ପୁରୀ: ସିଏ ଭାବର ଠାକୁର ଭାବୋବିନୋଦିଆ । ଭାବରେ ଡାକିଲେ ଭକ୍ତଙ୍କୁ ସିଧା ତାର ଭବ୍ୟ ରୂପର ଦର୍ଶନ ମିଳେ । ଭାବରେ ହାତ ବଢେଇଦେଲେ ସେ ସଙ୍ଗେ ସଙ୍ଗେ ସାହାରା ଦେଇଦିଏ । ପ୍ରତିବର୍ଷ ଆଷାଢ଼ ଶୁକ୍ଳ ପକ୍ଷ ଦ୍ୱିତୀୟା ଦିନ ଅର୍ଥାତ୍ ଆଜିର ଦିନରେ ସେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ବଡଦାଣ୍ଡକୁ ଭକ୍ତଙ୍କ ଗହଳିକୁ ଓହ୍ଲେଇଆସେ । ଯାହାକୁ ବରଷକ ସାରା ଚାହିଁ ରହିଥାନ୍ତି ଭକ୍ତ । ଆଉ ଆଜି ଭକ୍ତଙ୍କ ମନରଖି ଶ୍ରୀମନ୍ଦିର ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି ଚତୁର୍ଦ୍ଧାମୂରତି । ପ୍ରତିବର୍ଷ ମହାପ୍ରଭୁଙ୍କ ଏହି ଲୀଳା ଅନେକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଥାଏ । ପହଣ୍ଡି ଠାରୁ ରଥଟଣା ପର୍ଯ୍ୟନ୍ତ ସେ ମନରୋମ ଦୃଶ୍ୟ ବିଭୋର କରିଥାଏ । ତେବେ ଏହା ମଧ୍ୟରୁ ସବୁଠୁ ବେଶୀ ଆକର୍ଷଣୀୟ ହେଉଛି, ରଥଟଣା ଆରମ୍ଭର କିଛି ସମୟ ପରେ ରଥ ଆଗକୁ ଯାତ୍ରା କରି ମନ୍ଦିରଠାରୁ ପ୍ରାୟ ୨୦୦ ମିଟର ଦୂରରେ ଅଟକିଯାଏ । ତାହାବି ଏକ ସମାଧି ଆଗରେ । ଆଉ କିଛି ସମୟ ସେହି ସମାଧି ଆଗରେ ଅଟକି ରହିବା ପରେ, ଏହି ରଥ ପୁଣି ଆଗକୁ ବଢ଼ିଥାଏ, ଏକ ଅନନ୍ୟ ଦୃଶ୍ୟ ଦେଖାଯାଏ । ତେବେ ଏହି ସ୍ଥାନ ହେଉଛି ପ୍ରଭୁ ଜଗନ୍ନାଥଙ୍କ ଭକ୍ତ ସାଲବେଗଙ୍କ ସମାଧି ।
କିଏ ଏହି ସାଲବେଗ…କାହିଁକି ରଥଯାତ୍ରା ତାଙ୍କ ସମାଧିରେ ଅଟକିଥାଏ?
