Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୪୬: ଯେଉଁ ପରମ ଯୋଗୀ ପୁରୁଷ ଆତ୍ମାରେ ପରମାତ୍ମିକ ସତ୍ତାଙ୍କ ଉପସ୍ଥିତି ଅନୁଭବ କରନ୍ତି ସେ ହିଁ ପରମହଂସ ପଦବାଚ୍ୟ

ଲେଖକ: ଦୟାନିଧି ତ୍ରିପାଠୀ

ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଗ୍ରନ୍ଥର କିଛି ସାର କଥା ଆଲୋଚନା କରିବାର ଉଦ୍ୟେଶ ନେଇ, ଏହି “ଶ୍ରୀ ଭାଗବତ ସାର ” ରଚନାର ଶୁଭ ଆରମ୍ଭ ହୋଇଥିବାରୁ ଏଥିରେ ଭାଗବତର ବିଷୟ ବସ୍ତୁ ଛଡା କିଛି ଏପରି ବିଷୟର ଚର୍ଚ୍ଚା କରିବା ଯାହା ସାଧାରଣ ମନରେ କୌତୁହଳ ସୃଷ୍ଟି କରିଥାଏ। ଅର୍ଥାତ ଆମେ ଆଜି ପ୍ରତ୍ୟେକ ଅଧ୍ୟାୟ ଶେଷରେ ଲିଖିତ “ଇତି ଶ୍ରୀମଦ ଭାଗବତେ ମହାପୁରାଣେ ପାରମହଂସ୍ୟାସହିତାୟାଂ ବୈୟାସିକ୍ୟାମ —–ସମ୍ବାଦେ ନାମ
——–ଅଧ୍ୟାୟ “ବୋଲି ପାଠ କରିଥାଉ। କିନ୍ତୁ ଏହାର ତାତ୍ୱିକ ଆଲୋଚନା କେବେ କରିନଥାଉ ତେବେ ଆଜି ଆମେ ମୁଖ୍ୟତଃ ଦୁଇ ଗୋଟି ବିଷୟରେ ଆଲୋଚନା କରିବା।

ପ୍ରଥମେ ନେବା ପାରମହଂସ୍ୟାସହିତାୟାଂ:- ଏହି ପଦଟି ସୂଚାଇଥାଏ ଯେ ଏହି ରଚନାଟି ପରମହଂସ କୃତ ସଂହିତା। ତେବେ ଏହି ପରମହଂସ କିଏ.? ନିଶ୍ଚିତ ଭାବେ ଜଣେ ପରମହଂସତ୍ବ ପ୍ରାପ୍ତ ମହାପୁରୁଷ, ପୁଣି ପ୍ରଶ୍ନ ଏହି ପରମ ହଂସତ୍ବ ପ୍ରାପ୍ତି ର ମାର୍ଗ କଣ ହୋଇ ଥାଏ, ଶାସ୍ତ୍ର କହେ ଯେଉଁ ପରମ ଯୋଗୀ ପୁରୁଷ ମାନେ ଆତ୍ମା ରେ ପରମାତ୍ମିକ ସତ୍ତାଙ୍କ ଉପସ୍ଥିତି ଅନୁଭବ କରିଥାନ୍ତି ଅବା ପରମାର୍ଥଙ୍କୁ ଉପଲବ୍ଧି କରିଥାନ୍ତି ସେମାନେ ହିଁ ପରମହଂସ ପଦବାଚ୍ୟ। ଏଵେ ସେହି ଅନୁଭବ ଅବା ଉପଲ୍ଲବ୍ଧିଟି ପ୍ରକୃତରେ କଣ ତାହା ଜାଣିବା।

ଏହାମଧ୍ୟ ପଢନ୍ତୁ: https://odishasambad.in/shrimad-bhagwat-katha-45-the-true-spiritual-form-of-nityaras-is-the-sweet-taste-of-surrendering-oneself-to-sri-krishna/

