ନୂଆଦିଲ୍ଲୀ: ଭାରତ ପାକିସ୍ତାନ ମଧ୍ୟରେ ସାମ୍ପ୍ରତିକ ବିବାଦ ପରେ ଏବେ ପିଓକେକୁ ଭାରତରେ ପୁଣି ମିଶାଇବା ଚର୍ଚ୍ଚା ଜୋର ଧରିଛି । ପହଲଗାମ ଆକ୍ରମଣ ଏବଂ ପ୍ରତିଶୋଧ ପାଇଁ ଆରମ୍ଭ ହୋଇଥିବା ଅପରେସନ ସିନ୍ଦୁର ପରେ, ପିଓକେର ଶବ୍ଦ ପୁଣି ଥରେ ଶୁଣିବାକୁ ମିଳିଛି। ଯାହାକୁ ନେଇ ଏବେ ସବୁ ଭାଷଣରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରତିରକ୍ଷା ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ରଣହୁଙ୍କାର ଭରୁଛନ୍ତି । ଯଦି କଥା ହେବ ପିଓକେ ନେଇ ହେବ । ପ୍ରଶ୍ନ ଉଠୁଛି, କେମିତି ଭାରତକୁ ଫେରିବ ପିଓକେ ? ଯୁଦ୍ଧ ହେବ ନା ଆଲୋଚନା ମାଧ୍ୟମରେ ହିଁ ପାକିସ୍ତାନଠୁ ପିଓକେ ଫେରିପାଇବ ଭାରତ ?
ଏମିତି ଫେରିବ ପିଓକେ?
୭ ବର୍ଷ ପୂର୍ବେ ୨୦୧୯ ରେ, ଗୃହମନ୍ତ୍ରୀ ଅମିତ ଶାହ ଦେଶର ସଂସଦରେ ଠିଆ ହୋଇ ଦାବି କରିଥିଲେ, ପିଓକେ କେବଳ ଏକ ଭୂମି ଖଣ୍ଡ ନୁହେଁ ବରଂ ଏହା ଭାରତର ମୁକୁଟ। ଗିଲଗିଟରୁ ବାଲ୍ଟିସ୍ତାନ ପର୍ଯ୍ୟନ୍ତ, ସେହି ଭୂମିର ସ୍ୱର୍ଗ ଯାହା ଅଖଣ୍ଡ ଭାରତକୁ ସମାପ୍ତ କରେ । ଆଉ ଗତ କିଛି ଦିନ ହେବ ପିଓକେକୁ ନେଇ ଚାଲିଥିବା ଚର୍ଚ୍ଚା ହିଁ ପିଓକେକୁ ଫେରି ପାଇବାର ବଡ ଅସ୍ତ୍ର ବୋଲି କୁହାଯାଉଛି । କାରଣ ପିଓକେକୁ ଫେରାଇ ଆଣିବାର କେବଳ ଦୁଇଟି ଉପାୟ ଅଛି। ପ୍ରଥମ ହେଉଛି ଆଲୋଚନା ଏବଂ ଦ୍ୱିତୀୟ ଯୁଦ୍ଧ। ହେଲେ ପିଓକେ ଯୁଦ୍ଧ ନୁହେଁ କେବଳ ଆଲୋଚନାରେ ଜିତି ହେବ ବୋଲି ଲଗାତାର ବାର୍ତ୍ତା ଦେଇ ଆସୁଛନ୍ତି ଭାରତର ନେତୃତ୍ବ । ମୋଦି ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କ ବିବୃତ୍ତିରୁ ସ୍ପଷ୍ଟ ଯେ ପାକିସ୍ତାନକୁ ପିଓକେ ଉପରେ କଥାବାର୍ତ୍ତା କରିବାକୁ ଏବଂ ପିଓକେ ଉପରେ ନିଜର ଦାବି ଛାଡି ଭାରତକୁ ହସ୍ତାନ୍ତର କରିବାକୁ ବାଧ୍ୟ ହେବାକୁ ପଡିବ। କିନ୍ତୁ ପ୍ରଶ୍ନ ଉଠୁଛି ଏହା କ’ଣ ଏତେ ସହଜ?
କ’ଣ କହୁଛନ୍ତି ଦେଶର ନେତୃତ୍ବ?
