Latest Odisha News

BREAKING NEWS

ଶିଳ୍ପାୟନ…ବିଜେପି ସରକାରରେ କେତେ ସଫଳ?

ଭୁବନେଶ୍ବର: ନିର୍ବାଚନ ସମୟରେ ଶିଳ୍ପ ସମୃଦ୍ଧି ସାଙ୍ଗକୁ ମେଗା ନିଯୁକ୍ତିର ସ୍ବପ୍ନ ଦେଖାଇଥିଲା ବିଜେପି । ୫ଲକ୍ଷ ଓଡିଆ ଯୁବକଯୁବତୀଙ୍କୁ ନିଯୁକ୍ତି ମିଳିବା ନେଇ ପ୍ରତିଶ୍ରୁତି ଦେଇଥିଲେ ବିଜେପି ନେତା । କ୍ଷମତାରେ ରହିବାର ବର୍ଷକ ମଧ୍ୟରେ ଉତ୍କର୍ଷ ଓଡିଶା ସମ୍ମିଳନୀର ସଫଳ ଆୟୋଜନ କରିଛନ୍ତି ବିଜେପି ସରକାର । ସେଠାରେ ନିବେଶ ପ୍ରତିଶ୍ରୁତି ଟାର୍ଗେଟକୁ ଟପିଥିଲା । ତେବେ ଏହା ମଧ୍ୟରୁ କେତେ ଶିଳ୍ପ ବାସ୍ତବ ରୂପ ନେବ, ସେନେଇ ଏବେବି ଦ୍ବନ୍ଦ୍ବ ରହିଛି । ଗତମାସରେ ଯାଜପୁରରେ ମୁଖ୍ୟମନ୍ତ୍ରୀ ୪ଟି ବୃହତ ଶିଳ୍ପର ଉଦଘାଟନ କରିଛନ୍ତି । ଏହାକୁ ଶିଳ୍ପ କରିଡରର ମୂଳଦୁଆ ବୋଲି କହୁଛନ୍ତି ବିଜେପି ନେତା । ତେବେ ଯେଉଁ ସବୁ ଶିଳ୍ପ ପ୍ରତିଷ୍ଠା ହେଉଛି, ସେସବୁ ନବୀନ ସରକାରଙ୍କ ଅବଦାନ ବୋଲି ବିଜେଡି କହିଛି । ସେପଟେ କଂଗ୍ରେସ କହିଛି, ବିଜେପି ସରକାରରେ ନା ଶିଳ୍ପ ପ୍ରତିଷ୍ଠା ହେଉଛି ନା ନିଯୁକ୍ତି ସୃଷ୍ଟି ହେଉଛି । ତେବେ ପ୍ରଶ୍ନ, ଶିଳ୍ପ କ୍ଷେତ୍ରରେ କେତେ ସଫଳ ବିଜେପି ସରକାର ?

ଶିଳ୍ପ ଶ୍ରେୟ କାହାର?