ସାଧାରଣ ଯୋଗୀଟିଏ ପ୍ରବଳ ଯୋଗ ସାଧନା ଦ୍ୱାରା ଭଗବତ ସତ୍ତାର ଅନୁଭବ ପାଇଥାଏ, କିନ୍ତୁ ଯେତେବେଳେ ଯୋଗ ସାଧନା ଚରମ ସୀମାରେ ପହଞ୍ଚେ ସେତେବେଳେ ଉକ୍ତ ଯୋଗୀ ନିଜ ମଧ୍ୟରେ ପରମାର୍ଥଙ୍କୁ ଉପଲ୍ଲବ୍ଧି କରନ୍ତି। ଶାଙ୍କରଭାଷ୍ୟରେ ଏହା ହେଉଛି “ସୋଅହଂ ଅହଂସଃ”ଅର୍ଥାତ ସେ ହିଁ ମୁଁ ଓ ମୁଁ ହିଁ ସେ। ଅନ୍ୟ ଭାଷାରେ କହିଲେ ଜୀବତ୍ମା ଓ ପରମାତ୍ମାଙ୍କ ମଧ୍ୟରେ ଏକିଭୁତ ସତ୍ତାର ଉପଲ୍ଲବ୍ଧି। ପରଂବ୍ରହ୍ମ ଓ ନିଜ(ବ୍ରହ୍ମ) ମଧ୍ୟରେ କୌଣସି ପୃଥକୀକରଣ କରନ୍ତି ନାହିଁ।

ଯୋଗ ସାଧନାର ଏହା ଏକ ଚରମ ଅବସ୍ଥାର ଶ୍ରେଷ୍ଠ ଉପଲ୍ଲବ୍ଧି। ବ୍ୟାସଦେବ କୃତ ଏହି ମହାପୁରାଣଙ୍କୁ ପାରମହଂସ ସଂହିତା ଭାବେ ବର୍ଣ୍ଣନା। ତେଣୁ ଶାସ୍ତ୍ର ଅନୁସାରେ ପ୍ରମାଣିତ ହୁଏ। କହିବା ବାହୁଲ୍ୟ ଯେ ବ୍ୟାସଦେବ ନିଶ୍ଚିତ ଭାବେ ପରମହଂସତ୍ବ ପ୍ରାପ୍ତ ଅଟନ୍ତି, ଆମେ ତ ତାଙ୍କୁ ସ୍ୱୟଂ ଭଗବାନ ସ୍ୱରୂପରେ ଦେଖିଥାଉ। ଶାସ୍ତ୍ରରେ ଏହା ବର୍ଣିତ “ବ୍ୟାସ ନାରାୟଣ ସ୍ୱୟଂ “ଅନ୍ୟ ରୂପେ ଶ୍ରୀଜଗନ୍ନାଥ ଦାସଙ୍କ ଉକ୍ତି
ହଂସ ପୁରୁଷ ଭଗବାନ।
ପରମ ଆତ୍ମା ଦିବ୍ୟ ଜ୍ଞାନ।।
ତେବେ ସ୍ୱୟଂ ଭଗବାନଙ୍କୁ କାହିଁକି ହଂସ ପୁରୁଷ କୁହାଗଲା ତାର ସୁନ୍ଦର ବର୍ଣନା ଶ୍ରୀମଦ ଭାଗବତର ଏକାଦଶ ସ୍କନ୍ଦ ତ୍ରୟୋଦଶ ଅଧ୍ୟାୟରେ ବର୍ଣିତ ହୋଇଛି। ପ୍ରସଙ୍ଗର ଆବଶ୍ୟକତା ଦୃଷ୍ଟିରୁ ତାହାର ସମ୍ୟକ ଆଲୋଚନା ଆଗାମୀ ଅଧ୍ୟାୟରେ କରିବା ସହିତ “ବୈୟାସିକ୍ୟମ୍”ର ତାତ୍ୱିକ ଆଲୋଚନା ମଧ୍ୟ କରିବା ବର୍ତ୍ତମାନ ବ୍ୟାସ ରୂପୀ ଭଗବାନଙ୍କ କୃତ ଶ୍ରୀମଦ ଭାଗବତ ଗ୍ରନ୍ଥଙ୍କ ଶରଣ ନେବା।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ)

 

Comments are closed.