Latest Odisha News

BREAKING NEWS

ଅହମ୍ମଦାବାଦ ବିମାନ ଦୁର୍ଘଟଣା; ପତ୍ନୀଙ୍କ ଅସ୍ଥି ବିସର୍ଜନ ପାଲଟିଲା ଶେଷ ଯାତ୍ରା, ଲଣ୍ଡନରେ ଅପେକ୍ଷା କରିଛନ୍ତି କୁନି ଝିଅ…

ଅହମ୍ମଦାବାଦ: ଅହମ୍ମଦାବାଦରେ ଗୁରୁବାର ଅପରାହ୍ନରେ ହୋଇଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ସାରା ଭାରତ ସ୍ତବ୍ଧ ହୋଇଯାଇଛି। ଏହି ହୃଦୟ ବିଦାରକ ବିମାନ ଦୁର୍ଘଟଣାରେ କିଏ ନିଜ ସ୍ତ୍ରୀଙ୍କୁ ହରାଇଛନ୍ତି ତ କିଏ ନିଜ ସ୍ୱାମୀ ଏବଂ ପିଲାମାନଙ୍କୁ ହରାଇଛନ୍ତି।

ତେବେ ଏହି ଦୁର୍ଘଟଣାରେ ଏକ ଯନ୍ତ୍ରଣାଦାୟକ କାହାଣୀ ସାମ୍ନାକୁ ଆସିଛି ଯେଉଁଠାରେ ଜଣେ ସ୍ୱାମୀ ଲଣ୍ଡନରୁ ନିଜ ସ୍ତ୍ରୀଙ୍କ ଅସ୍ଥି ବିସର୍ଜନ କରିବାକୁ ଭାରତ ଆସିଥିଲେ ଓ ଲଣ୍ଡନ ଫେରିବା ବେଳେ ଏହି ବିମାନ ଦୁର୍ଘଟଣାରେ ତାଙ୍କ ଜୀବନ ହରାଇଛନ୍ତି।

ଅମରେଲିର ଭାଡିଆ ନିବାସୀ ଅର୍ଜୁନଭାଇ ମନୁଭାଇ ପଟୋଲିଆ ତାଙ୍କ ପରିବାର ସହିତ ଲଣ୍ଡନରେ ରହୁଥିଲେ। ତାଙ୍କ ପତ୍ନୀ ଭାରତୀବେନଙ୍କ ସାତ ଦିନ ପୂର୍ବରୁ ଲଣ୍ଡନରେ ମୃତ୍ୟୁ ହୋଇଥିଲା। ତେବେ ପତ୍ନୀଙ୍କ ଅସ୍ଥି ତାଙ୍କ ଜନ୍ମଭୂମିରେ ଥିବା ନଦୀରେ ବିସର୍ଜନ କରାଯାଉ ବୋଲି ଇଛା ଥିଲା ।ଯାହାକୁ ପୂରଣ କରିବାକୁ ସେ ଗୁଜରାଟ ଆସିଥିଲେ। ସେଠାକୁ ଆସି ଆମରେଲିରେ ଅବସ୍ଥିତ ଗ୍ରାମରେ ତାଙ୍କ ସମ୍ପର୍କୀୟଙ୍କ ସହିତ ଅସ୍ଥି ବିସର୍ଜନ କରିବା ସହ ପୂଜା କରିଥିଲେ। ପତ୍ନୀଙ୍କ ଶେଷ ଇଛା ପୂରଣ କରି ସାରି ଗୁରୁବାର ଏୟାର ଇଣ୍ଡିଆ ବିମାନରେ ଲଣ୍ଡନ ଫେରୁଥିଲେ। କିନ୍ତୁ ବିମାନଟି ଉଡ଼ାଣ ଭାରିବାର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ ବିମାନରେ କ୍ରୁ ସଦସ୍ୟଙ୍କ ସମେତ ୨୪୨ ଜଣ ଯାତ୍ରୀ ଥିଲେ।

ସୂଚନା ଅନୁଯାୟୀ ତାଙ୍କର ଆଠ ବର୍ଷ ଏବଂ ଚାରି ବର୍ଷର ଦୁଇ ଝିଅ ଅଛନ୍ତି, ଯେଉଁମାନେ ବର୍ତ୍ତମାନ୍ ଲଣ୍ଡନରେ ଅଛନ୍ତି। ସାତ ଦିନ ପୂର୍ବରୁ ଝିଅମାନେ ତାଙ୍କ ମାଆଙ୍କୁ ହରାଇଥିଲେ ଏବଂ ବର୍ତ୍ତମାନ ସେମାନଙ୍କ ବାପା ମଧ୍ୟ ଏହି ବିମାନ ଦୁର୍ଘଟଣାର ଶିକାର ହୋଇଗଲେ।ସୂଚନାଯୋଗ୍ୟ ଯେ  ଅର୍ଜୁନଙ୍କ ବାପାଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ତାଙ୍କ ମାଆ ସୁରଟରେ ରୁହନ୍ତି।ଏହି  ଦୁର୍ଘଟଣା ପରେ ଅର୍ଜୁନଭାଇଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି। ତେବେ ସବୁଠୁ ବଡ଼ ଦୁଃଖର ବିଷୟ ହେଉଛି ଯେ ତାଙ୍କର ଦୁଇ ଝିଅ ତାଙ୍କ ବାପାଙ୍କ ଆସିବା ବାଟକୁ ଚାହିଁ ବସିଛନ୍ତି।

 

Comments are closed.