ଶ୍ରୀ ଭାଗବତ ସାର ୭୭: ଅବତାରୀ ପୁରୁଷ ଶ୍ରୀଜଗନ୍ନାଥ ଭାଗବତ ବର୍ଣ୍ଣିତ ବଉଧ ସ୍ୱରୂପ ଅଟନ୍ତି କିନ୍ତୁ ସ୍ୱୟଂ ବୁଦ୍ଧ ନୁହଁନ୍ତି
ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ବର୍ଣ୍ଣିତ ଅବତାର ତତ୍ୱ ମଧ୍ୟରେ ବିଷ୍ଣୁଙ୍କର ନିର୍ଦ୍ଧିଷ୍ଟ ଦଶ ଅବତାରକୁ ଆମେ ପ୍ରାଧାନ୍ୟ ଦେଇଥାଉ। ବିଶେଷତଃ ଶ୍ରୀଜୟଦେବ ରଚିତ ଦଶାବତାର ସ୍ତୋତ୍ରରେ ବୁଦ୍ଧ ଶରୀର ବା ଅବତାରର ଆଲୋଚନା ହୋଇଛି ଯଥା “ନିନ୍ଦସି ଯଜ୍ଞ ବିଧେରହ ସ୍ମୃତିଜାତମ ସଦୟ ହୃଦୟଦର୍ଶିତ ମିବ ପଶୁ ଘାତମ, କେଶବ ଧୃତ ବୁଦ୍ଧ ଶରୀର ଜୟ ଜଗଦୀଶ ହରେ।”
ଏଥିରେ ବିଷ୍ଣୁ (ଜଗନ୍ନାଥ )ବୁଦ୍ଧ ଶରୀର ଧରି ବୈଦିକ ଯଜ୍ଞ ବିଧିରେ ପଶୁ ଘାତର ନିନ୍ଦା କରିବା ସହିତ ଜୀବେ ଦୟାର ଉପଦେଶ ପ୍ରଦାନ କରାଯାଇଛି। କିନ୍ତୁ ଜଗନ୍ନାଥଙ୍କୁ ସ୍ୱୟଂ ବୁଦ୍ଧ ଭାବରେ କେଉଁଠାରେ ପ୍ରମାଣ ନାହିଁ, ଏଥିରୁ ଏହି ପ୍ରମାଣ ମିଳେ ଯେ ଅବତାରୀ ପୁରୁଷ ଶ୍ରୀଜଗନ୍ନାଥ ଭାଗବତ ବର୍ଣ୍ଣିତ ବଉଧ ସ୍ୱରୂପ ଅଟନ୍ତି କିନ୍ତୁ ସ୍ୱୟଂ ବୁଦ୍ଧ ନୁହଁନ୍ତି। ଅବଶ୍ୟ ବୌଦ୍ଧ ଧର୍ମର ଆଦର୍ଶ ସହିତ ବୈଷ୍ଣବ ଧାରାର ଆଦର୍ଶ ଓ ଆଚର ବିଚାର ଅନେକାଂଶରେ ସମାନ ପରିଲିକ୍ଷିତ ହୋଇଥାଏ। କିନ୍ତୁ ଶ୍ରୀମଦ ଭାଗବତର ବର୍ଣ୍ଣନା ଅନୁସାରେ ନିଶ୍ଚିତ ରୂପେ ଶ୍ରୀ ଜଗନ୍ନାଥ ହିଁ ଏକ ବୌଦ୍ଧିକ ରୂପରେ ପ୍ରକାଶିତ ହୋଇଛନ୍ତି ଏହା ସ୍ୱୀକାର୍ଯ୍ୟ।
ଏହାମଧ୍ୟ ପଢନ୍ତୁ: https://odishasambad.in/shrimad-bhagwat-katha-76-the-bhagwaqt-was-compiled-in-the-post-christian-era/
ଓଡିଶାର ଯବନ ଭକ୍ତ ସାଲବେଗଙ୍କ ଗୋଟିଏ ରଚନାରେ ମଧ୍ୟ ଏହା ଲିଖିତ “ନୀଳାଚଳେ ବିଜେ କରି
ବୁଦ୍ଧ ଅବତାରେଣ।
ବେନି ଭୁଜ ଟେକି ପ୍ରଭୁ
ଯାଚୁଅଛ ଶରଣ।।
ଏଠାରେ ଯଦି ଶୁଦ୍ଧୋଦନ ପୁତ୍ର କପିଳବାସ୍ତୁରେ ଜନ୍ମିତ ଗୌତମଙ୍କ ସିଦ୍ଧି ପ୍ରାପ୍ତ ପରେ ହୋଇଥିବା ବୁଦ୍ଧଙ୍କୁ ଅବତାର ହିସାବରେ ଗ୍ରହଣ କରିବା ତେବେ ଶ୍ରୀମନ୍ଦିର ପରମ୍ପରାରେ ପାଳିତ ହେଉଥିବା ନୃସିଂହ ଜନ୍ମ, ରାମ ଜନ୍ମ, କୃଷ୍ଣ ଜନ୍ମ ଆଦି ଅନୁଷ୍ଠାନ ପରି କାହିଁକି ବୁଦ୍ଧ ଜନ୍ମ ପାଳିତ ହେଉ ନାହିଁ ଏହା ଗବେଷକ ମାନେ ଚିନ୍ତା କରିବା କଥା। ଶ୍ରୀମଦ ଭାଗବତରେ ଶ୍ରୀକୃଷ୍ଣଙ୍କ ଚତୁଃସନକଙ୍କ ଠାରୁ ଆରମ୍ଭ କରି କଳ୍କୀ ଅବତାର ପର୍ଯ୍ୟନ୍ତ ସମୁଦାୟ ବାଇଶି (୨୨)ଅବତାର ବର୍ଣ୍ଣିତ ହୋଇଛି। କେହି କେହି ଏଥିରେ ହୟଗ୍ରୀବ ଓ ହଂସ ଅବତାର ମିଶାଇ ଚବିଶି (୨୨)ଅବତାର ବୋଲି କହିଥାନ୍ତି। କିନ୍ତୁ ସବୁଠାରୁ ସାରହେଲା
ସକଳ ଅବତାର ସାର।
ସ୍ୱୟଂ ଶ୍ରୀକୃଷ୍ଣ ଅବତାର।।
+ + + +
ସ୍ଵଭାବେ ଯାର ଜନ୍ମ ନାହିଁ।
ବିଚାର କରିବ ତା କେହି।।
ତେଣୁ ଅଯଥା କଥାରେ ମୁଣ୍ଡ ନପୁରେଇ କେବଳ ଭାଗବତ ବାଣୀଙ୍କୁ ଆଧାର କରି ଶ୍ରୀକୃଷ୍ଣ ପ୍ରେମରେ ମାତିବା ହେଉଛି ଆମର ଶ୍ରେଷ୍ଠ କର୍ମ। ଆସନ୍ତୁ ତେବେ ଶ୍ରୀମଦ ଭାଗବତଙ୍କ ଶରଣ ନେବା ଓ ମୁକ୍ତିର ପଥ ଖୋଜିବା।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ )
Comments are closed.