Latest Odisha News

‘ପରମାଣୁ ଶକ୍ତିଶାଳୀମାନେ ନିଷ୍ପତ୍ତି ନେଲେ’: ପ୍ରଥମ ଥର ପାଇଁ ନିଜକୁ ନୁହେଁ, ଭାରତ-ପାକ୍‌କୁ ଶ୍ରେୟ ଦେଲେ ଟ୍ରମ୍ପ…..

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧ ବିରତି ପାଇଁ ଦୁଇ ଦେଶକୁ ଶ୍ରେୟ ଦେଇଛନ୍ତି । ଉଭୟ ଦେଶ ପରମାଣୁ ଶକ୍ତିରେ ଶକ୍ତିଶାଳୀ ହୋଇଥିଲେ ମଧ୍ୟ, ସେମାନେ ଅସ୍ତ୍ରବିରତି ପାଇଁ ନିଷ୍ପତ୍ତି ନେଇଥିଲେ । କହିଛନ୍ତି, ଦୁଇ ଅତ୍ୟନ୍ତ ଚତୁର ନେତା ଏକ ଯୁଦ୍ଧ ଜାରି ନ ରଖିବାକୁ ନିର୍ଣ୍ଣୟ ନେଇଛନ୍ତି ଯାହା ପରମାଣୁ ଯୁଦ୍ଧରେ ପରିଣତ ହୋଇପାରିଥାନ୍ତା । ତେବେ ଏହା ପ୍ରଥମ ଥର ପାଇଁ ସେ ଦୁଇ ପଡ଼ୋଶୀ ରାଷ୍ଟ୍ର ମଧ୍ୟରେ ଶତ୍ରୁତା ବନ୍ଦ କରିବା ପାଇଁ ନିଜକୁ ଶ୍ରେୟ ଦେଇ ନଥିଲେ ଟ୍ରମ୍ପ ।

ବୁଧବାର ହ୍ୱାଇଟ୍ ହାଉସରେ ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିରଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ଆତିଥ୍ୟ ଦେବା ପରେ ଓଭାଲ୍ ଅଫିସରେ ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ ଟ୍ରମ୍ପ ଏହି ମନ୍ତବ୍ୟ ଦେଇଥିଲେ ।  କହିଛନ୍ତି, ମୁଁ ତାଙ୍କୁ ଏଠାକୁ ଡାକିଥିଲି, କାରଣ ଯୁଦ୍ଧରେ ନ ଯାଇ ଯୁଦ୍ଧ ସମାପ୍ତ କରିଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଥିଲି ଏବଂ ମୁଁ ଧନ୍ୟବାଦ ଦେବାକୁ ଚାହୁଁଛି, ଯେପରି ଆପଣ ଜାଣନ୍ତି, ପ୍ରଧାନମନ୍ତ୍ରୀ ମୋଦି କିଛି ସମୟ ପୂର୍ବରୁ ବିଦାୟ ନେଇଛନ୍ତି ଏବଂ ଆମେ ଭାରତ ସହିତ ଏକ ବାଣିଜ୍ୟ ଚୁକ୍ତି ଉପରେ କାମ କରୁଛୁ। ଆମେ ପାକିସ୍ତାନ ସହିତ ଏକ ବାଣିଜ୍ୟ ଚୁକ୍ତି ଉପରେ କାମ କରୁଛୁ ବୋଲି କହିଛନ୍ତି ରାଷ୍ଟ୍ରପତି । ସେମାନେ ଉଭୟ ଏଠାରେ ଥିଲେ, କିନ୍ତୁ ମୁଁ କିଛି ସପ୍ତାହ ପୂର୍ବରୁ ମୋଦିଙ୍କ ସହିତ ଥିଲି। ସେ ପ୍ରକୃତରେ ଏଠାରେ ଥିଲେ, କିନ୍ତୁ ଏବେ ଆମେ ତାଙ୍କ ସହ କଥା ହେଉଛୁ। ଏବଂ ମୁଁ ବହୁତ ଖୁସି ଯେ ଦୁଇଜଣ ବୁଦ୍ଧିମାନ ଲୋକ ଯୁଦ୍ଧ ଜାରି ନ ରଖିବାକୁ ନିଷ୍ପତ୍ତି ନେଇଥିଲେ। ତାହା ଏକ ପରମାଣୁ ଯୁଦ୍ଧ ହୋଇପାରିଥାନ୍ତା । ସେମାନେ ଦୁଇଟି ବଡ ପରମାଣୁ ଶକ୍ତି ବିଶିଷ୍ଟ ରାଷ୍ଟ୍ର କିଛି ଏପରି ନିଷ୍ପତ୍ତି ନେିଥିଲେ ।

