Latest Odisha News

BREAKING NEWS

ରାଜଧାନୀର ୧୯୫ ପୂଜା ମଣ୍ଡପକୁ କରାଗଲା ୩ଟି ବର୍ଗରେ ଶ୍ରେଣୀଭୁକ୍ତ; ସବୁ ପେଣ୍ଡାଲରେ ଲାଗିବ ସିସିଟିଭି

ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରରେ ଚଳିତବର୍ଷ ସୁରକ୍ଷିତ ଦୁର୍ଗାପୂଜା ଆୟୋଜନ କରିବାକୁ କମିଶନରେଟ୍ ପୋଲିସ ବ୍ୟାପକ ବ୍ୟବସ୍ଥା କରିଛି । ଏଥର ଭୁବନେଶ୍ୱରରେ ମୋଟ୍ ୧୯୫ ପୂଜା ମଣ୍ଡପ ହେଉଥିବା ବେଳେ ୩ଟି ବର୍ଗରେ ଶ୍ରେଣୀଭୁକ୍ତ କରାଯାଇଛି । ଗହଳି ଓ ଅନ୍ୟାନ୍ୟ ଦୃଷ୍ଟିରୁ ସେହି ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା କରାଯିବ । ଏପଟେ ସବୁ କମିଟି ସହ ଆମର ଆଇଆଇସି ଓ ଏସିପିଙ୍କ ବୈଠକ ସରିଛି । ସବୁ ପେଣ୍ଡାଲରେ ସିସିଟିଭି ଲଗାଇବାକୁ ଉକ୍ତ ବୈଠକରେ କୁହାଯାଇଛି । ସିସିଟିଭି ଲଗାଇବାକୁ ସମସ୍ତେ ସହମିତି ମଧ୍ୟ ପ୍ରକାଶ କରିଛନ୍ତି । ଗହଳି ସମୟରେ ସାଦା ପୋଷାକରେ ପୋଲିସ କର୍ମଚାରୀ ମୁତୟନ ହେବେ । ମହିଳା ପୋଲିସ ମଧ୍ୟ ରହିବେ।

ଡିସିପି ବିବେକ୍ ଏମ୍. କହିଛନ୍ତି, ଦଶହରା ପର୍ବ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଭୁବନେଶ୍ୱରରେ ଭଲଭାବେ ସୁରକ୍ଷା ବ୍ୟବସ୍ଥା କରୁଛୁ। ଏଥର ମୋଟ୍ ୧୯୫ ମେଢ଼ ହେଉଛି । ମେଢ଼ଗୁଡ଼ିକୁ ୩ଟି ଶ୍ରେଣୀଭୁକ୍ତ କରାଯାଇଛି । A, B ଓ C ଶ୍ରେଣୀରେ ବିଭକ୍ତ କରାଯାଇଛି । ଗହଳି ଓ ଅନ୍ୟାନ୍ୟ ଦୃଷ୍ଟିରୁ ସେହି ଅନୁଯାୟୀ ପୂଜା ମଣ୍ଡପରେ ସୁରକ୍ଷା ବ୍ୟବସ୍ଥା କରାଯିବ ।

ଗତକାଲି ଠାରୁ ଭୁବନେଶ୍ୱରରେ ଫୁଟ୍ ପାଟ୍ରୋଲିଂ ଆରମ୍ଭ କରିସାରିଲୁଣି । ସବୁ ଥାନାରେ ପାଟ୍ରୋଲିଂ ବଢ଼ାଯାଇଛି । ସହରରେ ବାଇକ ପାଟ୍ରୋଲିଂ, ଚାରିଚକିଆ ଯାନ ପାଟ୍ରୋଲିଂ ଓ ଫୁଟ୍ ପାଟ୍ରୋଲିଂ ଚାଲିଛି । ଏବେ ଏକ ଚେନ୍ ଲୁଟେରାକୁ ଗିରଫ କରାଯିବ ସହ ତା ଠାରୁ ଲୁଟ୍ ସାମଗ୍ରୀ ଜବତ କରାଯାଇଛି ବୋଲି ଡିସିପି କହିଛନ୍ତି ।

ଡିସିପି ଆହୁରି ମଧ୍ୟ କହିଛନ୍ତି ଯେ;ପୂଜା ସମୟରେ ଲୋକମାନେ ବାହାରକୁ ଆସୁଥିବା ବେଳେ ଘରେ ଚୋରି ରୋକିବାକୁ ପ୍ରୟାସ କରାଯିବ । ଯେଉଁମାନେ ଆଗରୁ କ୍ରାଇମ କରିଥିଲେ ସେମାନଙ୍କ ତାଲିକା କରାଯିବ । ଯେଉଁ ସ୍ଥାନରେ ଚୋରି ହୋଇଥିଲା ତାହା ଉପରେ ମଧ୍ୟ ନଜର ରଖାଯିବ । ପ୍ରତି ଥାନାରେ ସମ୍ବେଦନଶୀଳ ଅଞ୍ଚଳକୁ ଚିହ୍ନଟ କରି ସ୍ୱତନ୍ତ୍ର ବ୍ୟବସ୍ଥା କରିବୁ । ପାଟ୍ରୋଲିଂ ମଧ୍ୟ ବଢାଇବୁ । ପ୍ରତି ରବିବାର ଜେଲ୍ ପରେଡ୍ କରିବାକୁ କୁହାଯାଇଛି । ଯେଉଁମାନେ ଜେଲରୁ ଆସୁଛନ୍ତି, ସେମାନଙ୍କୁ ପୋଲିସ ଥାନାରେ ହାଜିରା ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଥାଏ । ସେହି ଅନୁଯାୟୀ ତାଲିକା କରି ପଦକ୍ଷେପ ନେବୁ ।

ପୋଲିସକୁ ସହଯୋଗ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି । ରାସ୍ତାରେ ଗାଡ଼ି ପାର୍କିଂ କରିବେ ନାହିଁ । ରଙ୍ଗ୍ ରୁଟରେ ଯିବେନାହିଁ । ଏଭଳି କଲେ ସମସ୍ତଙ୍କ ପାଇଁ ସୁବିଧା ହେବ ।

 

 

Leave A Reply

Your email address will not be published.