Latest Odisha News

BREAKING NEWS

ଆଡପ ମଣ୍ଡପରେ ଶ୍ରୀଜିଉଙ୍କୁ ଶେଷ ଦର୍ଶନ କଲେ ଭକ୍ତ, କାଲି ଅପରାହ୍ନ ୪ଟାରେ ରଥ ଟଣା

ପୁରୀ: ଯଜ୍ଞବେଦୀରୁ ବାହୁଡିବେ ପ୍ରଭୁ ରତ୍ନବେଦୀକୁ । ସରିଲା ଆଡପମଣ୍ଡପରେ ପ୍ରଭୂଙ୍କ ଲୀଳା ଖେଳା । ଆସନ୍ତାକାଲି ସକାଳୁ ବାହୁଡିବେ ଶ୍ରୀଜିଉ ବାହୁଡା ଯାତ୍ରାରେ । ସେଥିପାଇଁ ଆଜି ହେଉଛି ଘୋଷଯାତ୍ରାର ନବମୀ ତିଥି । ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ନବମୀ ଦର୍ଶନ ବା ସଂନ୍ଧ୍ୟା ଦର୍ଶନ । ପୌରାଣିକ ତଥ୍ୟ ଆଧାରରେ ଇନ୍ଦ୍ରଦ୍ୟୁମ୍ନ ରାଜା ଆଜିର ଦିନରେ ସଂନ୍ଧ୍ୟା ସମୟରେ ମହାପ୍ରଭୂଙ୍କ ମୁଖମଣ୍ଡଳକୁ ଦେଖିଥିଲେ । ସେହି ଆଧାରରେ ଚାଲିଛି ସଂନ୍ଧ୍ୟା ଦର୍ଶନ ।

ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜଗମୋହନ ନିକଟରେ ଭକ୍ତଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଥିଲା । ସନ୍ଧ୍ୟା ୬ଟାରୁ ଦର୍ଶନ କଟକଣା ରହିଥିବା ବେଳେ ତା ପରେ ଶ୍ରୀଗୁଣ୍ଡିଚାମନ୍ଦିର ଶୋଧ କରାଯିବାର ବ୍ୟବସ୍ଥା ହୋଇଥିଲା । ଭକ୍ତମାନେ ନାକଚଣା ଦ୍ୱାରଦେଇ ଆନନ୍ଦବଜାରରୁ ମହାପ୍ରସାଦ ଆଣିବାର ବ୍ୟବସ୍ଥା କରାଯାଇଥିଲା । ତେବେ ସଂଧ୍ୟା ଦର୍ଶନ ନେଇ ସ୍ୱତନ୍ତ୍ର ଜିକଜ୍ୟାକ ବ୍ୟାରିକେଡ଼ କରାଯାଇ ଦର୍ଶନ ବ୍ୟବସ୍ଥା ହୋଇଥିଲା । ବାହୁଡାଯାତ୍ରା ଶୃଙ୍ଖଳିତ କରିବା ପାଇଁ ପ୍ରାୟ ୨୦୦ ପ୍ଲାଟୁନ ଫୋର୍ସ ମୁତୟନ ହେବା ସହ ସ୍ୱତ୍ରନ୍ତ୍ର ଅଧିକାରୀ ମୁତୟନ ରହିବେ । ଶ୍ରୀଗୁଣ୍ଡିଚା ଯାତ୍ରାରେ ଯେଭଳି ତ୍ରୁଟି ଦେଖାଦେଇଥିଲା ସେ ତ୍ରୁଟିକୁ ସୁଧାରିବା ପାଇଁ କରାଯାଇଛି ବ୍ୟାପକ ପ୍ରସ୍ତୁତି ।

ସେପଟେ, ପରମ୍ପରା ମୁତାବକ ଆସନ୍ତାକାଲି ମାଉସୀ ମାଆ ହାତରୁ ପୋଡ଼ପିଠା ଖାଇ ବାହୁଡିବେ କଳାଠାକୁର । ସେଥିପାଇଁ ବଳଗଣ୍ଡି ମାଉସୀ ମାଆ ମନ୍ଦିର ତରଫରୁ ସରିଛି ପ୍ରସ୍ତୁତି । ସିଂହାସନକୁ ଚାରମାଳ ବାନ୍ଧିବାକୁ କୋଠ ସୁଆସିଆଙ୍କୁ ପ୍ରାୟ ୯ ଘଣ୍ଟା ଲାଗେ, ତା ସହ ଅନ୍ୟାନ୍ୟ ନୀତି ବଢେ ତେଣୁ ଦର୍ଶନକୁ ଆଗୁଆ ବନ୍ଦ ରଖିଲେ ହିଁ ବାହୁଡା ଯାତ୍ରା ଶୃଙ୍ଖଳିତ ହେବ କହିଛନ୍ତି ସେବାୟତ ଓ ପ୍ରଶାସନ ।

