Latest Odisha News

ବିଶ୍ବ ତମ୍ବାଖୁ ବର୍ଜନ ଦିବସ: ବାଲୁକା କଳାରେ ସଚେତନତା ବାର୍ତ୍ତା ଦେଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ୱର: ଆଜି ବିଶ୍ବ ତମ୍ବାଖୁ ବର୍ଜନ ଦିବସ। ତମାଖୁ ସେବନ ଦ୍ବାରା ସ୍ବାସ୍ଥ୍ୟ ପ୍ରତି ହେଉଥିବା ବିପଦ ଓ କ୍ଷତି ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପ୍ରତି ବର୍ଷ ମେ’ ୩୧ ତାରିଖରେ ଏହି ଦିବସ ପାଳନ କରାଯାଇ ଆସୁଛି। ଉଦ୍ଦେଶ୍ୟ ହେଉଛି, ତମାଖୁ ବ୍ୟବହାରର କ୍ଷତିକାରକ ପ୍ରଭାବ ସମ୍ପର୍କରେ ଆଲୋକପାତ କରିବା ଏବଂ ପ୍ରଭାବୀ ନୀତି ଓ ଆଇନକୁ ପ୍ରୋତ୍ସାହିତ କରି ତମାଖୁ ବ୍ୟବହାରକୁ ହ୍ରାସ କରିବା। ଏହି ଅବସରରେ ବାଲୁକା କଳାରେ ସଚେତନତା ବାର୍ତ୍ତା ଦେଇଛନ୍ତି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ।

ପୁରୀ ବେଳାଭୂମିରେ ଏକ ହଜାର ସିଗାରେଟ ବ୍ୟବହାର କରି ବାଲୁକା କଳା ନିର୍ମାଣ କରିଛନ୍ତି ସୁଦର୍ଶନ। ଦେଶରେ ତମ୍ବାଖୁ ମୃତ୍ୟୁ ବଢିଚାଲିଛି। ଯୁବପୀଢୀଙ୍କୁ ଏଥିରୁ ନିବୃତ ରଖିବାକୁ ଏହି ସଚେତନତା ବାର୍ତ୍ତା ଦେଇଛନ୍ତି ସୁଦର୍ଶନ। ତମ୍ବାଖୁ ସେବନ ସ୍ବାସ୍ଥ୍ୟପ୍ରତି କ୍ଷତିକାରକ ଦର୍ଶାଇ ବାଲୁକା କଳାରେ ସଚେତନ କରିଛନ୍ତି। ଏହାକୁ ଦେଖିବାକୁ ବେଳାଭୂମୀରେ ବହୁ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା।

ଉଲ୍ଲେଖଯୋଗ୍ୟ, ତମାଖୁ ସେବନ ଏକ ଗୁରୁତର ବିଶ୍ବ ସ୍ବାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି, ଯାହା ବାର୍ଷିକ ଲକ୍ଷ ଲକ୍ଷ ଲୋକଙ୍କୁ ମୃତ୍ୟୁମୁଖରେ ପକାଇବା ସହ ବ୍ୟକ୍ତି, ପରିବାର ଓ ସମାଜ ପାଇଁ ଭାରୀ ଆର୍ଥିକ ତଥା ସାମାଜିକ ବୋଝ ପାଲଟିଛି। ତେଣୁ ତମାଖୁ ସେବନର ବ୍ୟାପକତା ଓ ଜନସ୍ବାସ୍ଥ୍ୟ ଉପରେ ଏହାର ନକାରାତ୍ମକ ପ୍ରଭାବକୁ ଦୃଷ୍ଟିରେ ରଖି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ୧୯୮୭ ମସିହାରୁ ତମାଖୁ ବର୍ଜନ ଦିବସ ପାଳନର ପରିକଳ୍ପନା କରିଥିଲା।

Comments are closed.