Latest Odisha News

BREAKING NEWS

୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଜଗନ୍ନାଥ ପ୍ରଧାନ

ଭୁବନେଶ୍ବର: ବିଏମସି କାର୍ଯ୍ୟାଳୟର ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣାରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରାଯାଇଛି । ତେବେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଜାମିନ ଆବେଦନକୁ JMFC କୋର୍ଟ ଖାରଜ କରିଦେଇଛନ୍ତ । ଫଳରେ ତାଙ୍କୁ ୧୪ ଦିନିଆ ନ୍ୟାୟିକ ହାଜତକୁ ପଠାଇଦିଆଯାଇଛି । ଏହା ପରେ ଜଗନ୍ନାଥଙ୍କ ପକ୍ଷରୁ ସେସନ୍ସ କୋର୍ଟରେ ଆବେଦନ କରାଯିବ ବୋଲି ସୂଚନା ରହିଛି ।

ତେବେ ଗୁରୁବାର ରାତିରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ଡିସିପିଙ୍କ ଅଫିସରେ ଆତ୍ମସମର୍ପଣ କରିବା ପରେ କମିଶନରେଟ ପୋଲିସ ତାଙ୍କୁ ଗିରଫ କରିଥିଲା । ଏହା ପରେ ଜଗନ୍ନାଥଙ୍କ ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ପୂର୍ବରୁ ଏହି ଘଟଣାରେ ୫ ଜଣ ଗିରଫ ହୋଇଥିଲେ । ସେମାନଙ୍କ ମଧ୍ୟରେ ବିଜେପି କର୍ପୋରେଟର ଜୀବନ ରାଉତ, ରଶ୍ମି ମହାପାତ୍ର ଏବଂ ଦେବାଶିଷ ପ୍ରଧାନ ପ୍ରମୁଖ ରହିଥିଲେ । ହେଲେ ଆଜି ଜଗନ୍ନାଥଙ୍କୁ ମିଶାଇ ଏହି ଘଟଣାରେ ମୋଟ ୬ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ ।

ତେବେ ପୋଲିସ ଜଗନ୍ନାଥଙ୍କ ଗିରଫଦାରି ପରେ କାର୍ଯ୍ୟବନ୍ଦ ରଖିଥିବା ଓଏଏସ ସଂଘ ଆନ୍ଦୋଳନକୁ ପ୍ରତ୍ୟାହାର କରିନେଇଛି । ଓଏଏସ୍ ସଂଘର ସଭାପତି ଜ୍ୟୋତିରଂଜନ ମିଶ୍ର କହିଛନ୍ତି, ଆମେ ଦୁଇ-ତିନି ଦିନ ସାମୟିକ ଛୁଟିରେ ଥିଲୁ । ଆମେ ଜନସାଧାରଣଙ୍କୁ ସେବା ଯୋଗାଇ ଆସୁଥିଲୁ । ଆଗାମୀ ଦିନରେ ମଧ୍ୟ ସୂଚାରୁ ରୂପେ ସେବା ଯୋଗାଇ ଦେବୁ । ଶୁକ୍ରବାର ଠାରୁ ସଂଘର କର୍ମଚାରୀମାନେ ନିଜନିଜ କାର୍ଯ୍ୟରେ ଯୋଗ ଦେବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଉଛୁ । ସେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଆମ ସଂଘର କର୍ମଚାରୀମାନେ ଜରୁରୀକାଳୀନ ସେବାରେ ଯୋଗ ଦେଇଛନ୍ତି । ଆଜି ବନ୍ୟାଞ୍ଚଳରେ ଓଏଏସ୍‌ ଅଧିକାରୀମାନେ କାମ କରିଛନ୍ତି ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ଜଗନ୍ନାଥ ପ୍ରଧାନଙ୍କ ଗିରଫଦାରୀକୁ ତାଙ୍କ ସମର୍ଥକମାନେ ତୀବ୍ର ବିରୋଧ କରିଛନ୍ତି । ଗୁରୁବାର ରାତିରେ ଭୁବନେଶ୍ୱରର ବାଣୀବିହାର ଛକରେ ଜାତୀୟ ରାଜପଥ ଅବରୋଧ କରି ଜୋରଦାର ପ୍ରତିବାଦ କରିଛନ୍ତି ।

Comments are closed.