ତେବେ ଗତ ମେ ୧୦ ଠାରୁ, ଯେତେବେଳେ ଭାରତ ଏବଂ ପାକିସ୍ତାନ ସାମରିକ ସଂଘର୍ଷ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ, ସେବେଠୁ ଟ୍ରମ୍ପ୍ ଅନେକ ଥର ଦାବି କରିଆସିଛନ୍ତି ଯେ ସେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାକୁ ସମାଧାନ କରିବାରେ ସାହାଯ୍ୟ କରିଛନ୍ତି ଏବଂ ସେ ପରମାଣୁ ଅସ୍ତ୍ରଶସ୍ତ୍ର ବିଶିଷ୍ଟ ଦକ୍ଷିଣ ଏସୀୟ ପଡ଼ୋଶୀମାନଙ୍କୁ କହିଥିଲେ ଯେ ଯଦି ସେମାନେ ସଂଘର୍ଷ ବନ୍ଦ କରନ୍ତି ତେବେ ଆମେରିକା ସେମାନଙ୍କ ସହିତ ବାଣିଜ୍ୟ କାରବାର ବନ୍ଦ କରିବ ।

କିନ୍ତୁ ଗତକାଲି କାନାଡା ଗସ୍ତରେ ଥିବା ପିଏମ୍ ମୋଦି ଫୋନ୍ ଯୋଗେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ସହିତ ବିବାଦ ବନ୍ଦ କରିବାରେ ମଧ୍ୟସ୍ଥତା ଭୂମିକା ଗ୍ରହଣ କରିବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ତାଙ୍କୁ କହିଥିଲେ ଯେ ଭାରତ ଏବଂ ପାକିସ୍ତାନ ଗତ ମାସରେ କୌଣସି ମଧ୍ୟସ୍ଥତା ବିନା ସେମାନଙ୍କ ସେନା ମଧ୍ୟରେ ସିଧାସଳଖ ଆଲୋଚନା ପରେ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିଦେଇଥିଲେ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନ୍‌ରେ କଥା ହେବାର କିଛି ଘଣ୍ଟା ପରେ ବୁଧବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୋଦିଙ୍କୁ ପ୍ରଶଂସା କରିଥିଲେ । ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ଜଣେ ଚମତ୍କାର ବ୍ୟକ୍ତି’ ବୋଲି କହିଛନ୍ତି। ଟ୍ରମ୍ପ କହିଛନ୍ତି, ‘ମୁଁ ବିଶ୍ୱାସ କରେ ମୋଦି ଜଣେ ‘ଚମତ୍କାର ବ୍ୟକ୍ତି’। ମୁଁ ଗତକାଲି ରାତିରେ ତାଙ୍କ ସହ କଥା ହୋଇଥିଲି।

