ୱାଶିଂଟନ୍: ପ୍ରକୃତି ରହସ୍ୟରେ ଭରପୂର । ବୈଜ୍ଞାନିକମାନେ ଏହାର ଗୋଟିଏ ପରେ ଗୋଟିଏ ରହସ୍ୟ ଉଜାଗର କରୁଥିବା ବେଳେ ଏହା କିନ୍ତୁ ଶେଷ ହେବାରେ ନାମ ଧରୁନି । ଆମେରିକାର ମ୍ୟାସାଚୁସେଟ୍ସ ସ୍ଥିତ କେପ୍ କଡ୍ ଅଞ୍ଚଳରେ ଏକ ଅତି ଦୁର୍ଲଭ ଦୁଇ-ମୁଣ୍ଡିଆ କଇଁଛ ଛୁଆ ଦେଖିବାକୁ ମିଳିଛି । ‘ଡାଇମଣ୍ଡବ୍ୟାକ୍ ଟେରାପିନ୍’ ପ୍ରଜାତିର ଏହି କଇଁଛର ଗୋଟିଏ ଶରୀରରେ ଦୁଇଟି ସମ୍ପୂର୍ଣ୍ଣ ସକ୍ରିୟ ମୁଣ୍ଡ ରହିଛି । ଏହି ଛୁଆଟିର ଓଜନ ମାତ୍ର ୫.୧ ରୁ ୫.୨ ଗ୍ରାମ୍ । ବର୍ତ୍ତମାନ ଏହାକୁ ‘କେପ୍ ୱାଇଲ୍ଡଲାଇଫ୍ ସେଣ୍ଟର୍’ର ବିଶେଷଜ୍ଞ ଓ ଭେଟେରିନାରୀ ଡାକ୍ତରଙ୍କ ନଜରରେ ରଖାଯାଇଛି । ଉଭୟ ମୁଣ୍ଡ ସକ୍ରିୟ ଭାବେ ଆହାର ଗ୍ରହଣ କରୁଛନ୍ତି ।
ଏହିପରି ଦୁଇଟି ମୁଣ୍ଡ ରହିବା ଘଟଣାକୁ ବିଜ୍ଞାନ ଭାଷାରେ ‘ବାଇସିଫାଲି’ କୁହାଯାଏ । ଅଣ୍ଡା ଭିତରେ ଭ୍ରୂଣ ବୃଦ୍ଧି ପାଇବା ସମୟରେ ଯଦି ଶରୀରର ଦୁଇଟି ଭାଗ ସମ୍ପୂର୍ଣ୍ଣ ଅଲଗା ହୋଇପାରନ୍ତି ନାହିଁ, ତେବେ ଏପରି ଦୁର୍ଲଭ ସ୍ଥିତି ସୃଷ୍ଟି ହୋଇଥାଏ । କେପ୍ କଡ୍ ଅଞ୍ଚଳରେ ଗତ ୫ ରୁ ୬ ବର୍ଷ ମଧ୍ୟରେ ଏପରି ଦୁଇ-ମୁଣ୍ଡିଆ କଇଁଛ ମିଳିବାର ଏହା ତୃତୀୟ ମାମଲା । ଡାଇମଣ୍ଡବ୍ୟାକ୍ ଟେରାପିନ୍ ସେହି ସ୍ଥାନରେ ଏକ ସଙ୍କଟାପନ୍ନ ପ୍ରଜାତି। ଦୁଇଟି ମୁଣ୍ଡ ହେତୁ ସାଧାରଣ କାଚିମଙ୍କ ତୁଳନାରେ ଏହାକୁ ଖାଦ୍ୟ ଖୋଜିବା ଓ ପାଣିରେ ପହଁରିବାରେ କିଛିଟା ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ ।

