Latest Odisha News

BREAKING NEWS

ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯାତ୍ରା ନେଇ ରୋଚକ କଥା

ନୂଆଦିଲ୍ଲୀ: ଲଞ୍ଚ ହୋଇଛି ଆକ୍ସିଅମ୍-୪ ମିଶନ । ଇତିହାସ ରଚିଛନ୍ତି ଶୁଭାଂଶୁ ଶୁକ୍ଲା । ଫ୍ଲୋରିଡାସ୍ଥିତ ନାସାର କେନେଡି ସ୍ପେସ ସେଣ୍ଟରରୁ  ମହାକାଶକୁ ଯାତ୍ରା କରିଛନ୍ତି ଗ୍ରୁପ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ସହ ଅନ୍ୟ ୩ଜଣ ମହାକାଶଚାରୀ । ଭାରତୀୟ ସମୟ ଦିନ ୧୨ଟା ୧ରେ ଆକ୍ସିଅମ୍-୪ ମିଶନ ଲଞ୍ଚ କରାଯାଇଛି । ଡ୍ରାଗନ ସ୍ପେସ କ୍ୟାପସୁଲରେ ସ୍ପେସ ଷ୍ଟେସନକୁ ଯାତ୍ରା କରିଛନ୍ତି ୪ମହାକାଶଚାରୀ । ୨୮ଘଣ୍ଟାର ଯାତ୍ରା ପରେ ସେମାନେ ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନରେ ପହଞ୍ଚିବେ । ଗୁରୁବାର ଭାରତୀୟ ସମୟ ଅପରାହ୍ନ ସାଢେ ୪ଟା ବେଳେ ସ୍ପେସ ଷ୍ଟେସନରେ ପହଞ୍ଚି ଡକିଂ ହେବ । ସେଠାରେ ୧୪ଦିନ ଧରି ୩୧ଟି ଦେଶର ୬୦ଟି ପରୀକ୍ଷା କରାଯିବ ।

ମହାକାଶକୁ ନେଲେ ହାଲଓ୍ବା

ମହାକାଶଚାରୀଙ୍କୁ ମହାକାଶରେ ଖାଦ୍ୟ ଯୋଗାଇ ଦିଆଯାଏ । ତେବେ ନିଜ ପସନ୍ଦର ଖାଇବା ମହାକାଶକୁ ନେଇ ଯାଇଛନ୍ତି ଶୁଭାଂଶୁ ଶୁକ୍ଳା । ଆଇଏସଏସରେ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ମିଳିବ । ହେଲେ ଗାଜର ହାଲଓ୍ବା, ମୁଗଡାଲି ହାଲଓ୍ବା ପରି ନିଜ ପସନ୍ଦର ମିଠା ନେଇ ମହାକାଶକୁ ଯିବେ ବୋଲି ଲଞ୍ଚିଂ ପୂର୍ବରୁ ଶୁଭାଂଶୁ ଶୁକ୍ଲା କହିଥିଲେ । ଏସବୁ ଖାଇବା ତାଙ୍କୁ ସେଠାରେ ପରିବାର ପାଖରେ ଥିବା ଭଳି ଅନୁଭବ ଦେବ । ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନରେ ସେ ଭାରତର ଏସବୁ ଖାଇବାକୁ ସାଥୀ ମହାକାଶଚାରୀଙ୍କ ସହ ବାଣ୍ଟି କରି ଖାଇବେ । ଏହାଦ୍ବାରା ସାଂସ୍କୃତିକ ଆଦାନପ୍ରଦାନ କରିହେବ ବୋଲି ସେ କହିଥିଲେ ।

ଭାରତ ପାଇଁ ଦ୍ବିତୀୟ ‘ରାକେଶ ଶର୍ମା’ କ୍ଷଣ

ଶୁଭାଂଶୁ ଶୁକ୍ଲା ମହାକାଶକୁ ଯାତ୍ରା କରିବା ଭାରତ ପାଇଁ ଗର୍ବର କଥା । ୧୯୮୪ରେ ରାକେଶ ଶର୍ମାଙ୍କ ପରେ ଦେଶ ପାଇଁ ଗୌରବ ଆଣିଛନ୍ତି ଶୁଭାଂଶୁ ଶୁକ୍ଲା । ୧୯୮୪ରେ ଓ୍ବିଙ୍ଗ କମାଣ୍ଡର ରାକେଶ ଶର୍ମା ସୋଭିଏତ ୟୁନିୟନର ସୋୟୁଜ ଟି-୧୧ ମିଶନରେ ମହାକାଶରେ ପାଦ ରଖିଥିଲେ । ମହାକାଶରେ ଉଡାଇଥିଲେ ତ୍ରିରଙ୍ଗା । ୪୧ ବର୍ଷ ପରେ ଶୁଭାଂଶୁ ଶୁକ୍ଳା ମହାକାଶକୁ ଯିବା ସହ ପ୍ରଥମ ଭାରତୀୟ ଭାବେ ଆଇଏସଏସରେ ୧୪ଦିନ ରହି ବୈଜ୍ଞାନିକ ପରୀକ୍ଷଣ କରିବେ । ରାକେଶ ଶର୍ମାଙ୍କୁ ନିଜ ମେଣ୍ଟର କହିବା ସହ ତାଙ୍କ ପାଇଁ ଏକ ସିକ୍ରେଟ୍ ସ୍ମାରକୀ ନେଇଥିବା କହିଛନ୍ତି ଶୁଭାଂଶୁ ।

