Latest Odisha News

BREAKING NEWS

ଆଜି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ,ସକାଳ ୯ଟାରୁ ସର୍ବସାଧାରଣ ଦର୍ଶନ

ପୁରୀ: ଶେଷ ହୋଇଛି ମହାପ୍ରଭୁଙ୍କ ଦୀର୍ଘ ୧୫ ଦିନର ଅନବସର । ଆଜି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ। ଦୁର୍ଲ୍ଲଭ ଦର୍ଶନ ଅପେକ୍ଷାରେ ହଜାର ହଜାର ଶ୍ରଦ୍ଧାଳୁ । ସକାଳ ୮ଟାରୁ ୯ଟା ଯାଏ ଟିକେଟ୍‌ ଦର୍ଶନ ବ୍ୟବସ୍ଥା ରହଛି । ସକାଳ ୯ଟାରୁ ୧୦.୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ କରିବେ ଶ୍ରଦ୍ଧାଳୁ । ସର୍ବସାଧାରଣ ଦର୍ଶନ ଶେଷ ହେବାପରେ ମହାପ୍ରଭୁଙ୍କ ଆଉ ଦର୍ଶନ କରିପାରିବେନି ଭକ୍ତ । ଏହା ପରେ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ କରାଯାଇ ଘୋଷଯାତ୍ରା ପାଇଁ ଆରମ୍ଭ ହେବ ପ୍ରସ୍ତୁତି ।

ପରେ ଦଇତାପତି ସର୍ବାଙ୍ଗ, ନେତ୍ରୋତ୍ସବ ବନ୍ଦାପନା, ଯାତ୍ରାଙ୍ଗୀ ମହାସ୍ନାନ, ସୂର୍ଯ୍ୟପୂଜା,ଦ୍ୱାରପାଳ ପୂଜା, ଗୋପାଳବଲ୍ଲଭ ଓ ସକାଳଧୂପ ପରେ ରଥ ଆଜ୍ଞାମାଳ ଅପରାହ୍ନ ୪.୧୦ରେ ବିଜେପରେ ରଥଖଳାରୁ ସିଂହଦ୍ଵାର ନିକଟକୁ ଟଣାହେବ ତିନିରଥ ।

ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା । ଶ୍ରୀମନ୍ଦିର ବାହାରେ ଓ ଭିତରେ ତିନିଥାକିଆ ସୁରକ୍ଷା ବ୍ୟବସ୍ଥା ହୋଇଛି ।

ଆଜିଠାରୁ ଲାଗୁ ହେବ ଟ୍ରାଫିକ ନିୟମାବଳୀ । ବ୍ରହ୍ମଗିରି, କୋଣାର୍କ ଓ ଭୁବନେଶ୍ବର ଆଡୁ ଆସୁଥିବା ଦୁଇ ଚକିଆ ଓ ଚାରି ଚକିଆ ଯାନ ପାଇଁ ଚିହ୍ନିତ ପାର୍କିଂ ସ୍ଥାନରେ ପାର୍କିଂ କରାଯାଇପାରିବ । ଚାଟବୋଟ ଆପ୍‌ ଦ୍ୱାରା ସୂଚନା ପାଇବେ ଶ୍ରଦ୍ଧାଳୁ।

ପନ୍ଦର ଦିନ ଭକ୍ତମାନେ ଦାରୁଦିଅଁଙ୍କ ଦର୍ଶନ ଲାଭରୁ ବଞ୍ଚିତ ହୁଅନ୍ତି । ଅଣସର ଶେଷରେ ପୁଣି ସେ ଯେଉଁଦିନ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ତାହାକୁ ନବଯୌବନ ଦର୍ଶନ କହନ୍ତି । ଖଡ଼ି ଲାଗି ଓ ବନକଲାଗି ପରେ ମହାପ୍ରଭୁଙ୍କ ପ୍ରତିମା ନୂଆ ପରି ଉଜ୍ଜ୍ୱଳ ଦିଶୁଥିବାରୁ ଏହାକୁ ନବଯୌବନ କୁହାଯାଇଥାଏ ।

 

Comments are closed.