ଅହମ୍ମଦାବାଦ: ଅହମ୍ମଦାବାଦରେ ଗୁରୁବାର ଅପରାହ୍ନରେ ଯେଉଁ ବିମାନ ଦୁର୍ଘଟଣା ଘଟିଥିଲା ତାହା ସାରା ବିଶ୍ୱକୁ ଦୋହଲାଇ ଦେଇଛି। ବର୍ତ୍ତମାନ୍ ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ ସେହି ବିମାନ ଦୁର୍ଘଟଣାରେ ମୋଟ ୨୬୫ ଜଣ ପ୍ରାଣ ହରାଇଥିବା ଜଣାପଡିଛି।
ତେବେ ପ୍ରାଣ ହରାଇଥିବା ଲୋକମାନଙ୍କ ମଧ୍ୟରେ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ମଧ୍ୟ ଥିଲେ। ଏୟାର ଇଣ୍ଡିଆର ଏହି ବିମାନ ବିଜେ ମେଡିକାଲ କଲେଜର ହଷ୍ଟେଲରେ ଧକ୍କା ଦେଇଥିଲା। ଯାହାପରେ ସେଠାରେ ଭୟଙ୍କର ବିସ୍ଫୋରଣ ହୋଇଥିଲା।
ଦୁର୍ଘଟଣା ସମୟର ଅନେକ ହୃଦୟବିଦାରକ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି। ଏହି ସମୟର ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଉଦ୍ଧାରକାରୀ ଦଳଙ୍କୁ ଏକ ଭଗବଦ୍ ଗୀତା ମିଳିଥିବାର ଦର୍ଶାଯାଇଛି। କେହି ଜଣେ ଯାତ୍ରୀ ଗୀତାକୁ ଲଣ୍ଡନ ନେଇଯାଉଥିବାର ଆଶା କରାଯାଉଛି। ଏହି ଦୁର୍ଘଟଣାରେ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ବିମାନରେ ଥିବା ଅଧିକାଂଶ ଜିନିଷ ପୋଡ଼ି ପାଉଁଶ ହୋଇଯାଇଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଭଗବଦ୍ ଗୀତା ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ରହିଛି। କେବଳ ସେତିକି ନୁହେଁ ପୁସ୍ତକର ଗୋଟିଏ ପୃଷ୍ଠା ମଧ୍ୟ ଜଳି ନାହିଁ।
ଏହାକୁ ନେଇ ୟୁଜର୍ସ ମାନେ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଉଛନ୍ତି। କେହି ଏହାକୁ ଏକ ଚମତ୍କାର ବୋଲି କହୁଥିବା ବେଳେ ଅନ୍ୟ କେହି ଏହାକୁ ଏକ ହୃଦୟସ୍ପର୍ଶୀ କ୍ଷଣ ବୋଲି ମଧ୍ୟ କହିଛନ୍ତି।
ଏହି ଦୁର୍ଘଟଣାରେ ଅନ୍ୟ ଏକ ଚମତ୍କାର ଘଟଣା ଘଟିଥିଲା। ଯେଉଁଥିରେ ସିଟ୍ ନମ୍ୱର ୧୧ଏ ରେ ବସିଥିବା ବିଶ୍ୱ କୁମାର ରମେଶ ନାମକ ଜଣେ ଯାତ୍ରୀ ବଞ୍ଚି ଯାଇଥିଲେ।
ଜଣେ ଏସଡିଆରଏଫ ଅଧିକାରୀ କହିଛନ୍ତି ଯେ ବିମାନର ଇନ୍ଧନ ଟାଙ୍କି ବିସ୍ଫୋରଣ ହେବା ମାତ୍ରେ ଏକ ଅଗ୍ନିକାଣ୍ଡ ଘଟିଥିଲା। ତାପମାତ୍ରା ଶୀଘ୍ର ହଜାର ଡିଗ୍ରୀରେ ପହଞ୍ଚିଯାଇଥିଲା। ତାପମାତ୍ରା ଏତେ ଅଧିକ ଥିଲା ଯେ କାମ କରିବା କଷ୍ଟକର ହୋଇପଡୁଥିଲା। ସବୁଠି ଭଗ୍ନାବଶେଷ ବିଛାଡ଼ି ହୋଇପଡ଼ୁଥିଲା। ତେଣୁ ଆମକୁ ପ୍ରଥମେ ଭଗ୍ନାବଶେଷକୁ ହଟାଇବାକୁ ପଡିଥିଲା।
Comments are closed.