ଏନେଇ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ କହିଛନ୍ତି ଯେ ମଙ୍ଗଳବାର ଟ୍ରମ୍ପଙ୍କ ସହ ୩୫ ମିନିଟ୍ ଫୋନ୍ ଆଲୋଚନାରେ ପ୍ରଧାନମନ୍ତ୍ରୀ ମୋଦୀ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଭାରତ ମଧ୍ୟସ୍ଥତା ଗ୍ରହଣ କରେ ନାହିଁ ଏବଂ ଏହାକୁ ‘କଦାପି ଗ୍ରହଣ କରିବ ନାହିଁ’। ସେ କହିଛନ୍ତି ଯେ ଇସଲାମାବାଦର ଅନୁରୋଧରେ ଭାରତ ଏବଂ ପାକିସ୍ତାନର ସେନା ମଧ୍ୟରେ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବା ଉପରେ ଆଲୋଚନା ଆରମ୍ଭ ହୋଇଛି। ମିଶ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଏହା ମଧ୍ୟ କହିଛନ୍ତି ଯେ ଭାରତ ଏବେ ଆତଙ୍କବାଦକୁ ‘ପ୍ରକ୍ସି ଯୁଦ୍ଧ’ ଭାବରେ ନୁହେଁ, ବରଂ ଏକ ଯୁଦ୍ଧ’ ଭାବରେ ଦେଖେ ଏବଂ ଭାରତର ‘ଅପରେସନ୍ ସିନ୍ଦୁର’ ଏବେ ବି ଚାଲିଛି। ଆମେରିକା ରାଷ୍ଟ୍ରପତି ପ୍ରଥମେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମେ ୧୦ ତାରିଖରେ ଯୁଦ୍ଧବିରତି ଘୋଷଣା କରିଥିଲେ।

ତେବେ କହିରଖୁଛୁ, ଟ୍ରମ୍ପ ଲଗାତାର ଦାବି କରି ଆସୁଛନ୍ତି ଯେ ସେ ଯୁଦ୍ଧବିରତି ଚୁକ୍ତିନାମାରେ ମଧ୍ୟସ୍ଥତା କରିଥିଲେ ଏବଂ ଉଭୟ ଦେଶ ଯୁଦ୍ଧ ବନ୍ଦ କରିବାକୁ ରାଜି ନହେଲେ ସେମାନଙ୍କ ସହିତ ବାଣିଜ୍ୟ ବନ୍ଦ କରିବାକୁ ଧମକ ଦେଇଥିଲେ, ଏବଂ ଭାରତ ଏହି ଦାବିକୁ ନିରନ୍ତର ପ୍ରତ୍ୟାଖ୍ୟାନ କରିଆସୁଛି। ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କାନାଡାରୁ ଫେରିବା ସମୟରେ ଆମେରିକା ଗସ୍ତ କରିବାକୁ ଅନୁରୋଧ କରିଥିଲେ, ଯାହାକୁ ପ୍ରଧାନମନ୍ତ୍ରୀ ‘ପୂର୍ବ ପ୍ରତିଶ୍ରୁତି’ ଦର୍ଶାଇ ଗ୍ରହଣ କରିନଥିଲେ। ଜି-୭ ଶିଖର ସମ୍ମିଳନୀ ଅବସରରେ ମୋଦୀ ଏବଂ ଟ୍ରମ୍ପଙ୍କ ସାକ୍ଷାତ ହେବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ଆମେରିକା ରାଷ୍ଟ୍ରପତିଙ୍କ ଶିଖର ସମ୍ମିଳନୀରୁ ଶୀଘ୍ର ପ୍ରସ୍ଥାନ କରିବା ଯୋଗୁଁ ବୈଠକ ହୋଇପାରିଲା ନାହିଁ। ଏହି କାରଣରୁ, ଦୁଇ ନେତା ଫୋନ୍‌ରେ କଥା ହୋଇଥିଲେ, ଯେଉଁଥିରେ ମେ ୭ ରୁ ୧୦ ମଧ୍ୟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମରିକ ସଂଘର୍ଷ ଉପରେ ପ୍ରମୁଖ ଆଲୋଚନା ହୋଇଥିଲା।

୨୨ ଏପ୍ରିଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରାୟ ଦୁଇ ସପ୍ତାହ ପରେ, ଯେଉଁଥିରେ ୨୬ ଜଣଙ୍କ ଜୀବନ ଯାଇଥିଲା, ଭାରତ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶରେ ଥିବା ଆତଙ୍କବାଦୀ ଭିତ୍ତିଭୂମିକୁ ଟାର୍ଗେଟ କରି ଅପରେସନ ସିନ୍ଦୂର ଆରମ୍ଭ କରିଥିଲା।

Comments are closed.