Latest Odisha News

BREAKING NEWS

ବନ୍ଦ ହୋଇଯିବ ଗାଜାରେ ଯୁଦ୍ଧ !

ନୂଆଦିଲ୍ଲୀ: ଗାଜାରେ ଯୁଦ୍ଧ ବନ୍ଦ ହେବା ନେଇ ଆଶା ଦେଖା ଦେଇଛି । ଇସ୍ରାଏଲ୍ ହମାସ ସହ ଅସ୍ଥାୟୀ ଅସ୍ତ୍ରବିରତି ନେଇ ଆମେରିକାର ନୂଆ ପ୍ରସ୍ତାବକୁ ସ୍ବୀକାର କରିଛି । ଇସ୍ରାଏଲ୍ ଓ ହମାସ ମଧ୍ୟରେ ଯୁଦ୍ଧ ରୋକିବା ଓ ବନ୍ଧକଙ୍କ ମୁକ୍ତି ପାଇଁ ପ୍ରସ୍ତାବ ରଖିଛନ୍ତି ଟ୍ରମ୍ପ ପ୍ରଶାସନର ମଧ୍ୟପ୍ରାଚ୍ୟ ରାଷ୍ଟ୍ରଦୂତ ସ୍ଟିଭ ଓ୍ବିଟକଫ । ପ୍ରସ୍ତାବକୁ ନେଇ ଇସ୍ରାଏଲ୍ ସହମତି ଦେଇଥିବା ଗୁରୁବାର ହ୍ବାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି । ତେବେ ଅସ୍ତ୍ରବିରତି ପ୍ରସ୍ତାବ ଯୁଦ୍ଧ ବନ୍ଦ କରିବା ସହ ପ୍ରମୁଖ ଦାବିଗୁଡିକୁ ପୂରଣ କରୁନଥିବା ହମାସ ଅଧିକାରୀ କହିଛନ୍ତି । ଦାୟିତ୍ବର ସହ ସମୀକ୍ଷା କରିବା ପରେ ନିଜ ଲିଖିତ ଜବାବ ଦେବ ବୋଲି ହମାସ କହିଛି।

ଯୁଦ୍ଧବିରତି ପ୍ରସ୍ତାବରେ କ’ଣ ରହିଛି?

ନୂଆ ଯୁଦ୍ଧବିରତି ପ୍ରସ୍ତାବ ଅନୁସାରେ ଇସ୍ରାଏଲି ସେନା ପୂର୍ବ ସ୍ଥିତିକୁ ଫେରିଯିବ । ୧୧ଶହ ପାଲେଷ୍ଟାଇନ୍ କଏଦୀଙ୍କ ବଦଳରେ ହମାସ ୧୦ ଜୀବିତ ବନ୍ଧକଙ୍କୁ ମୁକ୍ତ କରିବ । ଏହାସହ ମୃତ ବନ୍ଧକଙ୍କ ଶବ ଫେରାଇବ । ପ୍ରସ୍ତାବ ଅନୁସାରେ ଇସ୍ରାଏଲ ଫେରାଇବାକୁ ଥିବା ପାଲେଷ୍ଟାଇନ୍ କଏଦୀଙ୍କ ମଧ୍ୟରେ ଘାତକ ଆକ୍ରମଣ ପାଇଁ ଦୋଷୀ ସାବ୍ୟସ୍ତ ତଥା ଲମ୍ବା ଦଣ୍ଡାଦେଶ କାଟୁଥିବା ଶହେ କଏଦୀ ମଧ୍ୟ ରହିଛନ୍ତି । ନୂଆ ପ୍ରସ୍ତାବରେ ୬୦ଦିନ ଯୁଦ୍ଧ ରୋକିବାକୁ କୁହାଯାଇଛି । ତେବେ ବଡ଼ କଥା ହେଲା ହମାସ ବନ୍ଧକଙ୍କୁ ମୁକ୍ତ କରିବା ପରେ ଇସ୍ରାଏଲ୍ ଗାଜା ଷ୍ଟ୍ରିପରେ ସେନା ଅଭିଯାନ ପୁଣି ଆରମ୍ଭ କରିବ ନାହିଁ । ଯୁଦ୍ଧବିରତି ସମୟରେ ସହାୟତା ନେଇ ଆସୁଥିବା ଶତାଧିକ ଟ୍ରକକୁ ଗାଜା ଯିବା ପାଇଁ ଅନୁମତି ଦେବ ଇସ୍ରାଏଲ୍ । ଫଳରେ ମାସ ମାସ ଧରି ନାକାବନ୍ଦୀ ଯୋଗୁଁ ସମସ୍ୟା ଭୋଗୁଥିବା ଗାଜାବାସୀଙ୍କୁ ସହାୟତାମ ମିଳିପାରିବ । କାରଣ ବାହାରୁ ସହାୟତା ପହଞ୍ଚି ନପାରିବାରୁ ଭୋକରେ ଅନେକଙ୍କ ମୃତ୍ୟୁ ହୋଇଛି ।

କ’ଣ ଚାହୁଁଛି ଇସ୍ରାଏଲ୍?

