ନୂଆଦିଲ୍ଲୀ: ଫିଲ୍ମ ଜଗତରେ କମାଲ କରିଥିବା କମଲ ହାସନ ରାଜନୀତିରେ ଏପର୍ଯ୍ୟନ୍ତ ହିଟ୍ ଦେଇ ପାରିନାହାନ୍ତି । ଆସନ୍ତା ୧୯ଜୁନରେ ହେବାକୁ ଯାଉଥିବା ରାଜ୍ୟସଭା ନିର୍ବାଚନରେ ଭାଗ ନେବେ କମଲ ହାସନ । ତାଙ୍କ ଦଳ ଏମଏନଏମ ସହ ତାମିଲନାଡୁର ଶାସକ ଡିଏମକେର ମେଣ୍ଟ ରହିଛି । ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ନିଜ ରାଜ୍ୟସଭା କୋଟାରୁ ଗୋଟିଏ ସିଟ୍ କମଲ ହାସନଙ୍କୁ ଦେଇଛନ୍ତି । ତେବେ କମଲ ହାସନଙ୍କୁ ରାଜ୍ୟସଭା ପଠାଇବା ପଛରେ ଡିଏମକେର ବଡ଼ ରଣନୀତି ରହିଛି । ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହା ପୂର୍ବରୁ ଏନଡିଏ ଅଭିନେତାରୁ ରାଜନେତା ପାଲଟିଥିବା ବିଜୟଙ୍କୁ ମେଣ୍ଟ ନିମନ୍ତ୍ରଣ ପଠାଇଛି । ଆଉ ପ୍ରଚାର ମଇଦାନରେ ଷ୍ଟାର ପାଓ୍ବାର ବଢାଇବାକୁ କମଲ ହାସନଙ୍କୁ ଠିଆ କରାଇପାରେ ଡିଏମକେ ।
କମଲ ହାସନ Vs ବିଜୟ !
ଦକ୍ଷିଣ ରାଜନୀତିରେ ଅଭିନେତାଙ୍କ ପ୍ରଭାବ ବେଶ୍ ଅଧିକ । ଅଭିନେତାଙ୍କୁ ଭଗବାନ ଭାବନ୍ତି ଲୋକେ । ଆଉ ସେଥିପାଇଁ ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ସୁପରଷ୍ଟାର ବିଜୟଙ୍କ ଦଳ ସହ ମେଣ୍ଟ ପାଇଁ ନିମନ୍ତ୍ରଣ କରି ଆଗୁଆ ଗୋଟି ଚଳାଇଛି ବିଜେପି । ଏହା ଡିଏମକେ ପାଇଁ ଅସୁବିଧା ବଢାଇପାରେ । କାରଣ ବିଜୟଙ୍କ ଷ୍ଟାର ପାଓ୍ବାର ବିଶେଷ କରି ଯୁବବର୍ଗ ଓ ମହିଳାଙ୍କ ମଧ୍ୟରେ ଲୋକପ୍ରିୟତା ରହିଛି । ତେଣୁ ପ୍ରଚାର ମଇଦାନରେ ବିଜୟଙ୍କ ସାମନାରେ କମଲ ହାସନଙ୍କୁ ଠିଆ କରାଇବାକୁ ଆଗୁଆ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି ଡିଏମକେ । ବିଜୟ ଓ କମଲ ହାସନ ଉଭୟ ସମାନ ଲିଗର ଅଭିନେତା ନହେଲେ ମଧ୍ୟ ଫିଲ୍ମ ଇଣ୍ଡଷ୍ଟ୍ରୀରେ କମଲ ହାସନ ବଡ଼ ନାଁ । ତେଣୁ ବିଜୟଙ୍କୁ କାଉଣ୍ଟର କରିବାକୁ ତାଙ୍କୁ ଅସ୍ତ୍ର କରିପାରେ ଡିଏମକେ ।
କାହିଁକି ବିଜୟ ବଢାଇପାରନ୍ତି ଚିନ୍ତା?