ସାଲବେଗ ଏକ ମୁସଲିମ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ତାଲବେଗ ମୋଗଲ ସାମ୍ରାଜ୍ୟର ଜଣେ ବରିଷ୍ଠ ଅଧିକାରୀ ଅର୍ଥାତ୍ ସୁବେଦାର ଥିଲେ। ସାଲବେଗ ବୃନ୍ଦାବନରେ ପାଠପଢିଥିଲେ, କିନ୍ତୁ ତାଙ୍କ ମାଙ୍କ ଠାରୁ ଜଗନ୍ନାଥଙ୍କ କଥା ଶୁଣିବା ପରେ ସେ ତାଙ୍କ ଦର୍ଶନ ପାଇଁ ପୁରୀ ଆସିଥିଲେ ଯେଉଁଠାରେ ସେ ପ୍ରଭୁ ଜଗନ୍ନାଥଙ୍କ ମହିମା ବିଷୟରେ ଅଧିକ ଶୁଣିବାକ ପାଇଥିଲେ, ଯାହା ଶୁଣିବା ପରେ ସାଲବେଗଙ୍କ ମନରେ ପ୍ରଭୁଙ୍କୁ ଦର୍ଶନ କରିବାର ଭାରି ଇଚ୍ଛା ହେଇଥିଲା । ଏହାପରେ ସିଧା ଶ୍ରୀମନ୍ଦିରରେ ପହଞ୍ଚିଯାଇଥିଲେ ସାଲବେଗ । ସାଲବେଗ ମନ୍ଦିରରେ ପହଞ୍ଚିବା ପରେ ତାଙ୍କୁ ଦ୍ୱାର ପାଖରେ ହିଁ ଅଟକାଇ ଦିଆଯାଇଥିଲା, କାରଣ ମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ନିଷେଧ ଅଛି । ଏହା ଶୁଣି ସାଲବେଗ ଦୁଃଖିତ ହୋଇଯାଇଥିଲେ, ଆଉ ତାଙ୍କ କବିତାରେ ସ୍ପଷ୍ଟ କରିଥିଲେ ଯେ, “ପିତା ମୋ ମୋଗଲ ବେଟା,ମାତା ମୋ ବ୍ରାହ୍ମଣୀ, ଏ କୁଳେ ଜନ୍ମିଲି ହିନ୍ଦୁ ନ ଛୁଏଁ ମୋ ପାଣି। କିନ୍ତୁ ସେହି ସମୟରେ ପ୍ରଭୁ ଜଗନ୍ନାଥଙ୍କ ପ୍ରତି ତାଙ୍କର କୌତୁହଳ ଏବଂ ଭକ୍ତି ମଧ୍ୟ ଗଭୀର ହୋଇଯାଇଥିଲା। ମନ୍ଦିରରେ ପ୍ରବେଶ କରିପାରି ନ ଥିଲେ ମଧ୍ୟ, ସେ ପ୍ରଭୁଙ୍କ ପ୍ରତି ତାଙ୍କର ଭକ୍ତି ବଜାୟ ରଖିଥିଲେ। ସେ ଭଜନ, କୀର୍ତ୍ତନ ଏବଂ ପ୍ରଭୁଙ୍କ ନାମ ଜପ କରିବା ଆରମ୍ଭ କରିଥିଲେ ।
ସାଲବେଗଙ୍କ ଭକ୍ତରେ ତରଳି ଯାଇଥିଲା କାଳିଆ ମନ….
ଶ୍ରୀମନ୍ଦିରରୁ ସେଦିନ ସାଲବେଗ ପ୍ରଭୁଙ୍କୁ ନଭେଟି ଫେରିଯାଇଥିଲେ ସତ, ହେଲେ ମନରୁ ପ୍ରଭୁଙ୍କ ପ୍ରତି ଉତ୍କଣ୍ଠା ଆହୁରି ବଢିଯାଇଥିଲା । ସେ ପୁରୀ ଛାଡି ଚାଲିଯାଇଥିଲେ । ହେଲେ ମହାପ୍ରଭୁଙ୍କ ଭକ୍ତିରେ ଲୀନ ହୋଇଯାଇଥିଲେ, ପ୍ରତ୍ୟେକ ଦିନ ମହାପ୍ରଭୁଙ୍କ ଚିନ୍ତନ କରୁଥିଲେ । ଯେଉଁଥିରେ ତରଳି ଯାଇଥିଲା କାଳିଆ ସାଆନ୍ତଙ୍କ ମନ । ଗୋଟିଏ ରାତିରେ ସାଲବେଗ ଏକ ସ୍ୱପ୍ନ ଦେଖିଲେ, ଯେଉଁଥିରେ ପ୍ରଭୁ ଜଗନ୍ନାଥ ସ୍ୱୟଂ ପ୍ରକଟ ହୋଇ ତାଙ୍କୁ କହିଥିଲେ, ମୁଁ ତୁମର ଭକ୍ତିରେ ବହୁତ ଖୁସି। ଯଦିଓ ତୁମେ ମୋତେ ମନ୍ଦିରରେ ଦେଖି ପାରିଲ ନାହିଁ, କିନ୍ତୁ ମୁଁ ତୁମକୁ ନିଜେ ଦର୍ଶନ ଦେବି। ଯେଉଁଥିରେ ସାଲବେଗ ପ୍ରଭୁଙ୍କୁ ପଚାରିଲେ, କେବେ?” ତା’ପରେ ପ୍ରଭୁ ଉତ୍ତର ରଖିଥିଲେ, ଯେତେବେଳେ ରଥଯାତ୍ରା ଆରମ୍ଭ ହେବ, ସେତେବେଳେ ମୋର ରଥ ତୁମ ସମ୍ମୁଖରେ ଅଟକିଯିବ ଏବଂ ସମସ୍ତେ ଜାଣିବେ ଯେ ତୁମେ ମୋର ପ୍ରକୃତ ଭକ୍ତ । ଏହାପରେ ସମୟ ବିତିଗଲା ଏବଂ ଗୋଟିଏ ଦିନ ରଥଯାତ୍ରା ଆସିଲା । ସାଲବେଗ ପୁରୀ ଯିବା ପାଇଁ ଇଚ୍ଛ ପ୍ରକାଶ କଲେ । ଆଉ ରଥ ଟଣା ଆରମ୍ଭର କିଛି ସମୟ ପରେ ହଠାତ୍ ଅଟକି ଯାଇଥିଲା ନନ୍ଦିଘୋଷ ରଥ । ପ୍ରଭୁ ଜଗନ୍ନାଥଙ୍କ ରଥ ସାଲବେଗ ରହୁଥିବା ସ୍ଥାନରେ ପହଞ୍ଚିବା ମାତ୍ରେ ରଥ ସେଠାରେ ଅଟକିଗଲା। ହଜାର ହଜାର ଲୋକ ଏକାଠି ହୋଇ ମଧ୍ୟ ରଥକୁ ଆଗକୁ ଘୁଞ୍ଚାଇ ପାରିଲେ ନାହିଁ । ତା’ପରେ ସାଲବେଗ ପହଞ୍ଚିବା ପରେ ଜଗନ୍ନାଥଙ୍କ ଫୁଲର ଏକ ହାର ସାଲବେଗକୁ ନିକଟରେ ଯାଇ ପହଞ୍ଚିଥିଲା । ତା’ପରେ ରଥ ଆଗକୁ ବଢ଼ିଲା। ଲୋକମାନେ ବୁଝିପାରିଲେ ଯେ ଏହା କୌଣସି ସଂଯୋଗ ନୁହେଁ, ବରଂ ସ୍ୱୟଂ ଭଗବାନ ତାଙ୍କ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ପରେ ସାଲବେଗ ପ୍ରଭୁଙ୍କ ସେବା ମଧ୍ୟ କରିଥିଲେ ଏବଂ ୧୬୪୬ ମସିହାରେ ତାଙ୍କ ପରଲୋକ ପରେ ପୁରୀ ବଡ଼ ଦାଣ୍ଡରେ ବଳଗଣ୍ଡିଠାରେ ତାଙ୍କ ସମାଧି ତିଆରି ହୋଇଛି । ଯାହାକୁ ଅନେକ ଲୋକ ସାଲବେଗଙ୍କ ମଜାର ମଧ୍ୟ କୁହନ୍ତି। ଆଉ ସେବେଠୁ ରଥଯାତ୍ରା ସମୟରେ ପ୍ରଭୁ ଜଗନ୍ନାଥଙ୍କ ରଥ ମନ୍ଦିର ସମ୍ମୁଖରେ କିଛି ସମୟ ପାଇଁ ଅଟକି ଯାଏ ।
Comments are closed.