Latest Odisha News

BREAKING NEWS

ସଂସଦ ସୁରକ୍ଷା ତ୍ରୁଟି ମାମଲା: ୨ ଅଭିଯୁକ୍ତଙ୍କୁ ଜାମିନ ଦେଲେ ହାଇକୋର୍ଟ

ନୂଆଦିଲ୍ଲୀ: ସଂସଦର ସୁରକ୍ଷାରେ ତ୍ରୁଟି ମାମଲାରେ ଅଭିଯୁକ୍ତଙ୍କୁ ମିଲିଲା ଜାମିନ୍ । ବୁଧବାର ଦିଲ୍ଲୀ ହାଇକୋର୍ଟ ଦୁଇ ଅଭିଯୁକ୍ତ ନୀଲମ ଆଜାଦ ଏବଂ ମହେଶ କୁମାୱତଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଦିଲ୍ଲୀ ପୋଲିସ ନୀଲମ ଆଜାଦ ଏବଂ ମହେଶ କୁମାୱତଙ୍କ ଜାମିନ ଆବେଦନକୁ ବିରୋଧ କରିବା ପରେ ବି ଆଜି ସେମାନଙ୍କୁ ଜାମିନ ପ୍ରଦାନ କରାଯାଇଛି । ତେବେ ୨୦୨୩ରେ ଲୋକସଭାରେ ଏହି ଦୁଇ ଅଭିଯୁକ୍ତ ପ୍ରବେଶ କରି ହଳଦିଆ ଗ୍ୟାସ୍ ଛାଡି ଥିବା ବେଳେ ସ୍ଲୋଗାନ ଦେଇଥିଲେ ।

ସଂସଦର ସୁରକ୍ଷାରେ ତ୍ରୁଟି ମାମଲାରେ ଅଭିଯୁକ୍ତ ନୀଲମ ଆଜାଦ ଏବଂ ମହେଶ କୁମାୱତଙ୍କୁ ଜାମିନ ପ୍ରଦାନ କରିବା ସମୟରେ ଦିଲ୍ଲୀ ହାଇକୋର୍ଟ ମଧ୍ୟ ସର୍ତ୍ତ ରଖିଛନ୍ତି। ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ଜାମିନ ସମୟରେ ନୀଲମ ଆଜାଦ ଏବଂ ମହେଶ କୁମାୱତ ଗଣମାଧ୍ୟମ ସହିତ କଥା ହେବେ ନାହିଁ। ଏହା ସହିତ, ସେମାନେ ସୋସିଆଲ ମିଡିଆରେ କିଛି ପୋଷ୍ଟ କରିବେ ନାହିଁ। ବିଚାରପତି ସୁବ୍ରମଣ୍ୟମ ପ୍ରସାଦ ଏବଂ ବିଚାରପତି ହରିଶ ବୈଦ୍ୟନାଥନ ଶଙ୍କରଙ୍କ ଖଣ୍ଡପୀଠ ଉଭୟଙ୍କୁ ୫୦ ହଜାର ଟଙ୍କାର ବ୍ୟକ୍ତିଗତ ବଣ୍ଡ ଏବଂ ସମାନ ପରିମାଣର ଦୁଇ ଜାମିନଦାରଙ୍କ ଉପରେ ଆଶ୍ୱସ୍ତି ପ୍ରଦାନ କରିଛନ୍ତି ।

ସେପଟେ ପୂର୍ବରୁ, ସଂସଦରେ ସୁରକ୍ଷା ଅବହେଳା ମାମଲାରେ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ନିମ୍ନ ଅଦାଲତ ଖାରଜ କରିଦେଇଥିଲା। ଅଭିଯୁକ୍ତମାନେ ନିମ୍ନ ଅଦାଲତର ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ। ଦିଲ୍ଲୀ ହାଇକୋର୍ଟ ନୀଲମ ଆଜାଦ ଏବଂ ମହେଶ କୁମାୱତଙ୍କ ଜାମିନ ଆବେଦନର ଶୁଣାଣି କରି ମେ ୨୧ରେ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ । ପୋଲିସ କୋର୍ଟରେ ଯୁକ୍ତି ଦର୍ଶାଇଥିଲା ଯେ ଅଭିଯୁକ୍ତଙ୍କ ଉଦ୍ଦେଶ୍ୟ ୨୦୦୧ରେ ସଂସଦ ଉପରେ ଆକ୍ରମଣର ‘ଭୟାନକ ସ୍ମୃତି’କୁ ପୁନର୍ଜୀବିତ କରିବା । ଯାହାକୁ ନେଇ ସେମାନଙ୍କୁ ଜାମିନ୍ ଦିଆଯିବା ଉଚିତ୍ ନୁହେଁ ବୋଲି ପୋଲିସ୍ ଦାବି କରିଥିଲା ।

ସୂଚନାଯୋଗ୍ୟ, ଡିସେମ୍ବର ୧୩, ୨୦୨୩ରେ ସଂସଦର ସୁରକ୍ଷା ଅବହେଳାର ଏକ ବଡ଼ ଘଟଣା ସାମ୍ନାକୁ ଆସିଥିଲା। ଏହି ଦିନ ୨୦୦୧ରେ ସଂସଦ ଉପରେ ଆତଙ୍କବାଦୀ ଆକ୍ରମଣର ବାର୍ଷିକୀ ମଧ୍ୟ ଥିଲା । ଲୋକସଭାରେ ଶୂନ୍ୟକାଳ ସମୟରେ, ସାଗର ଶର୍ମା ଏବଂ ମନୋରଞ୍ଜନ ଡି ଗ୍ୟାଲେରୀରୁ ଗୃହ ଭିତରକୁ ଡେଇଁ ପଡ଼ିଥିଲେ। ସେମାନେ ଗୃହରେ ହଳଦିଆ ଗ୍ୟାସ ଛାଡି ସ୍ଲୋଗାନ ଦେଇଥିଲେ। ଲୋକସଭାରେ ଉପସ୍ଥିତ ସାଂସଦମାନେ ବି ଏହା ଦେଖି ଚକିତ ହୋଇଯାଇଥିଲେ । ସଂସଦ ଗୃହରେ ଏକ ଭୟା ବାତାବରଣ ଖେଳିଯାଇଥିଲା । ସେହି ସମୟରେ, ଅନ୍ୟ ଦୁଇ ଅଭିଯୁକ୍ତ ଅମୋଲ ସିନ୍ଦେ ଏବଂ ନୀଲମ ଆଜାଦ ସଂସଦ ପରିସର ବାହାରେ ରଙ୍ଗୀନ ଗ୍ୟାସ ଛିଞ୍ଚି ସ୍ଲୋଗାନ ଦେଇଥିଲେ। ମାମଲାର ତଦନ୍ତ କରିବା ସମୟରେ, ପୋଲିସ ଅନ୍ୟ ଦୁଇ ଅଭିଯୁକ୍ତ ଲଳିତ ଝା ଏବଂ ମହେଶ କୁମାୱତଙ୍କୁ ଗିରଫ କରିଥିଲା ।

Comments are closed.