ଆସନ୍ତାକାଲି ବାହୁଡା଼ ଯାତ୍ରା ଅବସରରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଭୋର ୪ଟାରୁ ମଙ୍ଗଳ ଆଳତୀ ୪ଟା ୧୫ ରେ ମଇଲମ ଓ ୪ଟା ୩୦ରେ ତଡ଼ପ ଲାଗି କରାଯିବ । ସକାଳ ୫ରେ ଅବକାଶ ହୋଇ ୫ଟା ୧୫ରେ ସୂର୍ଯ୍ୟ ପୂଜା ଓ ୫ଟା ୩୦ରେ ବେଶ ଶେଷ ହେବ । ସକାଳ ୫ଟା ୪୫ରୁ ୬ଟା ୪୫ ମଧ୍ୟରେ ଗୋପାଳ ବଲ୍ଳଭ ଓ ସକାଳ ଧୂପ ଅନୁଷ୍ଠିତ ହେବ । ସକାଳ ୭ଟା ରୁ ୧୧ଟା ୩୦ ମଧ୍ୟରେ ମହାପ୍ରଭୁଙ୍କ ସେନାପଟା ଲାଗି କରାଯିବ । ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୨ଟା ୩୦ ମିନିଟ ମଧ୍ୟରେରେ ବାହୁଡା଼ ପହଣ୍ଡି ହେବ । ଅପରାହ୍ନ ୨ଟା ୩୦ରୁ ୩ଟା ୩୦ମଧ୍ୟରେ ଗଜପତି ମହାରାଜଙ୍କ ଦ୍ୱାରା ଛେରା ପହଁରା ନୀତି ଅନୁଷ୍ଠିତ ହେବ । ପରେ ଅପରାହ୍ନ ୪ଟାରେ ରଥ ଟଣା ଯିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତିନିର୍ଘଣ୍ଟ କରାଯାଇଛି ।

ବାହୁଡା ଯାତ୍ରା ପାଇଁ ଅଧିକା ରୁ ଅଧିକ ପୋଲିସ ଫୋର୍ସ ମୁତୟନ କରିଛି ପୋଲିସ । ସେପଟେ ସିସିଟିଭି ବଳୟ ଭିତରେ ରହିଛି ଗୁଣ୍ଡିଚା ମନ୍ଦିର । ଭକ୍ତମାନେ ଅତି ଆନନ୍ଦରେ ବ୍ୟାରିକେଡରେ ଯାଇ ଦର୍ଶନ କରି ମହାପ୍ରସାଦ ପାଇ ଫେରୁଛନ୍ତି । ତେବେ ନବମୀ ଦର୍ଶନ ବା ସନ୍ଧ୍ୟା ଦର୍ଶନ ପାଇଁ କାହିଁ କେତେ ଦୂରରୁ ଛୁଟି ଆସିଥିଲେ ଭକ୍ତମାନେ । ମନରେ କେତେ ଭାବ କାଳିଆ ସାଆନ୍ତକୁ ଦର୍ଶନ କରିବା ପାଇଁ । କାରଣ ପୁଣି ଆଡପମଣ୍ଡପରେ ଦେଖିବେ ଆରବର୍ଷକୁ ।

ସେପଟେ ନାକଚଣା ଦ୍ୱାରରେ ଥିବା ତିନି ରଥ ନିକଟରେ ଚାରମାଳକୁ ଭୋଇ ସେବକଙ୍କ ଦ୍ୱାରା ଚାରମାଳ ଥୁଆ ହେଲାଣୀ । ଆଉ ଶ୍ରୀଗୁଣ୍ଡିଚା ମନ୍ଦିର ଭିତରେ ନୀତି ଶୃଙ୍ଖଳିତ ଓ ସଅଳ କରାଯାଇଥିବାରୁ ବାହୁଡା ନୀତି ସଅଳ ହେବ ବୋଲି ଜଣାପଡିଛି ।

Comments are closed.