ସମସ୍ତ ବନ୍ଧକଙ୍କୁ ମୁକ୍ତ ନକରିବା ଯାଏଁ ଯୁଦ୍ଧ ଜାରି ରହିବ ବୋଲି ଲମ୍ବା ସମୟ ଧରି କହି ଆସୁଛନ୍ତି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ଗାଜା ଉପରେ ଲମ୍ବା ସମୟ ଧରି ଇସ୍ରାଏଲ୍ ନିଜ ନିୟନ୍ତ୍ରଣ ରଖିବା ସହ ସେଠାରେ ଦେଶ ଜନସଂଖ୍ୟାର କିଛି ଅଂଶ ବସବାସ କରିବେ ବୋଲି ନେତାନ୍ୟାହୁ କହିଥିଲେ । ତେବେ ଗାଜାରେ ରହିବା ଇସ୍ରାଏଲ୍ ଲୋକଙ୍କ ଇଚ୍ଛା ଉପରେ ନିର୍ଭର କରେ। ସେପଟେ ଗାଜାରେ ଇସ୍ରାଏଲି ନାଗରିକ ବସବାସ କରିବା ଯୋଜନାକୁ ପାଲେଷ୍ଟାଇନ୍ ସହ ଅନ୍ତର୍ଜାତୀୟ ସଂଘ ଅସ୍ବୀକାର କରିଛନ୍ତି । ଏଭଳି କରିବା ଦ୍ବାରା ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ ହେବ ବୋଲି ବିଶେଷଜ୍ଞ କହିଛନ୍ତି ।

କ’ଣ ଚାହୁଁଛି ହମାସ?

ହମାସ ସମସ୍ତ ଇସ୍ରାଏଲୀ ବନ୍ଧକଙ୍କୁ ମୁକ୍ତ କରିବାକୁ ରାଜି ଅଛି । ତେବେ ଏହା ବଦଳରେ ଇସ୍ରାଏଲକୁ ଅଧିକ ପାଲେଷ୍ଟାଇନ କଏଦୀଙ୍କୁ ଛାଡିବାକୁ ପଡିବ । ଏହାସହ ଗାଜାରେ ସ୍ଥାୟୀ ଯୁଦ୍ଧ ବିରାମ ପାଇଁ ସଂପୂର୍ଣ୍ଣ ଭାବେ ଇସ୍ରାଏଲ୍ ସେନା ପ୍ରତ୍ୟାହାର ପାଇଁ ହମାସ ସର୍ତ୍ତ ରଖିଛି । ରାଜନୈତିକ ଭାବେ ନିରପେକ୍ଷ ପାଲେଷ୍ଟାଇନ୍ ସମିତିକୁ ଗାଜାର ନିୟନ୍ତ୍ରଣ ଦେବାକୁ ସଙ୍କେତ ଦେଇଛି । ଯାହାଦ୍ବାରା ଗାଜାରେ ପୁନର୍ନିମାଣ କାମ ହୋଇପାରିବ। ହମାସ କବଜାରେ ଏବେ ୫୮ଜଣ ବନ୍ଧକ ରହିଛନ୍ତି, ତେବେ ଏହାମଧ୍ୟରୁ ଏକ ତୃତୀୟାଂଶ ଜୀବିତ ରହିଥିବା ଆକଳନ କରାଯାଉଛି । ଯୁଦ୍ଧ ଜାରି ରହିଲେ ସେମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଛି ।

ମାର୍ଚ୍ଚ ମାସରେ ଇସ୍ରାଏଲ ପକ୍ଷରୁ ପୁଣି ଗାଜାରେ ସେନା ଅଭିଯାନ ଆରମ୍ଭ କରିବା ପରଠୁ ୫୪ହଜାରରୁ ଅଧିକ ପାଲେଷ୍ଟାଇନ୍ ନାଗରିକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଅଧିକ ସଂଖ୍ୟାରେ ମହିଳା ଓ ପିଲା ରହିଛନ୍ତି । ୨୦୨୩ ଅକ୍ଟୋବର ୭ତାରିଖରେ ହମାସ ଇସ୍ରାଏଲରେ ପଶି ୧୨ଶହରୁ ଅଧିକଙ୍କୁ ମାରିବା ସହ ୨୫୧ଜଣଙ୍କୁ ବନ୍ଧକ ରଖିଥିଲା । ଏହାପରେ ହମାସକୁ ମାଟିରେ ମିଶାଇବାକୁ ସ୍ବର୍ଡସ ଅଫ୍ ଆଇରନ ଅପରେସନ୍ ଆରମ୍ଭ କରିଥିଲା ଇସ୍ରାଏଲ୍ । ହମାସର ନେଟଓ୍ବର୍କକୁ ବରବାଦ କରିବାକୁ ଗ୍ରାଉଣ୍ଡ ଅପରେନସ୍ କରିଥିଲା ଇସ୍ରାଏଲ୍ । ଯୁଦ୍ଧ ପାଇଁ ଧ୍ବଂସସ୍ତୁପ ପାଲଟିଛି ଗାଜା । ବୋମାଠୁ ଅଧିକ ଜୀବନ ନେଉଛି ଖାଦ୍ୟ ସଂକଟ ।

Comments are closed.