Latest Odisha News

BREAKING NEWS

ସତ ହେବ ଭବିଷ୍ୟବାଣୀ…ଆସୁଛି ବିପଦ !

ନୂଆଦିଲ୍ଲୀ: ୨୦୨୫ ସରିବା ଆଗରୁ ହେବ କି ତୃତୀୟ ବିଶ୍ବଯୁଦ୍ଧ ! ଯୁଦ୍ଧଠାରୁ ଆରମ୍ଭ କରି ବିମାନ ଦୁର୍ଘଟଣା ପୁଣି ହିଂସା, ରକ୍ତରଞ୍ଜିତ ହୋଇଛି ବର୍ଷର ପ୍ରଥମ ଛଅ ମାସ। ଭାରତ-ପାକିସ୍ତାନ ମୁହାଁମୁହିଁ ହେବାଠାରୁ ଆରମ୍ଭ କରି ଇରାନ୍-ଇସ୍ରାଏଲ୍ ଯୁଦ୍ଧ ପର୍ଯ୍ୟନ୍ତ ଅନେକ ସଂଘର୍ଷ ସାମନାକୁ ଆସିଛି। ବର୍ଷର ବାକି ଦିନରେ ବଡ଼ ବିନାଶର ସୂତ୍ରପାତ ହେବ କି ? ପ୍ରାଚୀନ ଭବିଷ୍ୟଦ୍ରଷ୍ଟାଙ୍କଠାରୁ ଆରମ୍ଭ କରି ବର୍ତ୍ତମାନର ରହସ୍ୟବାଦୀ ୨୦୨୫ରେ ଭୟଙ୍କର ତୃତୀୟ ବିଶ୍ବଯୁଦ୍ଧ ନେଇ ଭବିଷ୍ୟବାଣୀ କରିଛନ୍ତି। ବର୍ଷ ଶେଷ ହେବା ପୂର୍ବରୁ ବଡ଼ଧରଣର ଯୁଦ୍ଧ ହୋଇପାରେ ବୋଲି ବାବା ଭେଙ୍ଗା, ନୋଷ୍ଟ୍ରାଡମସ, ଆଥୋସ ସାଲୋମ ଏବଂ ନିକୋଲାସ ଆଉଜୁଲାଙ୍କ ପରି ଭବିଷ୍ୟଦ୍ରଷ୍ଟା ପୁର୍ବାନୁମାନ କରିଛନ୍ତି।

ସତ ହେବ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ?

୧୯୧୧ରେ ଜନ୍ମଗ୍ରହଣ କରିଥିବା ବାବା ଭେଙ୍ଗାଙ୍କର ୧୯୯୬ରେ ମୃତ୍ୟୁ ହୋଇଥିଲା। ତେବେ ଏପର୍ଯ୍ୟନ୍ତ ତାଙ୍କର ଅନେକ ଭବିଷ୍ୟବାଣୀ ସତ ହୋଇଛି। ୯/୧୧ ହେଉ କି ରାଜକୁମାରୀ ଡାଏନାଙ୍କ ମୃତ୍ୟୁ କିମ୍ବା ବର୍ତ୍ତମାନର ପ୍ରାକୃତିକ ବିପର୍ଯ୍ୟୟ, ଏସବୁ ନେଇ ଅନେକ ପୂର୍ବରୁ ଆକଳନ କରିଥିଲେ ବାବା ଭେଙ୍ଗା। ଚଳିତ ବର୍ଷ ଭୀଷଣ ଭୂକମ୍ପ ଓ ଯୁଦ୍ଧ ନେଇ ସେ ପୂର୍ବାନୁମାନ କରିଥିଲେ। ନିକଟରେ ମିଆଁମାର ଓ ଥାଇଲାଣ୍ଡରେ ଭୂକମ୍ପ ହୋଇଥିବା ବେଳେ ଆଗକୁ ତୃତୀୟ ବିଶ୍ବଯୁଦ୍ଧ ନେଇ ଆଶଙ୍କା ପ୍ରକାଶ ପାଇଛି।

ନୋଷ୍ଟ୍ରାଡମସଙ୍କ ଭବିଷ୍ୟବାଣୀ

ଷୋଡଶ ଶତାବ୍ଦୀର ଫ୍ରାନ୍ସ ଆଷ୍ଟ୍ରୋଲୋଜର ନୋଷ୍ଟ୍ରାଡମସ ୨୦୨୫ ପାଇଁ ଭବିଷ୍ୟବାଣୀ କରିଥିଲେ। ତାଙ୍କର ଜଣାଶୁଣା ପୁସ୍ତକ ଲେସ୍ ପ୍ରୋଫେଟିଜରେ ସେ ୟୁରୋପର ଏକ ଯୁଦ୍ଧ ୟୁକେକୁ ଗଭୀର ଭାବେ ପ୍ରଭାବିତ କରିବ ବୋଲି ଉଲ୍ଲେଖ କରିଥିଲେ। ଏଥିରେ କେବଳ ମଣିଷ ନୁହେଁ ମେସିନର ଯୁଦ୍ଧ ହେବ ବୋଲି ସେ ଲେଖିଥିଲେ। ପରବର୍ତ୍ତୀ ସଂଘର୍ଷରେ ଡିଜିଟାଲ ଅସ୍ତ୍ରଶସ୍ତ୍ର, ସାଇବର ଆକ୍ରମଣ ଏବଂ ଏଆଇ ଟେକ୍ନୋଲୋଜିର ବହୁଳ ବ୍ୟବହାର ହେବ। ଏନେଇ ସେ ଚେତାବନୀ ଦେଇଥିଲେ।  ବିଶ୍ବ ନେତା ଓ ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞମାନେ ଏନେଇ ଆଗରୁ ସତର୍କବାଣୀ ଶୁଣାଇ ସାରିଛନ୍ତି।

