା, ସେ ଏଜେନ୍ସି ଆର୍ଥିକ ଦୁର୍ବଳ ଥିବା କାରଣରୁ କାମ ବିଳମ୍ବ ହୋଇଥିଲା । ହେଲେ ଚଳିତ ବର୍ଷ ଶେଷ ସୁଦ୍ଧା କିନ୍ତୁ ରାସ୍ତା କାମ ଶେଷ ହୋଇଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି , ଗତ ପାଞ୍ଚ ବର୍ଷରେ ରାଜ୍ୟରେ ଯେତିକି ଜାତୀୟ ରାଜପଥ ତିଆରି ହୋଇଥିଲା, ଆଗାମୀ ଗୋଟିଏ ବର୍ଷରେ ସେତିକି ରାସ୍ତା ନିର୍ମାଣ କରାଯିବ। ୨୦୩୬ ଏବଂ ୨୦୪୭କୁ ଆଖିରେ ରଖି ସବୁ ପ୍ରମୁଖ ଅଞ୍ଚଳ, ବାଣିଜ୍ୟ ଅଞ୍ଚଳ ଏବଂ ବନ୍ଦରକୁ ଯୋଗାଯୋଗ କରିବା ପାଇଁ ଯୋଜନା ହୋଇଛି। ଏଥିପାଇଁ ବ୍ଲୁ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ ହୋଇଛି। ଚଳିତ ବର୍ଷ କେନ୍ଦ୍ର ସରକାର ୧୩ ହଜାର କୋଟି ଟଙ୍କାର ନୀତିଗତ ଅନୁମୋଦନ ଦେଇଛନ୍ତି। ସେଥିରେ କଣ୍ଡିସନ୍ ଅଛି ଦ୍ରୁତଗତିରେ କାମ ସାରିବା ପାଇଁ। ସେପ୍ଟେମ୍ବର ସୁଦ୍ଧା ୨ ହଜାର କୋଟି ଟଙ୍କାର ରାସ୍ତା କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।

ସୂଚନାଥାଉକି, କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ନିର୍ମାଣ କାମ ୨୦୧୭ରେ ଆରମ୍ଭ ହୋଇଥିଲା। ଏହି ରାଜପଥ ଡବଲ ଲେନ୍‌ରୁ ଚାରି ଥାକିଆ କରାଯାଉଛି। ଏହି ଜାତୀୟ ରାଜପଥର ନିର୍ମାଣ କାମ ୨୦୨୦ରେ ‌ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ଏହି ପ୍ରକଳ୍ପର ଅନେକ ସ୍ଥାନରେ ଜଙ୍ଗଲ ଜମି ରହିଥିଲା, କରୋନା ସମୟରେ ନିର୍ମାଣ କାମ ପ୍ରଭାବିତ ହେବା ଓ ଠିକା ସଂସ୍ଥାର ଧୀମା ଗତିରେ କାମ ଯୋଗୁ ନିର୍ଦ୍ଧାରିତ ସମୟ ମଧ୍ୟରେ ରାସ୍ତାକାମ ସମାପ୍ତ ହୋଇନାହିଁ।

Comments are closed.