କୋଚ ଗୌତମ ଗମ୍ଭୀର ଓ ଅଧିନାୟକ ଶୁଭମନ ଗିଲଙ୍କୁ ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଶକ୍ତ ଧକ୍କା ଲାଗିଛି । ଭାରତ ପରାଜୟ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ପୂର୍ବରୁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ବିଫଳତାକୁ ଏହାର କାରଣ ମନେ କରାଯାଉଥିଲା । ସେମାନଙ୍କ ଅବସର ପରେ ନୂଆ ଟିମ ବ୍ୟାଟିଂରେ ଭଲ ପ୍ରଦର୍ଶନ କରିଥିଲେ । ଅବଶ୍ୟ ଏହା ବଡ କଥା ନ ଥିଲା । ବ୍ୟାଟ୍ସମ୍ୟାନଙ୍କୁ ସମ୍ପୂର୍ଣ୍ଣ ସୁହାଉଥିବା ଏହି ପିଚରେ ଶୁଭମନ ଗିଲ, ଯଶସ୍ୱୀ ଜୈସୱାଲ, କେଏଲ ରାହୁଲ, ରିଷଭ ପନ୍ତ (୨ଟି) ଓ ଓଲୀ ପୋପ ଶତକ ହାସଲ କରିଥିଲେ । ହ୍ୟାରୀ ବ୍ରୁକ ୯୯ରେ ଆଉଟ ହୋଇଥିଲେ । ଟେଷ୍ଟ ଟିମ ରଣନୀତି ପ୍ରସ୍ତତ କରିବାରେ ଭାରତ ବାରମ୍ବାର ବିଫଳ ହେଉଛି । ଅନଭିଜ୍ଞତା ଓ ମାତ୍ରାଧିକ ସୀମିତ ଓଭର ମୁକାବିଲା ଏଥିପାଇଁ ଦାୟୀ ମନେ କରାଯାଉଛି ।
ମିଡିଲ ଅର୍ଡର ବିଫଳତା: ବ୍ୟାଟ୍ସମ୍ୟାନଙ୍କୁ ସୁହାଉଥିବା ପିଚରେ ଭାରତ ପ୍ରଥମ ଇନିଂସରେ ୪୧ ରନରେ ୬ଟି ଓ ଦ୍ୱିତୀୟ ଇନିଂସରେ ୩୧ ରନରେ ୫ଟି ୱିକେଟ ହରାଇଥିଲା । ୪୦୦ରୁ ଊର୍ଦ୍ଧ୍ୱ ଟାର୍ଗେଟ ଦେଇ ନ ପାରିବା ଭାରତକୁ ବ୍ୟାକଫୁଟକୁ ଠେଲି ଦେଇଥିଲା ।
ନୈରାଶ୍ୟଜନକ ବୋଲିଂ ପ୍ରଦର୍ଶନ: ଯଶପ୍ରୀତ ବୁମରାହ ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କ ବ୍ୟତୀତ ଅନ୍ୟ ବୋଲରଙ୍କ ପ୍ରଦର୍ଶନ ପ୍ରଭାବୀ ନ ଥିଲା । ସେମାନେ ବିପକ୍ଷ ଦଳକୁ ଚାପରେ ପକାଇବାରେ ବିଫଳ ହୋଇଥିଲେ । ମହମ୍ମଦ ସିରାଜ ଓ ଶାର୍ଦ୍ଦୂଳ ଠାକୁର ୨ଟି ଲେଖାଏଁ ୱିକେଟ ନେଇଥିଲେ ମଧ୍ୟ ସେମାନଙ୍କ ବୋଲି ବ୍ୟାଟ୍ସମ୍ୟାନଙ୍କୁ ବିଶେଷ ହଇରାଣ କରିପାରି ନ ଥିଲା ।
ଖରାପ ଫିଲ୍ଡିଂ: ଭାରତୀୟ ଫିଲ୍ଡର ଏହି ମ୍ୟାଚରେ ଓଭରାଲ ୯ଟି କ୍ୟାଚ ଡ୍ରପ କରିଥିଲେ । ପ୍ରଥମ ଇନିଂସରେ ୬ଟି ଓ ଦ୍ୱିତୀୟ ଇନିଂସରେ ୩ଟି କ୍ୟାଚ ଖସାଇଥିଲେ ।
ଫ୍ଲାଟ ପିଚ: ଅନ୍ତିମ ଦିବସରେ ପିଚ ଫ୍ଲାଟ ରହିବା ଭାରତୀୟ ରଣନୀତିକୁ ବିଫଳ କରିଥିଲା । ବୋଲରମାନେ ରନ ରୋକିବାରେ ମଧ୍ୟ ବିଫଳ ହୋଇଥିଲେ । ଇଂଲଣ୍ଡ ବ୍ୟାଟ୍ସମ୍ୟାନ ସହଜରେ ରନ ସଂଗ୍ରହ କରିବା ଯୋଗୁ ଚାପମୁକ୍ତ ହୋଇଥିଲେ ।
ଡକେଟ-କ୍ରାଉଲେଙ୍କ ଚମତ୍କାର ବ୍ୟାଟିଂ: ଟେଷ୍ଟ କ୍ରିକେଟରେ ଚତୁର୍ଥ ଇନିଂସରେ ବ୍ୟାଟିଂ କରିବା ଏତେଟା ସହଜ ନ ଥିଲେ ମଧ୍ୟ ବେନ ଡକେଟ ଓ ଜ୍ୟାକ କ୍ରାଉଲେ ପ୍ରଥମ ୱିକେଟରେ ୧୮୮ ରନ ଯୋଗ କରି ଭାରତ ହାତରୁ ମ୍ୟାଚ ଛଡେଇ ନେଇଥିଲେ ।
Comments are closed.