Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀଙ୍କ ସହ କେମିତି କଥା ହେଲେ ଶୁଭାଂଶୁ ? ମହାକାଶରେ ରହିଛି କି ଇଣ୍ଟରନେଟ

ନୂଆଦିଲ୍ଲୀ : ଶନିବାର ପ୍ରଧାନମନ୍ତ୍ରୀ ମହାକାଶ ଯାଇଥିବା ଭାରତୀୟ ମହାକାଶ ବିଜ୍ଞାନୀ ଶୁଭାଂଶୁ ସହ କଥା ହୋଇଥିବା ଆପଣମାନେ ଟିଭିରେ ଦେଖିଥିବେ । ଆଉ ନିଶ୍ଚିତ ଭାବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ମହାକାଶରୁ କେମିତି ଶାଭାଂଶୁ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ.. ସେଠାରେ କ’ଣ ନେଟୱାର୍କ ରହିଛି କି ? ନା ଆଉ କେଉଁ ମାଧ୍ୟମରେ ସେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ? ମହାକାଶ ଷ୍ଟେସନରୁ ପୃଥିବୀ ସହ କେମିତି ଯୋଗାଯୋଗ କରନ୍ତି ମହାକାଶଚାରୀ? ଆସନ୍ତୁ ଜାଣିବା…

ମହାକାଶ ଯାଉଥିବା ମହାକାଶଚାରୀମାନେ ପୃଥିବୀରେ ଥିବା ଲୋକଙ୍କ ସହ ଯୋଗାଯୋଗ କରିବା ପାଇଁ ଅତ୍ୟାଧୁନିକ ପ୍ରଯୁକ୍ତିର ସାହାଯ୍ୟ ନେଇଥାନ୍ତି। ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ)ରେ ରହୁଥିବା ମହାକାଶଚାରୀମାନେ ପୃଥିବୀରେ ଥିବା ନିୟନ୍ତ୍ରଣ କେନ୍ଦ୍ର ଓ ଅନ୍ୟାନ୍ୟ ବୈଜ୍ଞାନିକଙ୍କ ସହ ନିୟମିତ ଯୋଗାଯୋଗ ରକ୍ଷା କରିଥାନ୍ତି। ଏହି ଯୋଗାଯୋଗ ପ୍ରକ୍ରିୟା ମୁଖ୍ୟତଃ ରେଡିଓ ତରଙ୍ଗ, ଉପଗ୍ରହ ଏବଂ ଇଣ୍ଟରନେଟ ଆଧାରିତ ପ୍ରଯୁକ୍ତି ମାଧ୍ୟମରେ ସମ୍ପନ୍ନ ହୋଇଥାଏ।

ନାସା ଏବଂ ଅନ୍ୟାନ୍ୟ ମହାକାଶ ସଂସ୍ଥାଗୁଡ଼ିକ ଆଇଏସଏସରେ ଥିବା ମହାକାଶଚାରୀମାନଙ୍କୁ ପୃଥିବୀ ସହ ସଂଯୋଗ କରିବା ପାଇଁ ଟ୍ରାକିଂ ଆଣ୍ଡ ଡାଟା ରିଲେ ସାଟେଲାଇଟ ସିଷ୍ଟମ (TDRS) ବ୍ୟବହାର କରିଥାନ୍ତି। ଏହି ସାଟେଲାଇଟ ଗୁଡ଼ିକ ପୃଥିବୀର ଚାରିପାଖ କକ୍ଷପଥରେ ରହି ମହାକାଶ ଷ୍ଟେସନ ଓ ପୃଥିବୀ ମଧ୍ୟରେ ଡାଟା, ଭିଡିଓ ଏବଂ ଅଡିଓ ସିଗନାଲ ପଠାଇବା ଓ ଗ୍ରହଣ କରିବାରେ ସାହାଯ୍ୟ କରିଥାଏ। ଏହା ମାଧ୍ୟମରେ ମହାକାଶଚାରୀମାନେ ପୃଥିବୀରେ ଥିବା ନିୟନ୍ତ୍ରଣ କେନ୍ଦ୍ର ସହ ରିଅଲ-ଟାଇମ କଥାବାର୍ତ୍ତା କରିପାରନ୍ତି।

ଏହା ବ୍ୟତୀତ, ମହାକାଶଚାରୀମାନେ ଇଣ୍ଟରନେଟ ପ୍ରୋଟୋକଲ (IP) ଆଧାରିତ ସିଷ୍ଟମ ମାଧ୍ୟମରେ ଇ-ମେଲ, ଭିଡିଓ କଲ ଏବଂ ସୋସିଆଲ ମିଡିଆ ମାଧ୍ୟମରେ ପୃଥିବୀରେ ଥିବା ପରିବାର ଓ ସାଙ୍ଗସାଥୀଙ୍କ ସହ ଯୋଗାଯୋଗ ରକ୍ଷା କରିଥାନ୍ତି। ଏହି ଯୋଗାଯୋଗ ବ୍ୟବସ୍ଥା ମହାକାଶଚାରୀମାନଙ୍କୁ କେବଳ ବୈଜ୍ଞାନିକ ଗବେଷଣା ଓ ମିଶନ ସମ୍ପର୍କିତ ତଥ୍ୟ ଆଦାନପ୍ରଦାନ କରିବାରେ ସାହାଯ୍ୟ କରେ ନାହିଁ, ବରଂ ସେମାନଙ୍କୁ ପୃଥିବୀରେ ଥିବା ଲୋକଙ୍କ ସହ ମାନସିକ ସଂଯୋଗ ମଧ୍ୟ ବଜାୟ ରଖିବାରେ ସହାୟକ ହୋଇଥାଏ। ଏହା ମହାକାଶ ଅନୁସନ୍ଧାନରେ ଏକ ଗୁରୁତ୍ୱପୂର୍ଣ୍ଣ ପାହାଚ ହୋଇଛି।

 

Comments are closed.