ବିଶ୍ବଯୁଦ୍ଧ ନେଇ ଆକଳନ

ଲଣ୍ଡନର ନିକୋଲାସ ଆଉଜୁଲା ମଧ୍ୟ ବିଶ୍ବଯୁଦ୍ଧ ନେଇ ପୂର୍ବାନୁମାନ କରିଛନ୍ତି। ୩୮ବର୍ଷୀୟ ଆଉଜୁଲାଙ୍କ ମତରେ, ବିଶ୍ବରେ ଦୟାଭାବର ଅଭାବ ଦେଖାଦେଇଛି। ଆସନ୍ତା କିଛି ମାସ ମଧ୍ୟରେ ଏହା ବଡ଼ଧରଣର ଯୁଦ୍ଧର ସୂତ୍ରପାତ କରିପାରେ ବୋଲି ସେ କହିଛନ୍ତି। ଧର୍ମ ଓ ଜାତିୟତା ନାଁରେ ହିଂସା ଓ ନିଷ୍ଠୁରତା ବଢିଛି। ଆଗକୁ ଅମାନବୀୟ କାର୍ଯ୍ୟ ଦେଖିବାକୁ ମିଳିବ। ତେଣୁ ବିଶ୍ବନେତାମାନେ ଆଗକୁ କେବଳ ରାଜନୈତିକ ଓ ସାମରିକ ନୁହେଁ ବରଂ ସମ୍ବେଦନଶୀଳତା ଓ ଧର୍ମୀୟ ଭାବନାକୁ ଗୁରୁତ୍ବ ଦେବାକୁ ଆଉଜୁଲା କହିଛନ୍ତି।

ସତ ହେବ କି ଭବିଷ୍ୟବାଣୀ?

ଭବିଷ୍ୟଦ୍ରଷ୍ଟାମାନେ ଆଗକୁ ବଡ ଧରଣର ସଂଘର୍ଷ ନେଇ ପୂର୍ବାନୁମାନ କରିଛନ୍ତି। ଏବେଠୁ ଏନେଇ ସଂକେତ ବି ମିଳିଲାଣି। କାଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ସଂଘର୍ଷ ହୋଇଥିଲା। ଋଷ ଓ ୟୁକ୍ରେନ୍ ଯୁଦ୍ଧ ସ୍ଥିତି ଆହୁରି ଗମ୍ଭୀର ହୋଇଛି। କୁଟନୈତିକ ଚାପ ପରେ ବି ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ହୋଇପାରିନି। ସେହିପରି ଗାଜାରେ ରକ୍ତପାତ ଥମୁନି। ଏବେ ପୁଣି ଇରାନ୍ ଓ ଇସ୍ରାଏଲ୍ ମୁହାଁମୁହିଁ ହୋଇଛନ୍ତି। ଉଭୟ ଦେଶ ମଧ୍ୟରେ ଚାଲିଥିବା ଏହି ସଂଘର୍ଷରେ ଆମେରିକା, ଋଷ, ଚୀନ ପରି ବଡ଼ ଦେଶ ସାମିଲ ହେବାର ଆଶଙ୍କା ବି ରହିଛି।

ଭବିଷ୍ୟଦ୍ରଷ୍ଟାଙ୍କ ଆକଳନ ସହ ବର୍ତ୍ତମାନ ସମୟର ଅନେକ ଘଟଣା ଖାପ ଖାଉଛି। ଅହମ୍ମଦାବାଦ ବିମାନ ଦୁର୍ଘଟଣା ହେଉ କି ବେଙ୍ଗାଳୁରୁ ଦଳାଚକଟା ଘଟଣା, ଭାରତରେ ହିଁ ଅଘଟଣ ପରେ ଅଘଟଣ ଚିନ୍ତା ବଢାଇଛି । ଏହାସହ ଜଳବାୟୁ ପରିବର୍ତ୍ତନ ହେଉ କି ଅନ୍ତର୍ଜାତୀୟ ଉତ୍ତେଜନା, ବିଶ୍ବରେ ସଂଘର୍ଷ, ଅଶାନ୍ତି ଓ ପ୍ରାକୃତିକ ବିପର୍ଯ୍ୟୟ ବଢିଛି। ତେଣୁ ବିଶ୍ବଶାନ୍ତି ବଜାୟ ରଖିବାକୁ ହେଲେ କୁଟନୀତି ସହ ସମସ୍ତଙ୍କ ସହଯୋଗ ଜରୁରୀ।

Comments are closed.