ବୃହତ ଶିଳ୍ପ ପ୍ରତିଷ୍ଠା ସହ ମେଗା ନିଯୁକ୍ତି ନେଇ ସ୍ବପ୍ନ ଦେଖାଉଛନ୍ତି ବିଜେପି ସରକାର । ଭିଜନ ୨୦୩୬କୁ ବଳ ଦେବ ଶିଳ୍ପ । ଆଉ ସେଥିପାଇଁ ରାଜ୍ୟରେ ଅଧିକ ପୁଞ୍ଜିନିବେଶ ପାଇଁ ଆବଶ୍ୟକ ପରିବେଶ ସୃଷ୍ଟି କରୁଛନ୍ତି ସରକାର । ଏହି ଧାରାରେ କଳିଙ୍ଗନଗରରେ ୪ଟି ବୃହତ ଶିଳ୍ପର ଉଦଘାଟନ ବି କରିଛନ୍ତି ମୁଖ୍ୟମନ୍ତ୍ରୀ । ସିଙ୍ଗାପୁର ଗସ୍ତ କରି ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଭିନ୍ନ ଶିଳ୍ପାନୁଷ୍ଠାନ ପରିଦର୍ଶନ କରିଛନ୍ତି ତ ଦିଲ୍ଲୀ ଓ ମୁମ୍ବାଇରେ ଶିଳ୍ପପତିଙ୍କୁ କରିଛନ୍ତି ନିମନ୍ତ୍ରଣ । ଶିଳ୍ପ ପ୍ରତିଷ୍ଠା ପାଇଁ କଞ୍ଚାମାଲ ଓ ଜମି ଯୋଗାଇବା ସହ ପୂର୍ଣ୍ଣ ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟ ସରକାର । ତେବେ ଡବଲ ଇଞ୍ଜିନ ସରକାରରେ ଶିଳ୍ପାୟନ ସ୍ଥିତି ନୈରାଶ୍ୟଜନକ କହିବା ସହ ପୂର୍ବ ବିଜେଡି ସରକାରର ଉପଲବ୍ଧି ଗଣାଇଛି ବିଜେଡି । ଏପରିକି ଏବେ ରାଜ୍ୟରେ ହେଉଥିବା ଶିଳ୍ପ ପ୍ରତିଷ୍ଠା ପଛରେ ପୂର୍ବ ନବୀନ ସରକାରଙ୍କ ଅବଦାନ ରହିଥିବା କହିଛି ଦଳ ।

ଜେଏସଡବ୍ଲୁ ଦ୍ବନ୍ଦ୍ବ

୪୦ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ କଟକର ନରାଜରେ ପ୍ରତିଷ୍ଠା ହେବାକୁ ଥିବା ଜେଏସଡବ୍ଲୁକ ବୈଦ୍ୟୁତିକ ଯାନ ଓ ବ୍ୟାଟେରୀ ଉତ୍ପାଦନ ପ୍ରକଳ୍ପ ସ୍ଥାନାନ୍ତର ନେଇ ଚର୍ଚ୍ଚା ହେଲା । ପୂର୍ବ ବିଜେଡି ସରକାର ବେଳେ ବିଶ୍ବର ସର୍ବବୃହତ ଇଲେକ୍ଟ୍ରିକ୍ ଯାନ କାରଖାନା ପ୍ରସ୍ତାବରେ କ୍ୟାବିନେଟ୍ ମୋହର ବାଜିଥିଲା । ଓଡିଶା ଛାଡି ମହାରାଷ୍ଟ୍ରରେ ଇଭି କାରଖାନା କରିବାକୁ ଜେଏସଡବ୍ଲୁ ନିଷ୍ପତି ନେଇଥିବା କୁହାଗଲା । ତେବେ ପରେ ଓଡିଶାରୁ ପ୍ଲାଣ୍ଟ ସ୍ଥାନାନ୍ତର ନେଇ କୌଣସି ଯୋଜନା ନଥିବା କମ୍ପାନୀ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଥିଲା । ଓଡିଶାରେ ହିଁ ଜେଏସଡବ୍ଲୁ ତାର ଇଭି ଗାଡି ପ୍ରସ୍ତୁତ କରିବ ବୋଲି କହିଥିଲା । ତେବେ ଏପର୍ଯ୍ୟନ୍ତ କାମ ସେଭଳି ଆଗେଇନି ।

କମୁଛି କି ନିବେଶକଙ୍କ ବିଶ୍ବାସ ?