ଏଆଇଏଡିଏମକେ ଓ ବିଜେପି ନିର୍ବାଚନମଣ୍ଡଳୀ ଓ କର୍ମୀସ୍ତରରେ ଥିବା ମତଭେଦର ସମାଧାନ କରିପାରିଲେ ଡିଏମକେକୁ କଡା ଟକ୍କର ଦେଇପାରନ୍ତି । ୨୦୧୬ରେ ଜୟଲଳିତାଙ୍କ ବିଜୟ ପଛରେ ଥିଲା ତୃତୀୟ ମୋର୍ଚ୍ଚାର ଭୂମିକା । ସେତେବେଳେ ଭାଇକୋ, ବିଜୟକାନ୍ତ ଓ ଜିକେ ଭାସନଙ୍କ ପରି ନେତା ପିପୁଲ୍ସ ଓ୍ବେଲଫେୟାର ଫ୍ରଣ୍ଟ ନାମକ ତୃତୀୟ ମୋର୍ଚ୍ଚା କରି ଏଆଇଏଡିଏମକେ ବିରୋଧୀ ଭୋଟକୁ ବିଭାଜିତ କରିଥିଲେ । ଏବେ ସମାନ ଚିନ୍ତା ବିଜୟ ଓ ତାଙ୍କ ଦଳ ଟିଭିକେକୁ ନେଇ ରହିଛି । ସେଥିପାଇଁ ବିଜୟଙ୍କ ବିରୋଧରେ ପୂର୍ବରୁ ଅନେକ ବିଜେପି ନେତା ମନ୍ତବ୍ୟ ଦେଇଥିଲେ ମଧ୍ୟ ଏବେ ବିଜୟଙ୍କୁ ମେଣ୍ଟ ସହଯୋଗୀ କରିବାକୁ ଏନଡିଏ ଆଗ୍ରହୀ । ଏପରିକି ବିଜୟ କିମ୍ବା ତାଙ୍କ ଦଳର ନେତାଙ୍କୁ ଏଆଇଏଡିଏମକେ କୋଟାରୁ ରାଜ୍ୟସଭା ପଠାଇବାକୁ ଅଫର ଦେଇପାରେ ବୋଲି ଚର୍ଚ୍ଚା ହେଉଛି । ସେପଟେ କମଲ ହାସନଙ୍କୁ ରାଜ୍ୟସଭା ପଠାଇ ରାଜ୍ୟର ଶିକ୍ଷିତ ଓ ସହରାଞ୍ଚଳ ଭୋଟରଙ୍କୁ ଫୋକସ୍ କରିବାକୁ ଚାହୁଁଛି ଡିଏମକେ ।
ଷ୍ଟାର ପାଓ୍ବାରରୁ ଡିଏମକେକୁ ଫାଇଦା !
ରାଜନୀତିରେ ଲୋକପ୍ରିୟ ଚେହେରାକୁ ଅଲଗା ଫାଇଦା ମିଳେ । ଏମଜି ରାମଚନ୍ଦ୍ରନ, ଏମ୍ କରୁଣାନିଧି ହୁଅନ୍ତି କି ଜୟଲଳିତା, ତାମିଲନାଡୁରେ ସିନେ ଅଭିନେତା ପୂର୍ବରୁ ବି ସଫଳ ରାଜନେତା ବନିଛନ୍ତି । ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ମଧ୍ୟ ଫିଲ୍ମ ଦୁନିଆ ସହ ଜଡିତ । ମେଣ୍ଟ ସହଯୋଗୀ ଭାବେ କମଲ ହାସନ ରାଜ୍ୟସଭା ଗଲେ, ସେଠାରେ ସେ ଡିଏମକେ ପାଇଁ ସ୍ବର ଉଠାଇବେ । ବଡ଼ ଷ୍ଟାର ଭାବେ କମଲ ହାସନଙ୍କ କଥା ଦେଶର କୋଣ ଅନୁକୋଣରେ ପହଞ୍ଚିବ । ବିଶେଷ କରି ହିନ୍ଦୀ ହାର୍ଟଲ୍ୟାଣ୍ଡରେ ଡିଏମକେର ସ୍ବର ପହଞ୍ଚିବ । ରାଜ୍ୟସଭାରେ ତାମିଲନାଡୁର ସାଂସ୍କୃତିକ ତଥା ସାମାଜିକ ପ୍ରସଙ୍ଗକୁ ଉଠାଇପାରିବେ। ଫଳରେ ଡିଏମକେର ଆଞ୍ଚଳିକ ଦଳ ଭାବେ ପରିସର ବଢିବ ।
ଆସନ୍ତାବର୍ଷ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଏବେଠୁ ମେଣ୍ଟ ଗଣିତ କଷି ବିଜୟ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ସବୁ ଦଳ । ତାମିଲ ଓ କନ୍ନଡ ଭାଷା ବିବାଦକୁ ନେଇ କମଲ ହସନ ଚର୍ଚ୍ଚାରେ ରହିଛନ୍ତି । ରାଜ୍ୟସଭାରେ ସେ ଭାଷା, ସଂସ୍କୃତି ତଥା ଅଣବିଜେପି ଶାସିତ ଦକ୍ଷିଣ ଭାରତ ପ୍ରତି ଭେଦଭାବକୁ ନେଇ ସ୍ବର ଉଠାଇବେ। ତେବେ ନିର୍ବାଚନ ପ୍ରଚାର ମଇଦାନରେ ଦେଖିବାକୁ ମିଳିପାରେ କମଲ ହାସନ ବନାମ ବିଜୟ ।
Comments are closed.