Latest Odisha News

BREAKING NEWS

ବ୍ୟକ୍ତିଙ୍କ ଶରୀରରୁ ୮.୭ କେଜି ଓଜନର କିଡନୀ ମାସ ଅପସାରଣ କରି ରେକର୍ଡ କଲା ଏମ୍ସ ଭୁବନେଶ୍ୱର

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରରେ ବିରଳ ଅପରେଶନ । ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କ ଶରୀରରୁ ସଫଳତାର ସହ ୮.୭ କିଲୋଗ୍ରାମ ଓଜନର ଭାରତର ସବୁଠାରୁ ବଡ଼ କିଡନୀ ମାସକୁ ଅପସାରଣ କରାଯାଇଛି । ବ୍ୟକ୍ତି ଜଣକ ଅଟୋସୋମାଲ ଡୋମିନାଣ୍ଟ ପଲିସିଷ୍ଟିକ କିଡନୀ ଡିଜିଜ (ଏଡିପିକେଡି) ନାମକ ଜେନେଟିକ ରୋଗରେ ପୀଡ଼ିତ ଥିଲେ ।

ତେବେ ଉକ୍ତ ରୋଗୀଙ୍କ ଘର ନୟାଗଡ଼ ଜିଲ୍ଲାରେ । ସେ ଏହି ରୋଗରେ ତୀବ୍ର ପେଟ ଯନ୍ତ୍ରଣା ଓ ଅସୁବିଧା ଭୋଗୁଥିଲେ । ଏକ ଉଚ୍ଚ ସ୍ତରୀୟ ଟିମ୍ ପାଞ୍ଚ ଘଣ୍ଟିଆ ଅସ୍ତ୍ରୋପଚାର ପରେ ରୋଗୀ ବର୍ତ୍ତମାନ ସ୍ଥିର ଅଛନ୍ତି ଏବଂ ଭଲ ଭାବେ ଆରୋଗ୍ୟ ହେଉଛନ୍ତି ବୋଲି ହସ୍ପିଟାଲ ଅଧିକାରୀମାନେ ସୂଚନା ଦେଇଛନ୍ତି ।

ଏହି ଜଟିଳ ଅସ୍ତ୍ରୋପଚାର ଏମ୍ସ ଭୁବନେଶ୍ୱରର ୟୁରୋଲୋଜି ବିଭାଗର ଆସୋସିଏଟ ପ୍ରଫେସର ଡକ୍ଟର ମନୋଜ କୁମାର ଦାସଙ୍କ ନେତୃତ୍ୱରେ ସମ୍ପନ୍ନ ହୋଇଥିଲା । ତାଙ୍କୁ ସହକାରୀ ପ୍ରଫେସର ଡକ୍ଟର ସମ୍ବିତ ତ୍ରିପାଠୀ ଏବଂ ରେସିଡେଣ୍ଟ ଡାକ୍ତର ଡକ୍ଟର ସହର୍ଷ, ଡକ୍ଟର ମିଥଲେଶ, ଡକ୍ଟର ହୁଜୈଫା, ଡକ୍ଟର ସାବିକ ଏବଂ ଡକ୍ଟର ସଚିନ ସାହାଯ୍ୟ କରିଥିଲେ ।

ଚିକିତ୍ସା ବିଶେଷଜ୍ଞମାନେ କହିଛନ୍ତି ଯେ, ଏତେ ବିଶାଳ ଆକାରର କିଡନୀ ମାସ ଅତ୍ୟନ୍ତ ବିରଳ ଏବଂ ଏହାର ଅସ୍ତ୍ରୋପଚାର ଅନେକ ଜଟିଳତା ସୃଷ୍ଟି କରେ । ଏହି କିଡନୀର ସଫଳ ଅପସାରଣ କେବଳ ଏକ ରେକର୍ଡ ସୃଷ୍ଟି କରିନାହିଁ, ବରଂ ଏମ୍ସ ଭୁବନେଶ୍ୱରର ଉନ୍ନତ ଅସ୍ତ୍ରୋପଚାର ଦକ୍ଷତାକୁ ମଧ୍ୟ ପ୍ରଦର୍ଶନ କରିଛି ।

Comments are closed.