ରାଜ୍ୟରେ ବିଜେପି ସରକାରକୁ ବର୍ଷେ ପୂରିବାକୁ ଯାଉଥିବା ବେଳେ ଓଡିଶା ପ୍ରତି ନିବେଶକଙ୍କ ଭରସା କମିଯାଉଥିବା ବିଜେଡି କହୁଛି । କେନ୍ଦ୍ରାପଡାରେ ହେବାକୁ ଥିବା ଆର୍ସେଲର ମିତ୍ତଲ-ନିପ୍ପନ ଷ୍ଟିଲ ପ୍ରକଳ୍ପ ଆନ୍ଧ୍ରକୁ ଚାଲିଯିବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି । ସେହିପରି ଭୁବନେଶ୍ବର ଅନ୍ଧାରୁଆଠାରେ ବାର ବାୟୋଟେକର ଟୀକା ଉତ୍ପାଦନ କେନ୍ଦ୍ର ପୂର୍ଣ୍ଣ କାର୍ଯ୍ୟକ୍ଷମ ଅବସ୍ଥାକୁ ଆସିଥିଲେ ମଧ୍ୟ ରାଜ୍ୟ ନେତୃତ୍ବ ଉପରେ ଭରସା କରିନପାରି ଅନ୍ୟ ରାଜ୍ୟକୁ ଚାଲିଯିବା ନେଇ ରିପୋର୍ଟ ପ୍ରକାଶ ପାଇଥିବା ବିଜେଡି କହୁଛି । ଆଉ ଏଥିପାଇଁ ରାଜ୍ୟର ଆଇନ ଶୃଙ୍ଖଳା ଓ ଦିଗହରା ଶାସନ ବ୍ୟବସ୍ଥାକୁ ଦାୟୀ କରିଛନ୍ତି ବିରୋଧୀ ।

ସରକାରଙ୍କ ତଥ୍ୟ ଗୋଟେଆଡେ, ବାସ୍ତବ ଚିତ୍ର ଅନ୍ୟ ଆଡେ । ଓଡିଶାରେ ଶିଳ୍ପ ଉପଯୋଗୀ ପରିବେଶ ବା ଇଣ୍ଡଷ୍ଟ୍ରିଆଲ୍ ଇକୋସିଷ୍ଟମ ଦୁର୍ବଳ ବୋଲି ଅଭିଯୋଗ କରିଛନ୍ତି ବିଶିଷ୍ଟ ଶିଳ୍ପପତି ତାରା ରଂଜନ ପଟ୍ଟନାୟକ । ଗୁଜରାଟରେ ଜମି ଅଧିଗ୍ରହଣଠାରୁ ଆରମ୍ଭ କରି କାରଖାନା ସ୍ଥାପନ ପର୍ଯ୍ୟନ୍ତ ସେ କୌଣସି ବିରୋଧର ସାମନା କରିନଥିବା କହିଛନ୍ତି । ଖଣି, ପାଣି ସାଙ୍ଗକୁ ସୁଦୀର୍ଘ ଉପକୂଳ ପାଇଁ ଓଡିଶାକୁ ଶିଳ୍ପ ପ୍ରତିଷ୍ଠା ପାଇଁ ଶିଳ୍ପପତି ଆକର୍ଷିତ ହେଉଛନ୍ତି । କେବଳ ଧାତବ ଶିଳ୍ପ ନୁହେଁ, ଆଇଟି, ଖାଦ୍ୟ ପ୍ରକ୍ରିୟାକରଣ, ଗାରମେଣ୍ଟସ, ପେଟ୍ରୋ କେମିକାଲ୍ସ କ୍ଷେତ୍ରରେ ରାଜ୍ୟକୁ ଅନେକ ପୁଞ୍ଜିନିବେଶ ଆସୁଛି । ଗତ ବର୍ଷକ ମଧ୍ୟରେ ରାଜ୍ୟ ସରକାର ଓଡିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ନିବେଶକଙ୍କୁ ନିମନ୍ତ୍ରଣ ତ କରିଛନ୍ତି ତେବେ ରାଜ୍ୟରେ ଶିଳ୍ପ ଅନୁକୂଳ ପରିବେଶକୁ ଆହୁରି ସୁଦୃଢ କରିବା ଆବଶ୍ୟକ ।

Comments are closed.