ଇନ୍ଦୋର: ରାଜା ରଘୁବଂଶୀ ହତ୍ୟା ମାମଲାରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଲୁଚାଇବା ଅଭିଯୋଗରେ ଇନ୍ଦୋରରୁ ଜଣେ ପ୍ରପର୍ଟି ଡିଲରଙ୍କୁ ଗିରଫ କରିଛି ମେଘାଳୟ ପୋଲିସ।
ପୋଲିସ ସୂଚନା ଅନୁସାରେ, ପ୍ରପର୍ଟି ଡିଲର ହତ୍ୟାର ମୁଖ୍ୟ ଅଭିଯୁକ୍ତ ଏବଂ ମୃତ ରାଜା ରଘୁବଂଶୀଙ୍କ ପତ୍ନୀ ସୋନମଙ୍କ ବ୍ୟାଗ ଲୁଚାଇ ରଖିଥିଲେ। ହତ୍ୟା ପରେ ସୋନମ ଇନ୍ଦୋରର ଏକ ଘରେ ଲୁଚି ରହିଥିଲେ। ଅତିରିକ୍ତ ଡେପୁଟି କମିଶନର ରାଜେଶ ଦଣ୍ଡୋଟିଆ କହିଛନ୍ତି ଯେ ପ୍ରପର୍ଟି ଡିଲର ଶିଲୋମ ଜେମ୍ସଙ୍କୁ ବ୍ୟାଗ ଲୁଚାଇବା ମାମଲାରେ ଗିରଫ କରାଯାଇଛି। ସେ କହିଛନ୍ତି ଯେ ଇନ୍ଦୋରରେ ଲୁଚି ରହିଥିବା ସମୟରେ ସୋନମ ଯେଉଁ ବ୍ୟାଗ ଲୁଚାଇଥିଲେ ସେଥିରେ ହତ୍ୟା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ରହିଛି। ତେବେ ଏଥିରେ ପୋଷାକ, ସୁନା ଗହଣା, ବନ୍ଧୁକ ସହ ହତ୍ୟାରେ ଜଡ଼ିତ ଅନ୍ୟ ସାମଗ୍ରୀ ରହିଥିଲା।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଜେମ୍ସ, ହତ୍ୟାକାଣ୍ଡରେ ଜଡିତ ଅଭିଯୁକ୍ତ ବିଶାଲ ଚୌହାନଙ୍କ ପାଇଁ ଫ୍ଲାଟ ଭଡାରେ ନେଇଥିଲେ। ଯେଉଁଠିି ହତ୍ୟା ପରେ ସୋନମ ଆସି ରହିଥିଲେ।ତେବେ ଜେମ୍ସ କିଛି ଦିନ ପୂର୍ବରୁ ଗଣମାଧ୍ୟମ ସମ୍ମୁଖରେ ଦାବି କରିଥିଲା ଯେ ସେ ମେ ୩୦ ତାରିଖରେ ବିଶାଲଙ୍କୁ ୧୭ ହଜାର ଟଙ୍କାରେ ଭଡାରେ ଏକ ଘର ଦେଇଥିଲେ। କିନ୍ତୁ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ତାହା ଖାଲି ପଡ଼ିଥିଲା।
ଉଲ୍ଲେଖଯୋଗ୍ୟ, ମେଘାଳୟକୁ ହନିମୁନ ପାଇଁ ଯାଇଥିବା ରଘୁବଂଶୀ ମେ ୨୩ ତାରିଖରେ ନିଖୋଜ ହୋଇଯାଇଥିଲେ ଏବଂ ଜୁନ୍ ୨ ତାରିଖରେ ତାଙ୍କ ମୃତଦେହ ମିଳିଥିଲା। ଏହି ମାମଲାରେ ମୃତ ରଘୁବଂଶୀଙ୍କ ପତ୍ନୀ ସୋନମ ଏବଂ ତାଙ୍କ ପ୍ରେମିକଙ୍କ ସମେତ ହତ୍ୟାକାଣ୍ଡରେ ସଂପୃକ୍ତ ପାଞ୍ଚ ଜଣ ଅଭିଯୁକ୍ତ ବର୍ତ୍ତମାନ ମେଘାଳୟ ଜେଲରେ ନ୍ୟାୟିକ ହେପାଜତରେ ଅଛନ୍ତି।
Comments are closed.