Latest Odisha News

BREAKING NEWS

ଟିମ ଇଣ୍ଡିଆକୁ ନାକେଦମ କରିବ ଡ୍ୟୁକ ବଲ

ଲଣ୍ଡନ: ଜୁନ ୨୦ରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ । ଏଥିସହ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ନୂତନ ସାଇକେଲ ଆରମ୍ଭ ହୋଇଯିବ । ରୋହିତ ଶର୍ମା, ବିରାଟ କୋହଲି ଓ ରବିଚନ୍ଦ୍ରନ ଅଶ୍ୱୀନ ଅବସର ନେବା ପରେ ଏବେ ଶୁଭମନ ଗିଲଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଇଂଲଣ୍ଡର ଭଲ ପ୍ରଦର୍ଶନ କରିବାକୁ ଚାହିଁବ । ଇଂଲଣ୍ଡରେ ଭାରତୀୟ ଟିମର ପ୍ରଦର୍ଶନ ସେଭଳି ଉତ୍ସାହଜନକ ରହି ନ ଥିବାରୁ ଯୁବ ଖେଳାଳିମାନଙ୍କ କଡା ସଂଘର୍ଷ କରିବାକୁ ପଡିବ ।

ଏହି ସିରିଜରେ କୁକାବୁରା କିମ୍ବା ଏସଜି ବଦଳରେ ଡ୍ୟୁକ ବଲର ବ୍ୟବହାର କରାଯିବ । ଏହା ଟିମ ଇଣ୍ଡିଆର ଅନଭିଜ୍ଞ ଖେଳାଳିଙ୍କୁ ଅଡୁଆରେ ପକାଇବ ବୋଲି ଅନୁମାନ କରାଯାଉଛି । ଅବଶ୍ୟ ଭାରତୀୟ ଟିମ କୋଚ ଗୌତମ ଗମ୍ଭୀରଙ୍କ ଉପସ୍ଥିତିରେ କଠିନ ଅଭ୍ୟାସ ଜାରୀ ରଖିଛି । ଇଂଲଣ୍ଡ ବ୍ୟତୀତ ୱେଷ୍ଟଇଣ୍ଡିଜରେ ମଧ୍ୟ ଏହି ବଲରେ ଖେଳାଯାଏ । ହାତରେ ଡ୍ୟୁକ ବଲର ସିମ ସିଲେଇ କରାଯାଉଥିବାରୁ ଏହା ଅଧିକ ସମୟ ଠିକ ରହିଥାଏ । ୩୦ ଓଭର ପରେ ବଲ ପୂରୁଣା ହେଲେ ଏହା ରିଭର୍ସ ସୁଇଂ ମଧ୍ୟ କରିଥାଏ । ଏହା ବ୍ୟାଟ୍ସମ୍ୟାନଙ୍କୁ ବିଶେଷ ଭାବେ ଅସୁବିଧାରେ ପକାଇଥାଏ । ସ୍ପିନରମାନେ ମଧ୍ୟ ଏହାର ଭରପୂର ଫାଇଦା ଉଠାଇଥାନ୍ତି ।

ସ୍କଟଲାଣ୍ଡରୁ ଆସୁଥିବା ଚମଡାରେ ଏହାକୁ ତିଆରି କରାଯାଇଥାଏ । ଇଂଲଣ୍ଡ ଗସ୍ତରେ ଭାରତ ୨୦୦୭ ପରଠାରୁ କୌଣସି ସିରିଜ ଜିତିନାହିଁ । ୨୦୨୧-୨୨ରେ ଭାରତ ୨-୨ରେ ସିରିଜ ଡ୍ର ରଖିବାକୁ ସକ୍ଷମ ହୋଇଥିଲା । ଇଂଲଣ୍ଡର ପିଚ ସର୍ବଦା cସୁଇଂ ବୋଲରଙ୍କୁ ସୁହାଇଥାଏ । ଟିମ ଇଣ୍ଡିଆର ଯୁବ ବାହିନୀ ଏହି ସୁଇଂ ଯୁଦ୍ଧରେ କେତେ ସଫଳ ହେଉଛନ୍ତି ତାହା ଆଗାମୀ ଦିନରେ ଜଣାପଡିବ ।

Comments are closed.