Latest Odisha News

BREAKING NEWS

ଯାଜପୁର ଝାଡ଼ାବାନ୍ତି ଘଟଣା: ଆଉ ୨ ଜଣଙ୍କ ମୃତ୍ୟୁ, ରାଜ୍ୟସ୍ତରରୁ ରାପିଡ୍ ଆକ୍ସନ୍ ଟିମ୍ ଓ ଅଧିକ ବିଶେଷଜ୍ଞ ମୁତୟନ

ଯାଜପୁର: ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଆଉ ୨ ଆକ୍ରାନ୍ତ ମୃତ। ଝାଡ଼ାବାନ୍ତି ଘଟଣାରେ ମୃତ୍ୟୁ ସଂଖ୍ୟା ୪ ଛୁଇଁଲା। ଏନେଇ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏଡିଏମଓ ସୂଚନା ଦେଇଛନ୍ତି।

ଅନ୍ୟପଟେ ଯାଜପୁର ଜିଲ୍ଲାରେ ହଠାତ୍ ଦେଖାଦେଇଥିବା ଝାଡାବାନ୍ତି ରୋଗର ଚିକିତ୍ସା ଓ ନିରାକରଣ ନିମନ୍ତେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ଵାରା ଯୁଦ୍ଧକାଳୀନ ଭିତ୍ତିରେ କ୍ଷେତ୍ରସ୍ତରୀୟ କାର୍ଯ୍ୟ ଆରମ୍ଭ କରାଯାଇଛି। ପ୍ରଭାବିତ ଧର୍ମଶାଳା, ବ୍ୟାସନଗର ପୌରାଞ୍ଚଳ, ଦାନଗଦି, ରସୁଲପୁର ଓ କୋରେଇ ବ୍ଲକ ସମେତ ଆଖପାଖ ଅଞ୍ଚଳରେ ଜନସ୍ଵାସ୍ଥ୍ୟ ଟିମ୍ ମାନେ ବିଭିନ୍ନ କାର୍ଯ୍ୟକ୍ରମକୁ ବ୍ୟାପକ କରିଛନ୍ତି। ବିଭାଗୀୟ ଶାସନ ସଚିବ ଅଶ୍ଵଥି ଏସ୍.ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ଵାସ୍ଥ୍ୟସେବା ଏବଂ ଜନ ସ୍ଵାସ୍ଥ୍ୟସେବା ଟିମ୍ ମାନେ ସମନ୍ୱିତ ଭାବେ କ୍ଷେତ୍ରସ୍ତରୀୟ କାର୍ଯକ୍ରମକୁ ସଘନ ଓ ଲକ୍ଷଭେଦୀ କରିଛନ୍ତି।

ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ରଙ୍କ ସମେତ ରାଜ୍ୟସ୍ତରରୁ ସ୍ଵତନ୍ତ୍ର ଭାବେ ୨ଟି ରାପିଡ ଆକ୍ସନ ଟିମ୍ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ଜିଲ୍ଲା ଟିମ୍ ସହିତ ମିଳିତ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି। ରାଜ୍ୟସ୍ତରୀୟ ଟିମ୍‌ରେ ଡାକ୍ତର, ମାଇକ୍ରୋବାୟୋଲୋଜି ବିଶେଷଜ୍ଞ, ସଂକ୍ରାମକ ରୋଗ ବିଜ୍ଞାନୀ ଆଦିଙ୍କୁ ସାମିଲ କରାଯାଇଛି। ସମନ୍ୱିତ ରୋଗ ନିରୀକ୍ଷଣ ପରିଯୋଜନାର ଯୁଗ୍ମ ନିର୍ଦ୍ଦେଶକ ନିଜ ଟିମ୍ ସହ ମଧ୍ୟ କ୍ଷେତ୍ର ଅନୁଧ୍ୟାନ କରୁଛନ୍ତି।

ମହାରାଜା ଯଯାତି କେଶରୀ ମେଡିକାଲ କଲେଜ, ଯାଜପୁର ଏବଂ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ କଟକରୁ ବିଶେଷଜ୍ଞ ଡାକ୍ତରମାନଙ୍କୁ ପ୍ରଭାବିତ ଅଞ୍ଚଳରେ ବିଶେଷଜ୍ଞ ସେବା ନିମନ୍ତେ ନିୟୋଜନ କରାଯାଇଛି। ସଂକ୍ରମିତ ହୋଇଥିବା ରୋଗୀମାନଙ୍କୁ ଧର୍ମଶାଳା, ଯାଜପୁର ରୋଡ, ଦାନଗଦି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି। ଏହି ଚିକିତ୍ସାଳୟମାନଙ୍କୁ ଯଥେଷ୍ଟ ପରିମାଣର ଔଷଧ, ସାଲାଇନ, ଇଞ୍ଜେକସନ ଆଦି ସହ ଅଧିକ ମାନବ ସମ୍ବଳ ଯୋଗାଇ ଦିଆଯାଇଛି। ଗୁରୁତର ରୋଗୀମାନଙ୍କୁ କଟକ ବଡ଼ ମଡ଼ିକାଲରେ ଚିକିତ୍ସା କରାଯାଉଛି। ରେଫର ହୋଇଆସିଥିବା ରୋଗୀମାନଙ୍କ ପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେବା ପାଇଁ ଏସ୍.ସି.ବି ର ଅଧ୍ୟକ୍ଷଙ୍କୁ କୁହାଯାଇଛି।

ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ବିଭିନ୍ନ ସତର୍କତା ମୂଳକ ପଦକ୍ଷେପ ନେବା, ବାହାରର ଦୂଷିତ ଖାଦ୍ୟ ନଖାଇବା, ନିରାପଦ ଜଳ ପିଇବା ଏବଂ ସ୍ଵାସ୍ଥ୍ୟ ସୁରକ୍ଷା ଜନିତ ଅଭ୍ୟାସ ଆଦିକୁ ଆପଣେଇବା ନିମନ୍ତେ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। କ୍ଷେତ୍ରସ୍ତରୀୟ ବାସ୍ତବ ସ୍ଥିତିକୁ ସକ୍ରିୟ ଭାବେ ଅନୁଧ୍ୟାନ, ନିରୀକ୍ଷଣ ଓ ପରିଚାଳନା କରାଯାଉଛି।

 

Comments are closed.