ଅପରେସନ ସିନ୍ଦୁରର ପ୍ରଥମ ଭାଷଣରେ ମୋଦି ସ୍ପଷ୍ଟ କରିଦେଇଥିଲେ, ଯଦି ପାକିସ୍ତାନ ସହ ଭାରତ କଥା ହେବ, ତ କେବଳ ପିଓକେ ବିଷୟରେ ହେବ, ଆତଙ୍କବାଦ ବିରୁଦ୍ଧରେ ହେବ । ଆଉ ଏହାକୁ ମଧ୍ୟ ଅନେକ ଭାଷଣରେ କହି ପାକିସ୍ତାନକୁ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି । ଏହା ସତ୍ତ୍ବେ, ଏହି ସପ୍ତାହ ପ୍ରାରମ୍ଭରେ ପାକ୍ ପ୍ରଧାନମନ୍ତ୍ରୀ ଭାରତ ସହ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି ପ୍ରସ୍ତାବ ଦେଇଛନ୍ତି । ଏଥିସହିତ ପ୍ରତିରକ୍ଷା ମନ୍ତ୍ରୀ ଆତ୍ମବିଶ୍ୱାସର ସହିତ କହୁଛନ୍ତି ଯେ ସେ ବହୁତ କିଛି କରିପାରିଥାନ୍ତେ, କିନ୍ତୁ ଶକ୍ତି ସହିତ ସଂଯମର ପଥ ବାଛିଥିଲେ । ଏହାର ଅର୍ଥ ପହଲଗାମ ଆକ୍ରମଣ ପରେ ଯେତେବେଳେ ପାକିସ୍ତାନକୁ ଅପରେସନ ସିନ୍ଦୁର ସହିତ ଜବାବ ଦିଆଯାଇଥିଲା, ସେତେବେଳେ ଶକ୍ତି ବ୍ୟବହାର କରି ପିଓକେ ହାସଲ କରାଯାଇ ପାରିଥାନ୍ତା, କିନ୍ତୁ ଦେଶ ସଂଯମର ପଥ ବାଛିଲା ।
ସହଜ ନୁହେଁ ପିଓକେ ଯାତ୍ରା…
ପାକିସ୍ତାନଠୁ ପିଓକେ ଫେରିପାଇବେ ଏତେ ସହଜ ନୁହେଁ । କାରଣ ପାକିସ୍ତାନ ଦଖଲ କରିଥିବା କାଶ୍ମୀରକୁ ୩ ଭାଗରେ ବିଭକ୍ତ କରିଛି । ପାକିସ୍ତାନ ତା’ର ଅଧିକୃତ କାଶ୍ମୀରର ୫ ହଜାର ୧୮୦ ବର୍ଗ କିଲୋମିଟର ଅଞ୍ଚଳ ଚୀନକୁ ଦେଇଛି। ପାକିସ୍ତାନ ଦେଇ ଚୀନ୍ ଦଖଲ କରିଥିବା ଏହି ଅଂଶକୁ ଅକ୍ସାଇ ଚୀନ୍ କୁହାଯାଏ। ଦ୍ୱିତୀୟ ଭାଗ ହେଉଛି ଗିଲଗିଟ ବାଲ୍ଟିସ୍ତାନର, ଯେଉଁଥିରେ ୧୪ ଜିଲ୍ଲା ରହିଛି । ଆଉ ଅବଶିଷ୍ଟ ତୃତୀୟ ଭାଗ ହେଉଛି ପିଓକେର। ଯେଉଁଥିରେ ମାତ୍ର ୧୦ ଜିଲ୍ଲା ଅଛି । ଏହାର ଅର୍ଥ ହେଉଛି ଯେ ଭାରତର ଯେତିକି ଅଞ୍ଚଳ ଅଛି ତା’ଠାରୁ ଅଧିକ ଅଞ୍ଚଳ ବର୍ତ୍ତମାନ ଚୀନ୍ ଏବଂ ପାକିସ୍ତାନର ନିୟନ୍ତ୍ରଣରେ ଅଛି । ଯାହା ଭାରତର ପିଓକେ ଫେରିପାଇବେ ଯାତ୍ରାରେ ଚୀନ ବଡ କଣ୍ଟା ସାଜିବ ।
ତେବେ ଗତ ୧୦ ଦିନ ମଧ୍ୟରେ ବାରମ୍ବାର ପିଓକେ ନେଇ ମତ ରଖିଲେଣି ପ୍ରଧାନମନ୍ତ୍ରୀ ମୋଦି ଏବଂ ରକ୍ଷାମନ୍ତ୍ରୀ ରାଜନାଥ ସିଂ । ଯାହା ପିଓକେ ନେଇ ଭାରତର ଆଭିମୁଖ୍ୟକୁ ପୁଣି ତେଜିଛି ବୋଲି ସ୍ପଷ୍ଟ ବାର୍ତ୍ତା ଦେଉଛି । ତେବେ ଯଦି ପିଓକେ ଭାରତରେ ମିଶିଯାଏ, ତେବେ କାଶ୍ମୀର ଉପତ୍ୟକାରେ ହେଉଥିବା ସମସ୍ତ ପ୍ରକାରର ବିଚ୍ଛିନ୍ନତାବାଦ, ଆତଙ୍କବାଦ ଏବଂ ସମସ୍ତ ଭାରତ ବିରୋଧୀ କାର୍ଯ୍ୟକଳାପର ଅନ୍ତ ଘଟିବ। ଆଉଚ ସବୁଠୁ ବଡ କଥା ହେଉଛି, ଦେଶର ଦୁଇ ଶତ୍ରୁ ଚୀନ ଏବଂ ପାକିସ୍ତାନ ଦୁର୍ବଳ ହୋଇଯିବେ କାରଣ ପାକିସ୍ତାନ ଏବଂ ଚୀନ ମଧ୍ୟରେ ସମ୍ପର୍କ ଭାଙ୍ଗିଯିବ। ଏଥିସହିତ ଯଦି ପିଓକେ ଅଧିଗ୍ରହଣ କରାଯାଏ, ତେବେ ଭାରତର ସୀମା ସିଧାସଳଖ ଆଫଗାନିସ୍ତାନ ସହିତ ସଂଯୋଗ ହୋଇଯିବ।
Comments are closed.