ଭୁବନେଶ୍ୱର: ଆପଣ କେବେ ଭୁବନେଶ୍ୱରରେ ବର୍ଷା ଦିନକୁ ଉପଭୋଗ କରିଛନ୍ତି? ଯଦି ଆପଣ ଭୁବନେଶ୍ୱରରେ ରହୁଥିବେ ତ ନିଶ୍ଚିତ ଭାବେ ଭୁବନେଶ୍ୱର ବର୍ଷା ଦେଖିଥିବେ। ଆପଣ ଖଣ୍ଡଗିରିରୁ ବାହାରୁଥିବେ ପ୍ରବଳ ବର୍ଷା ହେଉଥିବ, ଆଉ କିଛି ବାଟ ଗଲାପରେ ପ୍ରବଳ ଖରା ଏବଂ ଗରମ। ଏହି ସମୟରେ ଭାବୁଥିବେ ମାତ୍ର ଦୁଇ କିଲୋମିଟର ରାସ୍ତାର ବ୍ୟବଧାନରେ ଏପରି କେମିତି ସମ୍ଭବ। କେବଳ ଖଣ୍ଡଗିରି ନୁହେଁ ସମାନ ଭାବେ ରସୁଲଗୋଡ଼ରୁ ବାହାରୁଥିବେ ପ୍ରବଳ ଖରା ହେଉଥିବ କିନ୍ତୁ ଜୟଦେବବିହାର ପହଞ୍ଚିଲା ବେଳକୁ ଦେଖୁଥିବେ ପ୍ରବଳ ବର୍ଷା ହେଉଛି। ଭୁବନେଶ୍ୱର ପାଗରେ ଏପରି ଅଜଣା ରହସ୍ୟ ଅନେକ ଥର ଦେଖାଦେଇଛି। ଯେଉଁଥିରେ ସହରର ଗୋଟିଏ ଅଞ୍ଚଳରେ ଝିପିଝିପି ବର୍ଷା ହେଉଥିବା ବେଳେ ଅନ୍ୟ ଅଞ୍ଚଳରେ ଖରାପାଗ ଓ ତାତି ଅନୁଭୂତ ହେଉଛି। ଏପରି କୌତୁହଳ ଏବଂ ରୋଚକ କରାଏ ଭୁବନେଶ୍ୱରର ପାଣିପାଗ। ଆପଣଙ୍କ ମନରେ ବି ଏମିତି ଅନେକଥର ପ୍ରଶ୍ନ ଆସୁଥିବ ହେଲେ ଏହାର ଉତ୍ତର ପାଉନଥିବେ । ଆଜି ଆମେ ଆପଣଙ୍କୁ ବୁଝାଇବୁ ଭୁବନେଶ୍ୱର ପାଣିପାଗ ରହସ୍ୟ ବିଷୟରେ ….
ଭୁବନେଶ୍ୱରରେ ଗୋଟିଏ ସ୍ଥାନରେ ବର୍ଷା ହେଉଥିବା ବେଳେ ଅନ୍ୟ ସ୍ଥାନରେ ନ ହେବାର ମୁଖ୍ୟ କାରଣ ହେଉଛି ସ୍ଥାନୀୟ ପାଣିପାଗ ପରିସ୍ଥିତି ଏବଂ କାଳବୈଶାଖୀ ଝଡ଼। ଭୁବନେଶ୍ୱର ଏକ ଉପକୂଳବର୍ତ୍ତୀ ସହର ହୋଇଥିବାରୁ ବଙ୍ଗୋପସାଗରରୁ ଆସୁଥିବା ଆର୍ଦ୍ର ବାୟୁ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବାଦଲ ସୃଷ୍ଟି କରେ। ଏହି ବାଦଲ ସହରର ସମସ୍ତ ଅଞ୍ଚଳରେ ସମାନ ଭାବେ ବର୍ଷା ନ କରାଇ କେବଳ କିଛି ସ୍ଥାନରେ ବର୍ଷା ହେବାରେ ସହାୟକ ହୁଏ। ମେ ମାସରେ କାଳବୈଶାଖୀ ଝଡ଼ ଓଡ଼ିଶାରେ ସାଧାରଣ। ଏହି ଝଡ଼ ସାଙ୍ଗରେ ବଜ୍ରପାତ ଓ ବର୍ଷା ଆଣିଥାଏ, କିନ୍ତୁ ଏହାର ପ୍ରଭାବ କିଛି ସ୍ଥାନରେ ହୋଇଥାଏ।
ଭୁବନେଶ୍ୱରର ସହରୀ ଅଞ୍ଚଳରେ କଂକ୍ରିଟ ଓ ଉଚ୍ଚ କୋଠାଘର ଯୋଗୁ ତାପମାତ୍ରା ଅଧିକ ରହିଥାଏ, ଯାହା ସ୍ଥାନୀୟ ବାୟୁ ପ୍ରବାହକୁ ପ୍ରଭାବିତ କରେ। ଏହା ବାଦଲ ଗଠନ ଓ ବର୍ଷାରେ ଅସମାନତା ସୃଷ୍ଟି କରେ। ଏଥିପାଇଁ ସହରର ଖୋଲା ଅଞ୍ଚଳ ବା ଉପାନ୍ତ ଅଞ୍ଚଳରେ ଅଧିକ ବର୍ଷା ହେଉଥିବା ବେଳେ ଘନ ବସତି ଅଞ୍ଚଳରେ କମ୍ ହୋଇଥାଏ । ସହରରେ ମାଇକ୍ରୋକ୍ଲାଇମେଟ (Microclimate) ଅଞ୍ଚଳ ଅନୁସାରେ ପାଗ ଭିନ୍ନ ହୋଇଥାଏ। ଉଦାହରଣ ସ୍ୱରୂପ, ଜଙ୍ଗଲ ବା ନଦୀ ନିକଟବର୍ତ୍ତୀ ଅଞ୍ଚଳରେ ଅଧିକ ଆର୍ଦ୍ରତା ଯୋଗୁଁ ବର୍ଷାର ସମ୍ଭାବନା ବୃଦ୍ଧି ପାଇଥାଏ।
Comments are closed.