ମୁମ୍ବାଇ: ମହାରାଷ୍ଟ୍ରର ପୁଣେରେ ବିଷାକ୍ତ ମଦ ପିଇ ଗତ ୨୪ ଘଣ୍ଟା ମଧ୍ୟରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ବହୁ ଲୋକ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏହି ମୃତ୍ୟୁ ହଡପସର, ଫୁଗେୱାଡି, ଦାପୋଡି ଏବଂ ପିମ୍ପରି ଅଞ୍ଚଳରେ ଘଟିଛି । ପୋଲିସ ଏବଂ ରାଜ୍ୟ ଅବକାରୀ ବିଭାଗ ମିଳିତ ଭାବରେ ଏକ ଅଭିଯାନ ଚଳାଇ ଜଣେ ବେଆଇନ ମଦ ବ୍ୟବସାୟୀଙ୍କ ସମେତ ୮ ଜଣଙ୍କୁ ଅଟକ ରଖିଛନ୍ତି ।
ତଦନ୍ତରୁ ଜଣାପଡିଛି ଯେ ମଦରେ ମିଥାନଲ ଥାଇପାରେ । ପୋଲିସ ଏକ ଘର ଉପରେ ଚଢ଼ାଉ କରି ବେଆଇନ ଭାବେ ଚାଲିଥିବା ଏକ ମଦ ତିଆରି କାରଖାନାକୁ ଠାବ କରିବା ସହ ସେଠାରୁ ବହୁ ପରିମାଣର କେମିକାଲ୍ ଜବତ କରିଛି । ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କ ଦୃଷ୍ଟିଶକ୍ତି ଚାଲିଯିବା, ପେଟ ଯନ୍ତ୍ରଣା, ଶ୍ୱାସକ୍ରିୟାରେ ସମସ୍ୟା ଏବଂ ବିଭିନ୍ନ ଅଙ୍ଗ ଅଚଳ ହେବା ଭଳି ଲକ୍ଷଣ ଦେଖାଯାଇଛି ।
ରାଜ୍ୟ ଅବକାରୀ କମିଶନର ଅତୁଲ କାନାଡେ କହିଛନ୍ତି ଯେ, ଫୁଗେୱାଡିରେ ମୃତ୍ୟୁ ପରେ ବିଭାଗ ତଦନ୍ତ ଆରମ୍ଭ କରିଛି । କାନାଡେ କହିଛନ୍ତି, “ଆମେ ଫୁଗେୱାଡି ଏବଂ ହଡପସର ଉଭୟରେ ମଦ ଯୋଗାଣକାରୀ ଯୋଗେଶ ୱାଙ୍ଖଡେଙ୍କୁ ଗିରଫ କରିଛୁ । ତାଙ୍କୁ ପିମ୍ପରି ଚିଞ୍ଚୱାଡି ପୋଲିସକୁ ହସ୍ତାନ୍ତର କରାଯାଇଛି ଏବଂ କାର୍ଯ୍ୟାନୁଷ୍ଠାନ ଚାଲିଛି।”