Latest Odisha News

BREAKING NEWS

୯ ଜିଲ୍ଲାକୁ କାଳବୈଶାଖୀ ଆଲର୍ଟ, ୪ ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ରହିବ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ କାଳବୈଶାଖୀ ଜାରି ରହିଛି। ହେଲେ କିଛି କିଛି ସ୍ଥାନରେ ଗୁଳୁଗୁଳି ମଧ୍ୟ ଅନୁଭୂତ ହେଉଛି। ଦିନରେ ଗୁଳୁଗୁଳି ଅପରାହ୍ନରେ କାଳବୈଶାଖୀ। ରାଜ୍ୟରେ ଅସ୍ତବ୍ୟସ୍ତ କରିବ ଗୁଳୁଗୁଳୁ ଓ କାଳବୈଶାଖୀ ବର୍ଷା। ଆଜି ବି କାଳବୈଶାଖୀ ବର୍ଷା ହେବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ।ରାଜ୍ୟର ୯ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ଅଛି।

ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗିର, କୋରାପୁଟ, ରାୟଗଡ଼ା ଓ ଗଜପତିରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି। ୩୦ରୁ ୪୦ କିମି ବେଗରେ ପବନ ବି ବହିପାରେ। କାଳବୈଶାଖୀ ସମୟରେ ୫୦ ରୁ ୬୦ କିମି ବେଗରେ ପବନ ବହିବା ନେଇ ସମସ୍ତ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣି ଜାରି କରାଯାଇଛି । କିନ୍ତୁ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ଓ ବୌଦ୍ଧରେ ଦିନ ତାପମାତ୍ରା ୪୦ ଡିଗ୍ରୀ ବା ଏହା ପାଖାପାଖି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

୧୯ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ବା ଦୁଇଟି ସ୍ଥାନରେ ମଧ୍ୟ ବର୍ଷା ସମ୍ଭାବନା ଅଛି। ୨୦ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି। ୨୧ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଗଞ୍ଜାମ ଓ ଗଜପତିରେ ସ୍ୱଳ୍ପ ବର୍ଷା ହୋଇପାରେ। ୨୨ ଓ ୨୩ ତାରିଖରେ ଉପକୂଳ ଓଡ଼ିଶା ସମେତ ଅନ୍ୟ କିଛି ସ୍ଥାନରେ ହାଲୁକା ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଅନ୍ୟପକ୍ଷରେ ଗତକାଲି ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଜାରି ରହିଛି। ଆଜି ସକାଳ ୮ଟା ୩୦ରେ ଭୁବନେଶ୍ୱରର ତାପମାତ୍ରା ୩୨ ଡିଗ୍ରି ରହିଥିବା ବେଳେ ଆର୍ଦ୍ରତା ୭୦ପ୍ରତିଶତ ରହିଥିଲା। ସେହିପରି ପୁରୀରେ ତାପମାତ୍ରା ୩୩.୬ ଡିଗ୍ରି ଏବଂ ଆର୍ଦ୍ରତା ୭୨.୬ ପ୍ରତିଶତ ରେକର୍ଡ ହୋଇଥିଲା। ଚାନ୍ଦବାଲିରେ ୩୨.୬ ଡିଗ୍ରି ତାପମାତ୍ରା ସହ ଆର୍ଦ୍ରତା ୭୫.୪% ରେକର୍ଡ ହେଇଥିଲା। ସକାଳୁ ସକାଳୁ ଏଭଳି ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଥିଲା। ତେବେ ଆଗାମୀ ଦିନରେ ଉପକୂଳରେ ଏପରି ଗୁଳୁଗୁଳି ସ୍ଥିତି ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

Comments are closed.