ତେହେରାନ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି ଯୋଗୁଁ ପରିସ୍ଥିତି ଜଟିଳ ହୋଇପଡ଼ିଛି। ଆମେରିକା ଇରାନର ତିନୋଟି ପରମାଣୁ ସ୍ଥାନ ଉପରେ ଆକ୍ରମଣ କରିଥିଲା। ଯାହାପରେ ଇରାନ ମଧ୍ୟ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଯାହା ଫଳରେ ପ୍ରଭାବିତ ହେବ ସାରା ବିଶ୍ବ।
ରିପୋର୍ଟ ଅନୁଯାୟୀ ଇରାନ ଏବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତୈଳ ମାର୍ଗ ‘ଷ୍ଟ୍ରେଟ୍ ଅଫ୍ ହରମୁଜ୍’ ବନ୍ଦ କରିବାକୁ ଯାଉଛି। ତେବେ ଇରାନର ସଂସଦ ଏହି ନିଷ୍ପତ୍ତିକୁ ଅନୁମୋଦନ କରିଛି, ଏବେ ଏହାକୁ କାର୍ଯ୍ୟାନ୍ୱୟନ ପାଇଁ ଇରାନର ଜାତୀୟ ସୁରକ୍ଷା ପରିଷଦକୁ ପଠାଯିବ। ଯଦି ‘ଷ୍ଟ୍ରେଟ୍ ଅଫ୍ ହରମୁଜ୍’ ଦୀର୍ଘ ସମୟ ବନ୍ଦ ହୋଇଯାଏ ତେବେ ଏହାର ପ୍ରଭାବ କେବଳ ଇସ୍ରାଏଲ ଉପରେ ପଡ଼ିବ ନାହିଁ ବରଂ ସମଗ୍ର ବିଶ୍ୱ ଏହାର ପରିଣାମ ଭୋଗ କରିବ।
ଇରାନ ଯେଉଁ ରାସ୍ତାକୁ ବନ୍ଦ କରିବା କଥା କହୁଛି, ତାହା ବିଶ୍ୱର ୨୦ ପ୍ରତିଶତ ତୈଳ ଏବଂ ଗ୍ୟାସ ଯୋଗାଣ କରେ।
ହରମୁଜ୍ ଷ୍ଟ୍ରେଟ୍ ଇରାନ ଏବଂ ଓମାନ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସଂକୀର୍ଣ୍ଣ ଜଳପଥ ଏବଂ ଏହା ପାରସ୍ୟ ଉପସାଗରକୁ ଓମାନ ଉପସାଗର ଏବଂ ଆରବ ସାଗର ସହିତ ସଂଯୋଗ କରେ। ଆମେରିକାର ଶକ୍ତି ସୂଚନା ପ୍ରଶାସନ ଏହାକୁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତୈଳ ପରିବହନ ଚେକ୍ ପଏଣ୍ଟ ବୋଲି ବିବେଚନା କରିଥାଏ। ବିଶ୍ୱ ତରଳ ପେଟ୍ରୋଲିୟମ୍ ଇନ୍ଧନ ବ୍ୟବହାର ଏବଂ ବିଶ୍ୱ ତରଳ ପ୍ରାକୃତିକ ଗ୍ୟାସ୍ (ଏଲଏନଜି) ବାଣିଜ୍ୟର ପ୍ରାୟ ଏକ ପଞ୍ଚମାଂଶ ଏହା ଦେଇ ଗତି କରିଥାଏ।
Comments are closed.