ସ୍ପେସକ୍ରାଫ୍ଟ ଭିତରୁ ପ୍ରଥମ ସନ୍ଦେଶ

ଡ୍ରାଗନ ମହାକାଶ ଯାନର ୧୦ମିନିଟ ଯାତ୍ରା ପରେ ପ୍ରଥମ ସନ୍ଦେଶ ଦେଇଛନ୍ତି ଶୁଭାଂଶୁ । ଦେଶବାସୀଙ୍କୁ ନମସ୍କାର କହିବା ସହ ୪୧ବର୍ଷ ପରେ ମହାକାଶରେ ପହଞ୍ଚିବା ସ୍ମରଣୀୟ ବୋଲି କହିଛନ୍ତି । ସେକେଣ୍ଡକୁ ସାଢେ ୭କିଲୋମିଟର ବେଗରେ ପୃଥିବୀର ଚକ୍କର କାଟୁଛନ୍ତି । ତାଙ୍କ କାନ୍ଧରେ ତ୍ରିରଙ୍ଗା ଲାଗିଥିବା ଶୁଭାଂଶୁ କହିଛନ୍ତି । ଏହା କେବଳ ତାଙ୍କର ଆଇଏସଏସ ପର୍ଯ୍ୟନ୍ତ ଯାତ୍ରାର ଆରମ୍ଭ ନୁହେଁ ବରଂ ଭାରତର ମାନବୀୟ ମହାକାଶ ଉଡାଣର ଆରମ୍ଭ ବୋଲି ସେ କହିଛନ୍ତି ।

ସାଙ୍ଗରେ ଧଳା ହଂସ ଜୟ !

ମହାକାଶକୁ ଯାତ୍ରା ବେଳେ ଛୋଟ ଧଳା ଖେଳଣା ହଂସକୁ ନେଇଛନ୍ତି ମହାକାଶଚାରୀ । ଏହା କ୍ରୁଙ୍କ ପାଇଁ ଶୂନ୍ୟ-ମାଧ୍ୟାକର୍ଷଣର ସୂଚକ ଭାବେ ଯାତ୍ରା କରିଛି । ମହାକାଶ ଯାତ୍ରା ପୂର୍ବରୁ ପାଞ୍ଚ ଇଞ୍ଚ ଖେଳଣାକୁ ପ୍ରଦର୍ଶିତ କରାଯାଇଥିଲା । କ୍ରୁ ସଦସ୍ୟଙ୍କ ଦେଶର ସାଂସ୍କୃତିକ ବିଶେଷତ୍ବ ଦୃଷ୍ଟିରୁ ହଂସକୁ ବଛାଯାଇଥିଲା । ଭାରତରେ ହଂସକୁ ଜ୍ଞାନ, ପବିତ୍ରତା ଓ ସତ୍ୟର ଅନୁସନ୍ଧାନର ପ୍ରତୀକ ଭାବେ ଗ୍ରହଣ କରାଯାଏ । ପୋଲାଣ୍ଡରେ ଏହା ପବିତ୍ରତା, ବିଶ୍ବସ୍ତତା ଓ ସ୍ଥିରତାକୁ ପ୍ରତିନିଧିତ୍ବ କରୁଥିବା ବେଳେ ହଙ୍ଗେରୀରେ ପ୍ରକୃତିର ସୌନ୍ଦର୍ଯ୍ୟକୁ ପ୍ରଦର୍ଶିତ କରେ ।

ମହାକାଶ ଯାତ୍ରା ପୂର୍ବରୁ ଶୁଣିଥିଲେ ଏଇ ଗୀତ

ହ୍ରିତିକ ରୋଶନଙ୍କ ଫିଲ୍ମ ଫାଇଟରର ବନ୍ଦେ ମାତରମ୍ ଶୁଭାଂଶୁ ଶୁକ୍ଳାଙ୍କ ସବୁଠୁ ପସନ୍ଦର ଗୀତ । ଫ୍ଲୋରିଡାସ୍ଥିତ ନାସାର କେନେଡି ସ୍ପେସ ସେଣ୍ଟରକୁ ଯିବା ବେଳେ ଏଇ ଗୀତ ଶୁଣିଥିଲେ ଶୁଭାଂଶୁ । ପରିବାର ଲୋକଙ୍କଠାରୁ ବିଦାୟ ନେଇ ମିଶନ ପାଇଁ ଲଞ୍ଚ ପ୍ୟାଡକୁ ଯିବା ବେଳେ ନାସାର ମହାକାଶଚାରୀମାନେ ନିଜ ପସନ୍ଦର ଗୀତ ଶୁଣିବାର ପରମ୍ପରା ରହିଛି । ନିଜ ମନପସନ୍ଦର ଗୀତ ଶୁଣିବା ଦ୍ବାରା ମହାକାଶଚାରୀ ଆଶ୍ବସ୍ତ ମନେ କରିବା ସହ ଷ୍ଟ୍ରେସ ମ୍ୟାନେଜ କରିବା ସହଜ ହୁଏ ।

ଶୁଭାଂଶୁ ଶୁକ୍ଳା ତାଙ୍କ ସହ ଦେଶବାସୀଙ୍କ ଆଶା, ଶୁଭେଚ୍ଛା ଓ ଆକାଂକ୍ଷା ନେଇ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ପୁଅର ମହାକାଶ ଯାତ୍ରାକୁ ଦେଖି ଭାବବିହ୍ବଳ ହୋଇଛନ୍ତି ମାଆ ଆଶା ଶୁକ୍ଳା । ସକାଳେ ଶୁଭାଂଶୁଙ୍କୁ ଭିଡିଓ କଲରେ ଦହି ଚିନି ଦେଇଥିଲେ ମାଆ । ଯିବା ପୂର୍ବରୁ ସେ ଫେରିବେ ଓ ତାଙ୍କ ପାଇଁ ଅପେକ୍ଷା କରିବାକୁ ପରିବାରକୁ କହିଛନ୍ତି ଶୁଭାଂଶୁ ଶୁକ୍ଳା ।

Comments are closed.