ମୁଲ୍ଲାଂପୁର: ଶୁଭମନ ଗିଲଙ୍କ ଆକର୍ଷଣୀୟ ଶତକ ବଳରେ ଗୁଜରାଟ ଟାଇଟାନ୍ସ ୭ ୱିକେଟରେ ରାଜସ୍ଥାନ ରୟାଲ୍ସକୁ ହରାଇ ଚଳିତ ଆଇପିଏଲର ଫାଇନାଲରେ ପ୍ରବେଶ କରିଛି । ଗୁଜରାଟ ପୂର୍ବରୁ ୨ ଥର ଫାଇନାଲରେ ପ୍ରବେଶ କରିଥିବା ବେଳେ ଥରେ ଚାମ୍ପିୟନ ହୋଇଛି । ଫାଇନାଲରେ ଗୁଜରାଟ ଗତ ସଂସ୍କରଣର ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରକୁ ଭେଟିବ । ମେ ୩୧ରେ ଏହି ମ୍ୟାଚ ଅହମ୍ମଦାବାଦରେ ଖେଳାଯିବ । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ବୈଭବ ସୂର୍ଯ୍ୟବଂଶୀଙ୍କ ୯୬ ରନ ବଳରେ ୨୦ ଓଭରରେ ୬ ୱିକେଟ ହରାଇ ୨୧୪ ରନ କରିଥିଲା । ରବୀନ୍ଦ୍ର ଜାଡେଜା ୪୫ ଓ ଡୋନୋବନ ଫରେରା ୩୮ ରନ କରି ଅପରାଜିତ ରହିଥିଲେ । କାଗିସୋ ରାବାଡା ଓ ଜାସନ ହୋଲ୍ଡର ୨ଟି ଲେଖାଏଁ ୱିକେଟ ନେଇଥିଲେ ।
ଗୁଜରାଟ ୨୧୫ ରନର ବିଜୟ ଲକ୍ଷ୍ୟକୁ ୧୮.୪ ଓଭରରେ ୩ ୱିକେଟ ହରାଇ ହାସଲ କରି ନେଇଥିଲା । ଗିଲ ଓ ସାଈ ସୁଦର୍ଶନ ୧୨.୫ ଓଭରରେ ୧୬୭ ରନ କରି ଦଳକୁ ସୁବିଧାଜନକ ସ୍ଥିତିରେ ପଂହଚାଇ ଦେଇଥିଲେ । ସୁଦର୍ଶନ ୫୮ ଓ ଗିଲ ୫୩ ବଲରେ ୧୦୪ ରନ କରି ଆଉଟ ହୋଇଥିଲେ । ଜୋଶ ବଟଲର ୯ ଓ ରାହୁଲ ଟେୱାଟିଆ ୧୭ ରନ କରି ଅପରାଜିତ ରହିଥିଲେ । ଗିଲଙ୍କ ଶତକ ବୈଭବଙ୍କ ଚମତ୍କାର ଇନିଂସକୁ ଫିକା କରି ଦେଇଥିଲା ।