ପୁରୀ: ପୁରୀ ଅଘଟଣକୁ ନେଇ ଏବେ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ତେଜିଥିବା ବେଳେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରଙ୍କୁ ସମବେଦନା ଜଣାଇଛନ୍ତି । ଘଟଣାରେ ଅବହେଳାକୁ ଅକ୍ଷମଣୀୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଏନେଇ ମୁଖ୍ୟମନ୍ତ୍ରୀ ନିଜ ଏକ୍ସରେ ଲେଖିଛନ୍ତି, ଶରଧାବାଲିରେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଜନିତ ଠେଲାପେଲା କାରଣରୁ ଘଟିଥିବା ଅଘଟଣ ପାଇଁ ବ୍ୟକ୍ତିଗତ ଭାବେ ମୁଁ ଏବଂ ମୋ ସରକାର ସମସ୍ତ ଜଗନ୍ନାଥପ୍ରେମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛୁ। ଯେଉଁ ଭକ୍ତମାନଙ୍କର ଜୀବନଦୀପ ଶରଧାବାଲିରେ ଲିଭିଯାଇଛି ସେମାନଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଏହି ଭଳି ଏକ ଦାରୁଣ ଦୁଃଖକୁ ସହିବା ନିମନ୍ତେ ଶକ୍ତି ଦେବାପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି। ଏହି ଅବହେଳା ଅକ୍ଷମଣୀୟ । ସୁରକ୍ଷା ଅବହେଳାର ତୁରନ୍ତ ତଦନ୍ତ କରାଯିବ ଏବଂ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ସେପଟେ ଏହି ଘଟଣାରେ ସମବେଦନା ଜଣାଇ ସରକାରଙ୍କୁ ସଂପୂର୍ଣ୍ଣ ଦାୟୀ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ପୁରୀ ଅଘଟଣରେ ମୃତ ୩ ଜଣଙ୍କ ପରିବାର ପ୍ରତି ‘ଏକ୍ସ’ରେ ସମବେଦନା ଜଣାଇ ନବୀନ ଲେଖିଛନ୍ତି, ଭିଡ଼କୁ ପରିଚାଳନା କରିବା ପାଇଁ କୌଣସି ସରକାରୀ ବ୍ୟବସ୍ଥା ନଥିଲା । ନନ୍ଦିଘୋଷ ଟାଣିବାରେ ବିଳମ୍ବକୁ ମହାପ୍ରଭୁଙ୍କ ଇଚ୍ଛା କହିବା ଆଶ୍ଚର୍ଯ୍ୟଜନକ । ବାହାନା କରିବା ଆଶ୍ଚର୍ଯ୍ୟଜନକ, ଏଥିପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ଦାୟୀ । ଆଡ଼ପ ବିଜେ, ବାହୁଡା, ସୁନାବେଶ ପାଇଁ ସଂଶୋଧନମୂଳକ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛନ୍ତି ନବୀନ ।
ଅନ୍ୟପଟେ ଏବେବି ଶରଧାବାଲିରେ ଅସମ୍ଭାଳ ଭିଡ ରହିଛି । ହେଲେ ଏବେ ପ୍ରଶାସନ ଆଗ ଅପେକ୍ଷା ଅଧିକ ସଚେତନ ଅବଲମ୍ବନ କରିଛି । ଭିଡ ନିୟନ୍ତ୍ରଣ କରୁଥିବା ବେଳେ ନିଜେ ଜିଲ୍ଲାପାଳ ଶରଧାବାଲିରେ ପଇନ୍ତରା ମାରୁଛନ୍ତି । ଡିଜିପି ମଧ୍ୟ ଗ୍ରାଉଣ୍ଡକୁ ଯାଇ ସ୍ଥିତି ଅନୁଧ୍ୟନ କରିଚନ୍ତି । ଖୁବଶୀଘ୍ର ଏନେଇ ତଦନ୍ତ ହେବ ବୋଲି କହିଛନ୍ତି ।
ତେବେ ଆଜି ସକାଳ ବଡି ଭୋରରୁ ପ୍ରାୟ ୪ଟା ୩୦ ବେଳେ ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ସୁଭଦ୍ରା ରଥ ସମ୍ମୁଖରେ ଭିଡ ଅସମ୍ଭାଳ ହେବାରୁ ଦଳଚକଟା ସ୍ଥିତି ଉପୁଜିଥିଲା । ଯେଉଁଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନେ ସମସ୍ତେ ପୁରୀ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।
Comments are closed.